ପୂଜ୍ୟ ଅଟଳ ଶତାବ୍ଦୀର ଶତକଳ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ

ଅଟଳଜୀଙ୍କ ସ୍ମୃତିରେ ଶବ୍ଦ ଅର୍ଘ୍ୟ ଅର୍ପଣ କଲେ ୧୦୦ରୁ ଉର୍ଦ୍ଧ୍ୱ କବି

ଅଟଳଜୀଙ୍କ ଅମ୍ଳାନ ବ୍ୟକ୍ତିତ୍ବ ଆମ ସମସ୍ତଙ୍କ ପାଇଁ ଆଦର୍ଶ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର,୨୫/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସମାରୋହ ଓ ସୁଶାସନ ଦିବସ ଅବସରରେ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା ଏହି ରାଜ୍ୟ ସ୍ତରୀୟ କବିତା କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ୧୦୦ରୁ ଉର୍ଦ୍ଧ୍ୱ କବି ଅଂଶଗ୍ରହଣ କରି ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିଚାରଣ କରିଥିଲେ। “ପୂଜ୍ୟ ଅଟଳ ଶତାବ୍ଦୀର ଶତକଳ” ଶୀର୍ଷକରେ ଏହି ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଆଜିର କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଟଳ ବିହାରୀ ବାଜପେୟୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏଥିସହ ଅଟଳଜୀଙ୍କ ଅମର ଓ ଅମ୍ଳାନ କୀର୍ତ୍ତିକୁ ସ୍ମରଣ କରିଥିଲେ।

ନିଜର ଅଭିଭାଷଣରେ ସେ କହିଥିଲେ ଯେ, “ଅଟଳ ବିହାରୀ ବାଜପେୟୀ ହେଉଛନ୍ତି ତ୍ୟାଗ, ତିତିକ୍ଷା ଓ ବଳିଦାନର ମୂର୍ତ୍ତିମନ୍ତ ପ୍ରତୀକ। ତାଙ୍କ ସାରସ୍ୱତ ଚେତନା ଆମ ସମସ୍ତଙ୍କୁ ଆହ୍ଲାଦିତ କରେ। ସେହି ଅଜୟ, ଅଟଳ ଓ ଅମ୍ଳାନ ବ୍ୟକ୍ତିତ୍ବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଉପଲକ୍ଷେ ଆଜି ଓଡ଼ିଶାର ଶତାଧିକ କବି ଏକତ୍ରିତ ହୋଇ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଅଟଳଜୀଙ୍କ ଭାବନା, ଚେତନା, ଶବ୍ଦ ସଂରଚନା ଓ ସାହିତ୍ୟ ସର୍ଜନାରେ ଦର୍ଶନ ତତ୍ତ୍ୱ ଦେଖିବାକୁ ମିଳେ। ତାଙ୍କର ପ୍ରତ୍ୟେକ ସାରସ୍ୱତ କୃତିରେ ଉଭୟ ବିନମ୍ରତା ଓ ନିର୍ଭୀକତାର ଭାବନା ପ୍ରସ୍ଫୁଟିତ ହୋଇଥାଏ। ଅଟଳଜୀଙ୍କ ଅମର ବ୍ୟକ୍ତିତ୍ୱ ଆମ ସମସ୍ତଙ୍କ ପାଇଁ ଆଦର୍ଶ। ଅଟଳଜୀଙ୍କ ଆଦର୍ଶରେ ଆଜିର ଯୁବପିଢ଼ି ଅନୁପ୍ରାଣିତ ହୋଇ ଏକ ସଶକ୍ତ ରାଷ୍ଟ୍ର ନିର୍ମାଣରେ ନିଜର ଯୋଗଦାନ ଦେବେ ବୋଲି ମୁଁ ଆଶା କରୁଛି। “

ଆଜିର କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କବିମାନେ ଅଟଳଜୀଙ୍କୁ ସ୍ମରଣ କରି ନିଜର ଶବ୍ଦ ଅର୍ଘ୍ୟ ଅର୍ପଣ କରିଥିଲେ। ସମସ୍ତ କବିମାନଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଉପଢୌକନ, ମାନପତ୍ର ଓ ଅଟଳଜୀଙ୍କ ସ୍ମୃତି ସ୍ମାରକୀ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ବିଶିଷ୍ଟ ସାହିତ୍ୟିକ ତଥା ପ୍ରାବନ୍ଧିକ ଶ୍ରୀଯୁକ୍ତ ହରପ୍ରସାଦ ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼ା. ବିଜୟ କେତନ ଉପାଧ୍ୟାୟ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ପ୍ରମୁଖ ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

-0-

ଅମ୍ଳାନ ଦାସ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *