ଗରଦପୁର, ୨୨/୧୨/୨୦୨୫(ଓଡ଼ିଶା ସମାଚାର)-ଦପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ଆଜି କେନ୍ଦ୍ରାପଡ଼ା ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୋଟ୍ ୭୧ ଟି ଅଭିଯୋଗ ଦାଖଲ ହୋଇଥିବାବେଳେ ସେଗୁଡ଼ିକ ମଧ୍ୟରୁ ୬ ଟି ସାମୂହିକ ଅଭିଯୋଗ ଥିବାବେଳେ ୬୫ ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା । ଶିବିରରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର ଆୟାର ଅଧ୍ୟକ୍ଷତା କରି ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ । ଶିବିରରେ ଅତିରିକ୍ତ ଜିଲାପାଳ ନବକୃଷ୍ଣ ଜେନା, ପିଡ଼ି ଅଜାମ୍ବର ମହାନ୍ତି ,ଆଡ଼ିସନାଲ ଏସପି ସୁଧାକର ସାହୁ, ଏସଡ଼ିପିଓ ଜ୍ୟୋତିରଂଜନ ଗୌଡ଼ , ଉପଜିଲାପାଳ ଅରୁଣ କୁମାର ନାୟକ, ତହସିଲଦାର ତୃପ୍ତି ଦାସ, ବିଡ଼ିଓ ଆଲୋକ ରଂଜନ ସେଠୀ.ସିଡ଼ିଏମଓ ମନୋରଂଜନ ରାଉତ, ପାଟକୁରା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ନୀରଂଜନ କର ପ୍ରମୁଖ ଉପସ୍ଥିତ ରହି ଜିଲାପାଳ ଶ୍ରୀ ଆୟାରଙ୍କୁ ଶୁଣାଣି ରେ ସହାୟତା କରିଥିଲେ ।
ତେବେ ଡ଼ାହାଳପୁର ଗ୍ରାମର ବିଜୟ କୁମାର ମାହାଳି ଅଭିଯୋଗ କରିଥିଲେ ଯେ ତାଙ୍କର ୧୧୯ ନମ୍ବର ଖାତାରେ ୨ ଟି ପ୍ଲଟ ଅଛି । ୪୦୫୪ ପ୍ଲଟ ରେ ୩୭ ଡ଼ିସିମିଲି ଜମି ରହିଥିବାବେଳେ ୪୦୮୩ ପ୍ଲଟରେ ୨୫ ଡ଼ିସିମିଲି ରହିଛି । କିନ୍ତୁ ଗରଦପୁର ର ପୂର୍ବତନ ତହସିଲଦାର ଏହି ୨ ଟି ପ୍ଲଟ ରୁ ଯଥାକ୍ରମେ ୯ ଡ଼ିସିମିଲ ଓ ୪ ଡ଼ିସିମିଲ ଏହିପରି ମୋଟ ୧୩ ଡ଼ିସିମିଲ ଜମି ଅନ୍ୟ ଜଣକ ନାମରେ ପଟ୍ଟା କରିଦେଇଛନ୍ତି । ଏହା ଜଣାପଡ଼ିବା ପରେ ଜମି ମାଲିକ ବିଜୟ କୁମାର ମାହାଳି ମିସ୍ କେଶ ନଂ ୧୬/୨୧ ରେ ସଂଶୋଧନ କରିବା ପାଇଁ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଅପିଲ କରିଛନ୍ତି । କିନ୍ତୁ ଆଜି ସୁଦ୍ଧା ଏହାର ଶୁଣାଣି ହୋଇନଥିବାରୁ ଶ୍ରୀ ମାହାଳି କ୍ଷୋଭର ସହ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହୁରାସାହି ଗ୍ରାମର ଜିତେନ୍ଦ୍ର କୁମାର ରାଉତରାୟ ଅଭିଯୋଗ କରି ଗ୍ରାମର ହରିଜନ ସାହି ଠାରୁ ବଳରାମ ଜେନାଙ୍କ ଘର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି ।ଅଧିକନ୍ତୁ ମାର୍ଶାଘାଇ ବ୍ଲକ୍ ମେହେନ୍ଦିନଗର ପଂଚାୟତର ରଘୁନାଥପୁର ଗ୍ରାମର ୨୬ ଜଣ ମହିଳା ଅମ୍ବରିଶ ପରିଡ଼ା ଙ୍କ ନେତୃତ୍ୱରେ ଶିବିରରେ ପହଂଚି ଗ୍ରାମର କୁମ୍ଭାରସାହି ର ମାତ୍ର ୧୫୦ ମିଟର ରାସ୍ତା କର୍ଦ୍ଧମାକ୍ତ ହେଉଥିବାରୁ ଏହାକୁ କଙ୍କି୍ରଟ ରାସ୍ତା କରିବା ପାଇଁ ଜିଲାପାଳ ଶ୍ରୀ ଆୟାରଙ୍କୁ ଗୁହାରୀ କରିଥିଲେ ।
ହରିଦାସପୁର ଗ୍ରାମର ବାବୁଲି ବେହେରା ଓ ଗ୍ରାମର ୧୫ ଜଣ ମିଳିତ ଭାବେ ଗ୍ରାମର ହରିଜନ ସାହି ଓ ଗୋପାଳ ସାହିକୁ ରାସ୍ତା ଓ ପାନୀୟ ଜଳ ପାଇଁ ନଳକୂପ ଯୋଗାଇ ଦେବାକୁ ଦାବି କରିଥିଲେ । ବେଡ଼ାରୀ ଗ୍ରାମର ଶତପ୍ରତିଶତ ଭିନ୍ନକ୍ଷମ ଶୁସାନ୍ତ ବେହେରା ଅଭିଯୋଗ କରିଥିଲେ ଯେ ଆବାସ ଘର ପାଇଁ ତଦନ୍ତ ଯାଇଥିଲେ ମଧ୍ୟ ଚଂଚକତା କରାଯାଇ ତାଙ୍କ ଘର ପରିବର୍ତେ ଅନ୍ୟ ଜଣକ ଘରକୁ ତଦନ୍ତ କରାଯାଇଥିବା ସେ ଅଭିଯୋଗ କରିଥିଲେ । ଅର୍ଜୁନପୁର ଦେଇ ଯାରଇଥିବା ଆରଡ଼ି ରାସ୍ତା କାମ ଯୋଗୁ ବସୁଧା ଯୋଜନାରେ ମାଟି ତଳେ ଥିବା ପାଣି ପାଇପ୍ ଦୀର୍ଘ ୬ ମାସ ହେଲା ବିଭିନ୍ନ ସ୍ଥାନରେ ଫୁଟି ଯାଇଛି । ପାଣି ସବୁ ବାହାରି ନଷ୍ଟ ହୋଇ ଯାଉଛି । ଗ୍ରାମବାସୀ ପାନୀୟ ଜଳ ପାଇବାରୁ ଶତାଧିକ ପରିବାର ବଂଚିତ ହେଉଛନ୍ତି । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ର ନିର୍ବାହୀ ଯନ୍ତ୍ରୀ ଗତ ୩ ନଭେମ୍ବର ରେ ଜିଲାପାଳଙ୍କୁ ଲିଖିତ ପ୍ରତିଶୃତି ଦେଇ କାମ କରିଦେବାକୁ କହିଥିଲେ । କିନ୍ତୁ ଆଜି ସୁଦ୍ଧା କିଛଇ ବି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଯୋଗୁ ଅର୍ଜୁନପୁର ଗ୍ରାମର କାନ୍ଦି ଚରଣ ସାହୁ ଓ ଗ୍ରାମବାସୀ ଜିଲାପାଳଙ୍କୁ ଗୁହାରୀ କରିଥିଲେ । ବେଢ଼ୁଆଁ ଗ୍ରାମର ନୃସିଂହ ଦାସ ଦୀର୍ଘ ଦିନ ଧରି ଅପିଲ କରିଥିଲେ ମଧ୍ୟ ମାର୍ଶାଘାଇ ତହସିଲ ପକ୍ଷରୁ ତାଙ୍କ ଘର ବାଡ଼ି ଚିହ୍ନଟ ହେଉନାହିଁ ବୋଲି ସେ ଅଭିଯୋଗ କରିଥିଲେ ।
ଅଧିକନ୍ତୁ ପାଟକୁରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଅଭିଯୋଗ କରିଥିଲେ ଯେ ନିର୍ଦ୍ଧାରିତ ସମୟ ମଧ୍ୟରେ ଗରଦପୁର ବ୍ଲକ୍ ପକ୍ଷରୁ ଏଷ୍ଟିମେଟ କରାଯାଇ ପ୍ଲାନିଙ୍ଗ ବିଭାଗରେ ନପହଂଚିବାରୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗୃହ ନିର୍ମାଣ ପାଇଁ କେନ୍ଦ୍ରାପଡ଼ା ସାଂସଦ ପାଂଠିରୁ ମିଳିଥିବା ୧୦ ଲକ୍ଷ ଟଙ୍କା ଫେରିଯାଇଛି । ଜିଲାପାଳଙ୍କୁ ଏହା ଜଣାଇବା ପରେ ପ୍ରକଳ୍ପ ମଂଜୁର ପାଇଁ ପ୍ଲାନିଙ୍ଗ ବିଭାଗକୁ ଜିଲାପାଳ ଆଜି ପଠାଇଛନ୍ତି । ଚାଉଳିଆ ବାମରା ରାସ୍ତା ପାଶ୍ୱର୍ରେ ଗ୍ରାମବାସୀମାନେ ଦୀର୍ଘ ବର୍ଷରୁ ଏକ ହନୁମାନ ମୂର୍ତି ନିର୍ମାଣ କରି ପୂଜାର୍ଚ୍ଚନା କରି ଆସୁଛନ୍ତି । ସେଠାରେ ଥିବା ସରକାରୀ ଜମିକୁ ଗ୍ରାମର ଜଣେ ଲୋକ ଚଂଚକତା କରି ଗରଦପୁର ତହସିଲ ରୁ ୧୦୦ ବର୍ଷ ପାଇଁ ଲିଜ ନେବାର ଯୋଜନା କରୁଛନ୍ତି । ଏକଥା ଜଣାପଡ଼ିବା ପରେ ଗ୍ରାମର ୩୦ ରୁ ଉଦ୍ଧ୍ୱର୍ ଗ୍ରାମବାସୀ ଜିଲାପାଳଙ୍କ ଜନ ଶୁଣାଣି ଶିବରରେ ପହଂଚି ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଜନ ଶୁଣାଣି ଶିବିର ରେ ଳାଇନ୍ ଡ଼ିପାର୍ଟମେଂଟର ବିଭିନ ଅଧିକାରୀ ଯୋଗ ଦେଇଥିଲେ ।
