ଜିଲା ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଉଦଘାଟିତ

କେନ୍ଦ୍ରାପଡ଼ା,୨୨/୧୨/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ହାଇସ୍କୁଲ ଖେଳ ପଡିଆରେ ଜିଲାସ୍ତରୀୟ ସାଂସଦ ଖେଳ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଖେଳ ମହୋତ୍ସବ ସଂଯୋଜକ ତଥା ଜିଲା ବିଜେପି ସଭାପତି ଶଶାଙ୍କ ସେଠୀ, ଜିଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ, ଜିଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

କ୍ରୀଡା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିବା ସହିତ ଏହାକୁ କ୍ୟାରିୟାର କରିବାକୁ ବକ୍ତାମାନେ ମତ ଦେଇଥିଲେ । ଏହା ସହିତ ଖେଳୁଆଡ଼ ମନୋବୃତି ଆପଣାଇ ସଫଳତା ହାସଲ କରିବାକୁ ପରାମର୍ଶ ଦେଇଥିଲେ । କ୍ରୀଡାର ବିକାଶ ନିମନ୍ତେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ବିଭିନ୍ନ ସହାୟତା କରୁଛନ୍ତି । ସେଥିପାଇଁ ବର୍ତମାନ କ୍ରୀଡା କ୍ଷେତ୍ରରେ ନିଜକୁ ଶ୍ରେଷ୍ଠ କ୍ରୀଡ଼ାବିତ କରିବାରେ ବହୁତ ସୁଯୋଗ ରହିଛି । ଏଥିପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଛି ।

ଏହି ମହୋତ୍ସବରେ କେନ୍ଦ୍ରାପଡ଼ା ଲୋକସେବା ଅଧୀନ ୭ଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜକନିକା, ଆଳି, ପଟ୍ଟାମୁଣ୍ଡାଇ, ରାଜନଗର, ମହାକାଳପଡ଼ା, ମାର୍ଶାଘାଇ, ଗରଦପୁର, ଡେରାବିଶ, କେନ୍ଦ୍ରାପଡ଼ା, ମାହାଙ୍ଗା, ସାଲେପୁର, ନିଶ୍ଚିନ୍ତକୋଇଲି ଏବଂ ଟାଙ୍ଗୀ ବ୍ଲକ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ୨ ହଜାରରୁ ଅଧିକ ଖେଳାଳୀ ମାନେ ଅଂଶଗ୍ରହଣ କରିଛନ୍ତି । ଆଜି ବ୍ୟକ୍ତିଗତ ଇଭେଂଟ ପ୍ରତିଯୋଗିତା ଆୟୋଜିତ ହୋଇଛି । ଆସନ୍ତା କାଲି ଦଳୀୟ କ୍ରୀଡା ପ୍ରତିଯୋଗିତା ମାନ ଆୟୋଜିତ ହେବ । ପ୍ରତିଯୋଗିତାମାନ ଆୟୋଜନ ନିମନ୍ତେ ସମସ୍ତ କ୍ରୀଡା ଶିକ୍ଷକ ମାନେ ସହଯୋଗ କରିଥିଲେ । ଏହା ଆସନ୍ତା ୨୫ତାରିଖରେ ଉଦଯାପିତ ହେବ । ସୂଚନା ଯୋଗ୍ୟ ଯେ ଉଦଯାପନୀ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଯୋଗଦେବେ ।

Leave a Reply

Your email address will not be published. Required fields are marked *