କେନ୍ଦ୍ରାପଡ଼ା,୦୪/୦୧/୨୦୨୬(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଚକ୍ରୋଡ଼ା ଗ୍ରାମପଂଚାୟତର ନରିଲୋ ଗ୍ରାମରେ ପୁତୁରାକୁ ହାଣି ହତ୍ୟା କରିଛି ଦାଦା । ସେହିପରି ପୁତୁରାର ବାପା ଓ ମା ତଥା ଅଭିଯୁକ୍ତର ଭାଇ ଓ ଭାଉଜକୁ ହାଣି ଗୁରୁତର କରିଛି ଅଭିଯୁକ୍ତ ରାଜକିଶୋର । ଯୁବକ ଉପେନ୍ଦ୍ର ଓରଫ ପିନୁ ଓଝାକୁ ହତ୍ୟା କରାଯାଇଛି । ଗୁରୁତର ଆହତ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ସରୋଜକାନ୍ତ ଓଝା ଓ ତାଙ୍କ ପତ୍ନୀ ସଂଯୁକ୍ତା ଓଝା । ଥାନା ସୁତ୍ରରୁ ପ୍ରକାଶ ଯେ ସରୋଜକାନ୍ତ ଓଝା ଓ ତାଙ୍କ ସାନଭାଇ ରାଜକିଶୋର ଓଝାଙ୍କ ମଧ୍ୟରେ ଦୀର୍ଘଦିନ ଧରି ଜମିବାଡି ବିବାଦ ଲାଗି ରହିଥିଲା । ସେହି ବିବାଦ ସମାଧାନ ହୋଇନଥିବା ବେଳେ ସରୋଜକାନ୍ତ ନୂତନ ଘର ନିର୍ମାଣ କରୁଥିଲେ । ଏହାକୁ ନେଇ ବିବାଦ ଅଧିକ ଉଗ୍ରରୂପ ନେଇଥିଲା ।

ଏହି ବିବାଦର ସମାଧାନ ପାଇଁ ଗ୍ରାମର କେତେକ ଭଦ୍ରଲୋକଙ୍କ ଉପସ୍ଥିତିରେ ଗ୍ରାମସ୍ଥିତ ଲକ୍ଷ୍ମୀନାରାୟଣ ମଣ୍ଡପରେ ଶନିବାର ରାତିରେ ଏକ ସଭା ବସିଥିଲା । ସେଠାରେ ଆଲୋଚନା ଚାଲିଥିବା ବେଳେ ସଭାର ନିଷ୍ପତିକୁ ନ ମାନି ରାଜକିଶୋର ସଭାରୁ ଉଠି ପଳାଇଥିଲେ । ଏହାପରେ ରାଜକିଶୋର, ପୁଅ ଉମାକାନ୍ତ, ପତ୍ନୀ ପ୍ରଣତି ଓ ଝିଅ ତପିନା କଟୁରୀ, ଭୁଜାଲି,ଲୁହାରଡ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ସରୋଜଙ୍କ ନିର୍ମାଣଧିନ ଗୃହକୁ ଭାଙ୍ଗିବା ସହ ସେଠାରେ ଲାଗିଥିବା ସିସିଟିଭିକୁ ମଧ୍ୟ ଭାଙ୍ଗି ଦେଇଥିଲେ । ଏ ସଂକ୍ରାନ୍ତରେ ଖବର ପାଇ ସଭାରେ ଉପସ୍ଥିତ ସରୋଜ ଏବଂ ତାଙ୍କ ପତ୍ନୀ ସଂଯୁକ୍ତ ଓ ପୁଅ ଉପେନ୍ଦ୍ର ଘଟଣା ସ୍ଥଳରେ ପହଂଚି ପ୍ରତିବାଦ କରିଥିଲେ । ଏଥିରେ ଉତ୍ୟକ୍ତ ହୋଇ ସେମାନଙ୍କୁ ଜୀବନରେ ମାରିଦେବା ଉଦ୍ଧେଶ୍ୟରେ ରାଜକିଶୋର ଓ ତାଙ୍କ ପରିବାର ଲୋକେ ଆକ୍ରମଣ କରିଥିଲେ ।
ଫଳରେ ଉପେନ୍ଦ୍ର, ସରୋଜ ଓ ସଂଯୁକ୍ତା ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡି ଯାଇଥିଲେ । ଚିତ୍କାର ଶୁଣି ଗାଁ ଲୋକ ଆସିଯିବାରୁ ଆସାମୀମାନେ ଘଟଣା ସ୍ଥଳରୁ ପଳାଇଥିଲେ । ଗ୍ରାମବାସୀ ପୋଲିସ ଓ ଆମ୍ବୁଲାନ୍ସକୁ ଫୋନକରି ଡକାଇଥିଲେ । ଉଭୟ ପୋଲିସ ଓ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଂଚି ଆହତମାନଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ହେଲେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡାକ୍ତର ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦେଇଥିଲେ । କଟକ ବଡ଼ ଡାକ୍ତରଖାନାରେ ଡାକ୍ତର ଉପେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇ ଜଣ ସରୋଜ ଓ ସଂଯୁକ୍ତା ମୃତୁ୍ୟ ସହ ସଂଗ୍ରାମ କରୁଛନ୍ତି । ଏ ସଂକ୍ରାନ୍ତରେ ମୃତ ଉପେନ୍ଦ୍ରଙ୍କ ପତ୍ନୀ ସୁଷମା ଓଝା କେନ୍ଦ୍ରାପଡା ସଦର ଥାନାରେ ଏତଲା ଦେଇଛନ୍ତି । ସେହି ଏତଲାକୁ ଭିତିକରି ପୋଲିସ ଥାନା କେଶ ନଂ. ୭/୨୦୨୬ରେ ଭାରତୀୟ ନ୍ୟାୟ ସଂହିତାର ୧୦୩, ୨୯୬, ୩୨୪(୪), ୧୧୫(୨), ୧୧୮(୨), ୧୧୮(୧), ୩୫୧(୨), ୩(୫) ଦଫାରେ ମାମଲା ରୁଜୁ କରି ଆସାମୀ ଲିପୁନି ଓରଫ ଉମାକାନ୍ତ ଓଝା(୨୫) ଓ ପ୍ରଣତି ଓଝା(୪୮)ଙ୍କୁ କୋର୍ଟଚାଲାଣ କରିଥିବା ବେଳେ ରାଜକିଶୋର ଓଝାଙ୍କୁ ପଚରାଉଚରା ଜାରି ରଖିଥିବା ଥାନାଧିକାରୀ ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି ।
