ସାଲେପୁର,୨୯/୧୨/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା) ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣୀ, ନବ ଜାଗରଣର ବାର୍ତ୍ତାବହ,ବିଶିଷ୍ଟ ଐତିହାସିକ,ବିଶିଷ୍ଟ ସାମ୍ବାଦିକ ଦେଵାତ୍ମା ପ୍ୟାରୀ ମୋହନ ଆଚାର୍ୟ୍ୟଙ୍କ ସ୍ମୃତି ଉତ୍ସବ ସାଲେପୁର ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ସାହିତ୍ୟିକ ଡକ୍ଟର ପୂର୍ଣ୍ଣଚନ୍ଦ୍ର ଓଝା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ ।
ମାହାଙ୍ଗା ସାରସ୍ୱତ ସେବାମଞ୍ଚର ସଭାପତି ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶପ୍ରେମୀ ପ୍ୟାରୀ ମୋହନ ଆଚାର୍ୟ୍ୟଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ ।
ଉତ୍ସବରେ ମୁଖ୍ୟବକ୍ତା ଭାବେ ରାଜ୍ୟ ପ୍ରତିଭା ବିକାଶ ମଞ୍ଚ ସଭାପତି ଡକ୍ଟର ଯୁଧିଷ୍ଠିର ଖଟୁଆ ଯୋଗଦେଇଥିଲେ । ଏହି ସଭାରେ କବି ଶଶିଭୂଷଣ ମିଶ୍ର, ପ୍ରାଧ୍ୟାପକ ଡକ୍ଟର ନିଖିଳେଶ ପଦ ମହାନ୍ତି, ଶିକ୍ଷାବିତ ବିପିନ ବିହାରୀ କର, ସାହିତ୍ୟିକ ଅଖିଳେଶ ପଦ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍କଳ ଭୂମିରେ ନବଜାଗରଣର କ୍ରାନ୍ତିକାରୀ ସେନାପତି ଦେଵାତ୍ମା ପ୍ୟାରୀମୋହନଙ୍କ ତ୍ୟାଗ ଓ ସଂଘର୍ଷର ପଟ୍ଟାନ୍ତର ନାହିଁ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଇଞ୍ଜିନିଅର ଶରତ ଚନ୍ଦ୍ର ବସ୍ତିଆ, ସମାଜସେବୀ ହିମାଂଶୁ ଶେଖର ଦାଶ,କବି ପ୍ରଫୁଲ୍ଲ କୁମାର ସିଂ, କବି ରବେୟା ସରୋୱର,ଅଟଳ ସେନା ରାଜ୍ୟ ସଭାପତି ଦିବାକର ପ୍ରଧାନ,ପ୍ରବୀର ଚନ୍ଦ୍ର ଦାସ,ଦ୍ରୁପଦ କୁମାର ସ୍ୱାଇଁ, ମାନସ ରଞ୍ଜନ ଦାସ ଓ ନିରଞ୍ଜନ ଜେନା ପ୍ରମୁଖ ଦେଵାତ୍ମାଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ବହୁ ସାହିତ୍ୟିକ, ସାମ୍ବାଦିକ, ଅଧ୍ୟାପକ ଏବଂ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।
