କଟକ ସଦର,୨୮/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସରସ୍ୱତୀ କଳା ପରିଷଦର ତିନି ଦିନିଆ ୨୨ ତମ ରାଜ୍ୟ ସ୍ତରୀୟ ପ୍ରତିଭା ମହୋତ୍ସବ ଆଜି ରବିବାର ରାତିରେ ଉଦଯାପିତ ହୋଇଯାଇଛି। ଏଥିରେ ସଵ୍ ଜୁନିଅର, ଜୁନିଅର ଓ ସିନିୟର ବିଭାଗ ରେ ଅନୁଷ୍ଠିତ ନୃତ୍ୟ, ସଙ୍ଗୀତ, ଅଭିନୟ, ଚିତ୍ରାଙ୍କନ, ବକୃତା, ରଚନା ଲିଖନ ପ୍ରଭୃତିରେ ଭାଗନେଇ କୃତିତ୍ୱ ହାସଲ କରିଥିବା କୃତି ପ୍ରତିଯୋଗୀଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା।

ପ୍ରତ୍ୟେକ ଦିବସରେ ପରିଷଦର ସଭାପତି ରାଜ୍ୟ ମହିଳା କମିଶନ ସଦସ୍ୟା ପ୍ରତିଭା ଶତପଥୀ ଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ପରିଷଦର ପ୍ରତିଷ୍ଠାତା ସଂପାଦକ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ, ସଂଯୋଜକ ଇଂ ସେଵକ ଶ୍ରୀକାନ୍ତ,ସହ ସଂପାଦକ ପ୍ରଭାତ କୁମାର ମଲ୍ଲିକ ଙ୍କ ସମେତ ପରିଷଦ ପରିବାର ର ସମସ୍ତ ସଭ୍ୟ/ସଭ୍ୟା ସହାୟତା କରିଥିଲେ। ଉଦଯାପନ ସଂଧ୍ୟାରେ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ ଙ୍କ ରଚନା ଓ ନିର୍ଦ୍ଦେଶନା ରେ ମଞ୍ଚସ୍ଥ ନାଟକ ‘ ମୁଖା ପିନ୍ଧା ମଣିଷ’ ବେଶ୍ ଉପଭୋଗ୍ୟ ହୋଇଥିଲା।
