ବୋଲେରୋ, ମଟରସାଇକେଲ, ମୋବାଇଲ, ଖଣ୍ଡା ଓ କଟୁରି ଜବତ
କଟକ, ୨୦/୧୧/୨୦୨୫(ଓଡ଼ିଶା ସମାଚାର)- ଡକାୟତି ପାଇଁ ଯୋଜନା କରୁଥିବା ଘଟଣାରେ ମଧୁପାଟଣା ଥାନା ପୋଲିସ ୩ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ, ଜଗତସିଂହପୁର ଜିଲା କି୍ରଷ୍ଣାନନ୍ଦପୁର ଥାନା ଅନ୍ତର୍ଗତ ବାରେଘର ଗ୍ରାମର ନୁର ମହମ୍ମଦ (୨୫), କି୍ରଷ୍ଣାନନ୍ଦପୁର ଥାନା ଅନ୍ତର୍ଗତ ବିସନପୁର ଗ୍ରାମର ସେକ ଫଜଲ ହକ୍ (୨୨) ଓ କ୍ରିଷ୍ଣାନନ୍ଦପୁର ଥାନା ଅନ୍ତର୍ଗତ କାଜି ମହଲା ର ସେକ ସାଜିଦ ଅଲ୍ଲି (୩୦) । ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ଗୋଟିଏ ଧଳା ରଂଗର ମହେନ୍ଦ୍ରା ବୋଲେରୋ ଗାଡ଼ି (ଓଆର୧୧ଜେ ୬୬୬୫), ଗୋଟିଏ ଟିଭିଏସ ଆପାଚୀ, ଗୋଟିଏ ଲୁହା କଟୁରୀ, ଗୋଟିଏ ଖଣ୍ଡା ଓ ୩ଟି ମୋବାଇଲ ଫୋନ ଜବତ କରିଛି ।
ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ପୋଲିସ ସୂଚନା ମୁତାବକ, ଗତ ନଭେମ୍ବର ୧୯ ତାରିଖ ରାତିରେ ମଧୁପାଟଣା ଥାନାର ଏଏସଆଇ ଅଭିରାମ ସେଠୀ ଓ ଅନ୍ୟ କର୍ମଚାରୀମାନେ ରାତି୍ର ପେଟ୍ରୋଲିଂ ଡୁ୍ୟଟି କରୁଥିଲେ । ରାତି ପ୍ରାୟ ୨ ଟା ସମୟରେ ପେଟ୍ରୋଲିଂ ଦଳ ୫ ଜଣ ଯୁବକଙ୍କୁ ଏକ ମୋଟରସାଇକେଲ ସହିତ ପାର୍କିଂ ହୋଇଥିବା ଏକ ବୋଲେରୋ ଗାଡ଼ି ପାଖରେ ଠିଆ ହୋଇଥିବାର ଦେଖିବାକୁ ପାଇଥିଲେ । ପୋଲିସ ଗାଡ଼ି ଦେଖି ସେମାନଙ୍କ ମଧ୍ୟରୁ ୨ ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ପୋଲିସ ଅନ୍ୟ ୩ ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା ଓ ସେମାନଙ୍କୁ ପଚରା ଉଚରା କରିଥିଲା । ପଚରା ଉଚରା ବେଳେ ଅଭିଯୁକ୍ତମାନେ ସ୍ୱୀକାର କରିଥିଲେ ଯେ, ସେମାନେ ଅନ୍ୟ ୨ ସହଯୋଗୀଙ୍କ ସହିତ ସ୍ଥାନୀୟ ଅନ୍ଦରପୁର ନିକଟସ୍ଥ ତାଳଦଣ୍ଡା କେନାଲ ରୋଡ଼ରେ ଏକତି୍ରତ ହୋଇଥିଲେ ଏବଂ ଏକ ମନୋନୀତ ଟାର୍ଗେଟରେ ଡକାୟତି କରିବାକୁ ପ୍ରସ୍ତୁତ ହେଉଥିଲେ । ଏହି ଘଟଣାରେ ପୋଲିସ ୩ ଅଭିଯୁକ୍ତ ନୁର ମହମ୍ମଦ, ସେକ ହଜଲହକ ଓ ସେକ ସାଜିଦ ଅଲ୍ଲିକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
