ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡକ୍ରସ୍ ବୈଠକ ଆୟୋଜିତ

ଯାଜପୁର, ୨୩/୧୨/୨୦୨୫ (ଓଡ଼ିଶା ସମାଚାର)- ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ରେଡକ୍ରସ ସୋସାଇଟି ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାୟକ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ଶିବାନନ୍ଦ ସ୍ୱାଇଁ, ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ମାଝୀ ଯୋଗ ଦେଇଥିଲେ। ପ୍ରାରମ୍ଭରେ ରେଡକ୍ରସ୍ ସୋସାଇଟିର ସେକ୍ରେଟାରୀ ତଥା ଜିଲ୍ଲାପାଳଙ୍କ ସ୍ଵତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀ କୁଳମଣି ନାୟକ ସ୍ବାଗତ ଭାଷଣ ଦେଇଥିଲେ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ। ବୈଠକର ଉଦ୍ଦେଶ୍ୟ ଅନୁଯାୟୀ ଯାଜପୁର ଜିଲ୍ଲାରେ ରେଡକ୍ରସ ପାଣ୍ଠି ଆଦାୟକୁ କିପରି ବୃଦ୍ଧି କରାଯାଇପାରିବ, ସେ ଉପରେ ଜିଲ୍ଲାପାଳ ଶ୍ରୀ କର ଗୁରୁତ୍ବ ଦେଇ ଉପସ୍ଥିତ ଅଧିକାରୀ ଏବଂ ସଦସ୍ୟମାନଙ୍କ ସହ ବିଶଦ ଭାବେ ଆଲୋଚନା କରିଥିଲେ। ସଭାରେ ୨୦୨୨ ରୁ ୨୦୨୫ ଆର୍ଥିକ ବର୍ଷ ମଧ୍ୟରେ ରେଡକ୍ରସ ପାଣ୍ଠିର ଆଦାୟ ଏବଂ ବ୍ୟୟ ଉପରେ ବିସ୍ତୃତ ଭାବେ ତଥ୍ୟ ଉପସ୍ଥାପନ କରାଯାଇଥିଲା।ଏହାସହ ୨୦୨୪-୨୫ ଆର୍ଥିକ ବର୍ଷ ଯାଏଁ ଏହାର ଅଡିଟ ଶେଷ ହୋଇଛି। ବିଶେଷ କରି ଡାକ୍ତରୀ ସହାୟତା, ରାସ୍ତା ଦୁର୍ଘଟଣା, ଶବ ସତ୍କାର, ଏଚଆଇଭି ରୋଗୀ, ଥଇଥାନ, ଯୁବପିଢିଙ୍କ ରେଡକ୍ରସ୍ ତାଲିମ ବାବଦକୁ ଅର୍ଥ ଖର୍ଚ୍ଚ ହୋଇଛି।

ୟୁଥ ରେଡ଼କ୍ରସ ବିଭାଗରେ ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ରେଡକ୍ରସ୍  ତାଲିମ, ରକ୍ତଦାନ ଶିବିର ଆୟୋଜନ, ବିପର୍ଯ୍ୟୟ ପରିଚାଳନା, ବୃକ୍ଷରୋପଣ, ବାରୁଣୀ ମେଳାରେ ରେଡକ୍ରସ ପକ୍ଷରୁ ସେବା, ଶିଶୁ ସୁରକ୍ଷା ସଚେତନତା ଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବିଦ୍ୟାଳୟ ସ୍ତରରେ ଜୁନିଅର ରେଡ଼କ୍ରସ ପକ୍ଷରୁ ଟ୍ରାଫିକ କ୍ଳବ୍ ମଧ୍ୟ ସୃଷ୍ଟି କରାଯାଇଛି। ଏନେଇ ଶିକ୍ଷା ବିଭାଗର ଅଧିକାରୀ ତଥ୍ୟ ଉପସ୍ଥାପନ କରିଥିଲେ। ସହରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସେବା ଯୋଗାଇବା ସହ ରେଡକ୍ରସ ଟିମକୁ ଅଧିକ ସକ୍ରିୟ କରିବା ପାଇଁ ଜିଲ୍ଲାପାଳ ଶ୍ରୀ କର ପରାମର୍ଶ ଦେଇଥିଲେ।

ଜିଲ୍ଲାରେ ଏଚଆଇଭି ଚିହ୍ନଟ ଏବଂ ସ୍କ୍ରିନିଂକୁ ବ୍ୟାପକ କରିବା ସହ ରେଡକ୍ରସ ପାଣ୍ଠିକୁ ବୃଦ୍ଧି କରିବା ଉପରେ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ। ଏହାସହ ରେଡକ୍ରସ ସମ୍ବନ୍ଧୀୟ ସୂଚନା ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ସଭାରେ କମିଟିର ସଦସ୍ୟ ଗଣ, ରେଡକ୍ରସ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଶିକ୍ଷା ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *