ସହଜ ହେବ ୧୨୦ ନାଗରିକ ସେବା – ଗୋଟିଏ କ୍ଲିକ୍ ରେ ମିଳିବ ୧୩୨ ପ୍ରକାର ସୁବିଧା – ୯୪୩୭୨୯୨୦୦୦ ନମ୍ବର – ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ
ଭୁବନେଶ୍ୱର,୨୭/୦୯/୨୦୨୫ (ଓଡ଼ିଶା ସମାଚାର)- ବିଶ୍ୱସ୍ତରୀୟ ପ୍ରଯୁକ୍ତି ବିଦ୍ୟା କମ୍ପାନୀ ‘ମେଟା’ ସହିତ ସହଭାଗିତାରେ ଓଡ଼ିଶା ସରକାର ଶୁକ୍ରବାର ‘ଆମସାଥୀ’ ନାମକ ଏକୀକୃତ ହ୍ୱାଟସ୍ ଆପ୍ ବଟ୍ ର ଶୁଭାରମ୍ଭ କରିଛନ୍ତି । ଏହା ମାଧ୍ୟମରେ ସମଗ୍ର ରାଜ୍ୟର ୪ କୋଟି ୫୦ ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ୧୨୦ଟି ନାଗରିକ ସେବା ସହଜ ହେବ । ଓଡ଼ିଶା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଉପସ୍ଥିତିରେ ଏହି ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । ଏହି ପଦକ୍ଷେପ ଗୁରୁତ୍ୱୂର୍ଣ୍ଣ ତଥା କଷ୍ଟକର ହେଉଥିବା ସରକାରୀ ସେବା ପ୍ରଦାନକୁ ସହଜରେ ପହଂଚାଇବାରେ ଏକ ମହତ୍ୱୂର୍ଣ୍ଣ ପଦକ୍ଷେପ ହୋଇଛି । ଏହା ମାଧ୍ୟମରେ ନାଗରିକମାନେ ଜନ୍ମ ଏବଂ ଆୟ ପ୍ରମାଣପତ୍ର ପାଇବା, ଡ୍ରାଇଭିଙ୍ଗ୍ ଏବଂ ସାର ଲାଇସେନ୍ସ ପାଇଁ ଆବେଦନ ସହିତ ‘ଜାତୀୟ ପରିବାର କଲ୍ୟାଣ ଯୋଜନା’ ପରି ସୁବିଧା , ସବୁକିଛି ଏକୀକୃତ ହ୍ୱାଟସ୍ ଆପ୍ ନମ୍ବର ମାଧ୍ୟମରେ ପାଇପାରିବେ । ଏହା ସହିତ ଓଡ଼ିଶା ଲୋକସେବା ଅଧିକାର ଅଧିନିୟମର କେନ୍ଦ୍ରୀୟତଦାରଖ ବ୍ୟବସ୍ଥା ୨.୦ ( ସିଏମଏସ୍) କୁ ମଧ୍ୟ ମୁଖ୍ୟ ଶାସନ ସଚିବ ଶୁଭାରମ୍ଭ କରିଛନ୍ତି ।
‘ଆମସାଥୀ’ ସହାୟକ ହ୍ୱାଟ୍ସ ଆପ୍ ଚାଟ୍ ବଟ୍ ନମ୍ବର ୯୪୩୭୨୯୨୦୦୦ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ । କଣ୍ଠସ୍ୱର (ଭଏସ୍) ମାଧ୍ୟମରେ ମଧ୍ୟ ସେବା ପ୍ରଦାନ କ୍ଷମତା ରଖୁଥିବା ଏହା ଏକ ଡିଜିଟାଲ୍ ସହାୟକ ଭାବରେ ଡିଜାଇନ୍ କରାଯାଇଛି, ଯାହା ନାଗରିକମାନଙ୍କୁ ବିଭିନ୍ନ ଅତ୍ୟାବଶ୍ୟକ ସରକାରୀ ସେବା ପାଇବାରେ ସହଜ ହେବ । ଏହା ମାଧ୍ୟମରେ ଲୋକମାନେ ସୁବିଧାରେ ଅଭିଯୋଗ ଦାଖଲ କରିବା ସହିତ ତାହାର ସ୍ଥିତି ଅନୁସରଣ କରି ପାରିବେ । ଗୃହ ଏବଂ ସହରାଂଚଳ ବିକାଶ ସମ୍ବନ୍ଧୀୟ ସେବା, ସାଧାରଣ ପ୍ରଶାସନ ସେବା ସହିତ ସିଧାସଳଖ ବାର୍ତାଳାପ, ଶିକ୍ଷା, କୃଷି ଏବଂ ଉଦ୍ୟାନକୃଷି ସମ୍ବନ୍ଧୀୟ ସୂଚନା ଓ ସହାୟତା ଏହି ମାଧ୍ୟମରେ ମିଳି ପାରିବ । ଏହି ବ୍ୟବସ୍ଥା ମାଧ୍ୟମରେ ମଧ୍ୟ ଓଡ଼ିଶାର ନାଗରିକମାନେ ପୁଲିସ୍ ସହିତ ସଂଯୁକ୍ତ ସେବା, ଜମିର ରେକର୍ଡ ଏବଂ ରାଜସ୍ୱ ସମ୍ବନ୍ଧୀୟ ସୂଚନା ଯାଂଚ କରିବା ସହିତ ଆବଶ୍ୟକ ସହାୟତା ସୁବିଧାରେ ଉପଲବ୍ଧ କରି ପାରିବେ । ପ୍ରୋତ୍ସାହନ ଯୋଜନାଗୁଡ଼ିକ ଯଥା ଜାତୀୟ ପରିବାର ଲାଭ ଯୋଜନା, ଆନ୍ତଃ-ଜାତି ବିବାହ ସହାୟତା ଇତ୍ୟାଦି ସହାୟତା ସହଜରେ ଉପଲବ୍ଧ ହେବ ।
ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଧେଶକ ଜି. ମାଥିଭାଥାନନ୍, ଶିଳ୍ପ ଓ ସୂଚନା ଏବଂ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ ଏବଂ ସୂଚନା ପ୍ରଯୁକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ, ଗୃହ ଓ ନଗର ଉନ୍ନୟନ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଊଷା ପାଢ଼ୀ, ପୂର୍ବତନ ସୂଚନା ଆୟୁକ୍ତ ଏବଂ ସିୱାଇଏସଡିର ପରାମର୍ଶଦାତା ଜଗଦାନନ୍ଦଙ୍କ ସମେତ ରାଜ୍ୟ ସରକାରଙ୍କ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ “ଓଡ଼ିଶା ସରକାର ସାର୍ବଜନୀନ ସେବାକୁ ସହଜ, ସୁନିଶ୍ଚିତ ଭାବେ ପ୍ରଦାନ କରିବାକୁ ପ୍ରତିବଦ୍ଧ । ସୁବିଧାରେ ସେବା ପାଇପାରୁନଥିବା ପ୍ରତ୍ୟେକ ନାଗରିକକୁ ଏହି ବ୍ୟବସ୍ଥା ସହଜରେ ସେବା ପାଇବାର ଅନୁଭୂତି ଆଣିଦେବ ।
ଟେକ୍ନୋଲୋଜି ଏବଂ ପ୍ରଶିକ୍ଷଣରେ ନିବେଶ ପୂର୍ବକ ପ୍ରଶାସନିକ ବାଧାକୁ ଦୂରକରି ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ସହଜ ଓ ଉନ୍ନତ କରାଯାଉଛି । ଆଜି ମେଟା ସହ ସହଭାଗିତାରେ ‘ଆମସାଥୀ’ର ଶୁଭାରମ୍ଭ, ଓଡ଼ିଶା ଶାସନରେ ପ୍ରକୃତ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ କରିବାରେ ଏକ ପରିବର୍ତନଶୀଳ ପଦକ୍ଷେପ ହୋଇଛି । ଦୀର୍ଘଦିନ ପର୍ଯ୍ୟନ୍ତ, ସାର୍ବଜନୀନ ସେବା ପୃଥକ୍ ପୃଥକ୍ ଭାବେ ଉପଲବ୍ଧ ହେଉଥିଲା ଏବଂ ଉପଲବ୍ଧତା କଠିନ ଥିଲା । ଏହି ଏକୀକୃତ ହ୍ୱାଟସ୍ ଆପ୍ ପ୍ଲାଟଫର୍ମ ପ୍ରକ୍ରିୟାଗୁଡ଼ିକୁ ସହଜ କରିବ, ରହୁଥିବା ବାଧାକୁ ହଟାଇବା ସେଙ୍ଗ ସେଙ୍ଗ ପ୍ରତ୍ୟେକ ନାଗରିକଙ୍କୁ, ସହରରୁ ରାଜ୍ୟର ସବୁଠୁ ଦୂରରେ ଥିବା ଲୋକମାନଙ୍କ ପର୍ଯ୍ୟନ୍ତ ଆବଶ୍ୟକ ସେବା ସୁବିଧାଜନକ ଓ ସହଜ ଭାବେ ପ୍ରଦାନ କରିବାରେ ସାହାଯ୍ୟ କରିବ । ଏହି ପଦକ୍ଷେପ ଟେକ୍ନୋଲୋଜିକୁ ଓଡ଼ିଶାର ସ୍ୱଚ୍ଛ, ଦାୟିତ୍ୱୂର୍ଣ୍ଣ ଏବଂ ସମାବେଶୀ ଶାସନ ପରିଚାଳନା ପାଇଁ ବ୍ୟବହାର କରିବା ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି, ଯାହା ଫଳରେ ସର୍ବଜନୀନ ସେବା ପ୍ରଦାନ କେବଳ ଏକ କାର୍ଯ୍ୟ ନୁହେଁ, ଏହା ସମସ୍ତଙ୍କ ପାଇଁ ଯେପରି ସୁବିଧାଜନକ ଅନୁଭୂତି ହେବ, ତାହାକୁ ନିଶ୍ଚିତ କରୁଛି ବୋଲି ସେ କହିଥିଲେ । ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ କହିଲେ ଯେ ସମୟୋଚିତ ଭାବରେ ସାର୍ବଜନୀନ ସେବା ନାଗରିକଙ୍କ ପାଖରେ ପହଂଚାଇ ସେମାନଙ୍କୁ ସଶକ୍ତ କରିବାରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ରହିଛି ।
କେନ୍ଦ୍ରୀୟ ତଦାରଖ ବ୍ୟବସ୍ଥା ଜରିଆରେ ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ ଅନ୍ତର୍ଭୁକ୍ତ ସେବା ପ୍ରଦାନର ଉତରଦାୟିତ୍ୱକୁ ସୁନିଶ୍ଚିତ କରାଯାଇପାରିବ ବୋଲି ସେ ପ୍ରକାଶ କରିଥିଲେ । ଜନସାଧାରଣ ଏକତ୍ରୀକୃତ ହ୍ୱାଟସ୍ ଆପ୍ ବଟ୍ ମାଧ୍ୟମରେ ସେବା ସହଜରେ ପ୍ରାପ୍ତ କରିପାରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର କହିଲେ ଯେ, ସେବା ପ୍ରଦାନରେ ସୁବିଧାକୁ ନିଶ୍ଚିତ କରିବା ପାଇଁ ଶାସନ ପରିଚାଳନା ପ୍ରକ୍ରିୟାରେ ସଂସ୍କାରର ଆବଶ୍ୟକତା ରହିଛି । ପ୍ରକ୍ରିୟାଗୁଡ଼ିକୁ ସରଳ କରିବାକୁ ଗୁରୁତ୍ୱ ଦେବା ଏବଂ ସେବାଗୁଡ଼ିକୁ ଅଧିକ ସହଜଲବ୍ଧ କରିବାରେ ଟେକ୍ନୋଲୋଜିର ସକାରାତ୍ମକ ଭୂମିକା ଅତି ଗୁରୁତ୍ୱୂର୍ଣ୍ଣ । ସିଏମଜିଆଇର କାର୍ଯ୍ୟନିର୍ବାହୀ ନିର୍ଦେଶକ ବିନୀତ ଭରଦ୍ୱାଜ କହିଲେ, ସାର୍ବଜନୀନ ସେବା ପ୍ରାପ୍ତିର ସୁବିଧା ଦେବା, ଓଡ଼ିଶାରେ ଏ ପର୍ଯ୍ୟନ୍ତ ଏକ ଆହ୍ୱାନ ରହିଛି । ବର୍ତମାନ, ଓଡ଼ିଶାରେ କୌଣସି ସର୍ବଜନୀନ ସେବା ପ୍ରାପ୍ତି ପାଇଁ ଚାରିଟି ମାଧ୍ୟମ ଅଛି । ଯଥା ସମ୍ପର୍କିତ କାର୍ଯ୍ୟାଳୟକୁ ନିଜେ ଯିବା, ସମ୍ବନ୍ଧିତ ୱେବ୍ ପୋର୍ଟାଲ୍ କୁ ଆକ୍ସେସ୍ କରିବା, ସେହି ସେବାର ନିର୍ଦ୍ଧିଷ୍ଟ ମୋବାଇଲ୍ ଆପ୍ ମାଧ୍ୟମରେ ଆକ୍ସେସ୍ କରିବା, କିମ୍ବା ସହାୟତା ସେବା ମାଧ୍ୟମରେ ସେବା ପ୍ରାପ୍ତ କରିବା ।
ସର୍ବଜନୀନ ସେବା ପ୍ରଦାନକୁ ଅଧିକ ଉପଯୋଗୀ ଏବଂ ସୁଲଭ ଭାବରେ ପ୍ରଦାନ କରିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି, ଆମେ ବିଶ୍ୱାସ କରୁଛୁ ଯେ ହ୍ୱାଟସ୍ ଆପ୍ ମାଧ୍ୟମରେ ନାଗରିକମାନେ ଏକ ଏକମାତ୍ର ନମ୍ବର ମାଧ୍ୟମରେ ଆବଶ୍ୟକ ସେବା ସୁବିଧା ସହଜରେ ପ୍ରାପ୍ତ କରିାରିବେ । ମେଟା, ଭାରତର ପରିଚାଳନା ନିର୍ଦ୍ଧେଶକ ତଥା ଦେଶ ମୁଖ୍ୟ ଅରୁଣ ଶ୍ରୀନିବାସ କହିଲେ ଯେ ମେଟା ସହ ଓଡ଼ିଶା ସରକାରଙ୍କ ‘ଆମସାଥୀ’ ଶୁଭାରମ୍ଭରେ ସହଭାଗିତା ହେବା ପାଇଁ ଆମେ ଗର୍ବିତ । ଏହି ଉଦ୍ଘାଟନ, ହ୍ୱାଟସ୍ ଆପ୍ ଶକ୍ତିକୁ ଉପଯୋଗ କରି ନାଗରିକମାନଙ୍କ ପାଇଁ ସର୍ବଜନୀନ ସେବାଗୁଡ଼ିକୁ ସହଜ ଓ ସୁଲଭ କରିଛି । ମେଟା, ଇଣ୍ଡିଆର ବିଜନେସ୍ ମେସେଜିଂ ଡାଇରେକ୍ଟର୍ ରବି ଗର୍ଗ କହିଲେ, ବନ୍ଧୁ ଓ ପରିବାର ପାଇଁ ଟିକେଟ୍ ବୁକିଙ୍ଗ ଠାରୁ ବିଲ୍ ଦେବା ଏବଂ ସାର୍ବଜନୀନ ସେବା ପ୍ରାପ୍ତି ପର୍ଯ୍ୟନ୍ତ, ହ୍ୱାଟସ୍ ଆପ୍ ର ସହଜତା ଏବଂ ସରଳତା ଏହାକୁ ଲୋକଙ୍କ ପାଇଁ ପସନ୍ଦର ବିକଳ୍ପ କରିଛି । ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ଶାସନ ସଚିବ ଦେବବ୍ରତ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଶାସନ ସଚିବଙ୍କ ଅନୁ ସଚିବ ଅଂଶୁମାନ ରଥ ଏବଂ ସିଏମଜିଆର ପ୍ରକଳ୍ପ ସଂଯୋଜକ ପିନାକୀ ମହାନ୍ତି ପ୍ରମଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
