ଓଡ଼ିଶା ଉଠାଜଳସେଚନ ନିଗମର ୫୨ତମ ପ୍ରତିଷ୍ଠା ଦିବସ ପାଳିତ

ଅନଲାଇନ୍ ପୋର୍ଟାଲ ଏବଂ ଇ-ସର୍ଭିସ ବୁକ୍ ର ଶୁଭାରମ୍ଭ

ଜଳସେଚନ ସାମର୍ଥ୍ୟ  ବୃଦ୍ଧି ପାଇଁ ପାଣି  ପଞ୍ଚାୟତଗୁଡ଼ିକର  ଭୂମିକା  ଗୁରୁତ୍ୱପୂର୍ଣ୍ଣ    -ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୦୧/୧୦/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଚାଷୀମାନଙ୍କ ପାଇଁ ପାଣି ହେଉଛି ପ୍ରମୁଖ ଆବଶ୍ୟକତା। ଯେଉଁ ରାଜ୍ୟମାନେ କୃଷିରେ ଭଲ ପ୍ରଦର୍ଶନ କରିଛନ୍ତି, ସେମାନେ ଜଳସେଚନ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶା ଉଠା ଜଳସେଚନ ନିଗମ(ଓଏଲଆଇସି)ଜରିଆରେ ଓଡ଼ିଶା ରାଜ୍ୟ ସରକାର ଗଭୀର ନଳକୂପ ଓ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ଆଦି ବିଭିନ୍ନ ପ୍ରକଳ୍ପ ଜରିଆରେ ଜଳସେଚନ ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି,ତାହାକୁ ହାସଲ କରିବାରେ ଓଏଲଆଇସିର  ଉଦ୍ୟମ ପ୍ରଶଂନୀୟ ରହିଛି ଓ ଏହି ପ୍ରୟାସ  ଜାରି ରଖିବାକୁ ଆଜି ଓଏଲଆଇସିର ୫୨ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ମୁଖ୍ୟଅତିଥିଭାବେ ଯୋଗଦେଇ ମୁଖ୍ୟଶାସନସଚିବ ଶ୍ରୀ ମନୋଜ ଆହୁଜା ପ୍ରକାଶ କରିଛନ୍ତି ।

          ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ଅନୁଷ୍ଠିତ ନିଗମର ପ୍ରତିଷ୍ଠା ଦିବସ ପାଳନ ଅବସରରେ ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଥିଲେ ଯେ,  ଓଏଲଆଇସି ଜରିଆରେ ଜଳସେଚନ ବୃଦ୍ଧି ପାଇଁ ପାଣି ପଂଚାୟତ ଓ ଏଥି ସହିତ  ଜଡିତ ଚାଷୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ଚାଷୀ ମାନଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି । ନୂଆ ନୂଆ ଜ୍ଞାନ କୌଶଳର ଉପଯୋଗ କୃଷିର ଅଭିବୃଦ୍ଧିରେ ସହାୟକ ହେଉଛି। ଡିଜିଟାଲ ମାଧ୍ୟମ ଏଥିପାଇଁ ସହାୟକ ହେଉଛି।ପାଣି ପଂଚାୟତକୁ ଅଧିକ ସୁଦୃଢ଼ କରିବା, ଅଧିକ ଜ୍ଞାନ ଆହରଣ ପାଇଁ ସେମାନଙ୍କ ନିମନ୍ତେ ଅନ୍ୟ ବିଭିନ୍ନ ରାଜ୍ୟକୁ କ୍ଷେତ୍ର ପରିଦର୍ଶନ ବ୍ୟବସ୍ଥା କରାଇବାକୁ ମୁଖ୍ୟଶାସନସଚିବ ଗୁରୁତ୍ୱରୋପ କରିଥିଲେ।

          ସମ୍ମାନିତ ଅତିଥିଭାବେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟଶାସନ ସଚିବ, ଜଳ ସଂପଦ ବିଭାଗ ଶ୍ରୀମତୀ ଅନୁଗର୍ଗ ଯୋଗଦେଇ କହିଥିଲେ ଯେ, ବିଗତ ୫ବର୍ଷରେ ଓଏଲଆଇସି ଜରିଆରେ ଜଳସେଚନ କାର୍ଯ୍ୟକ୍ରମ ଅଧିକ ତ୍ୱରାନ୍ୱିତ ହୋଇଛି । ନିଗମର ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ଼ହୋଇଛି ।ରାଜ୍ୟରେ ଯେତେ ପରିମାଣରେ ଜଳସେଚନ ବୃହତ ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ବ୍ୟବସ୍ଥା ମାଧ୍ୟମରେ କରାଯାଉଛି, ଏହାର ପ୍ରାୟ୫୦ପ୍ରତିଶତ ଜଳସେଚନ ଓଏଲଆଇସି ଜରିଆରେ ହେଉଛି।ଏବେ ବର୍ଷକୁ ପ୍ରାୟ୧୮୦୦୦ପ୍ରକଳ୍ପ ସ୍ଥାପନ କରାଯାଇପାରୁଛି।କ୍ଷୁଦ୍ରଜଳସେଚନ ପ୍ରକଳ୍ପ, ଭୂତଳ ଜଳ ବିଭାଗ ଆଦି ସହସମନ୍ୱୟ କରାଯାଇ ଯେଉଁଠାରେ ଉଠା ଜଳସେଚନ ସୁବିଧାହେଉଛି, ସେଠାରେ ନିରନ୍ତରତା ଭିତ୍ତିରେ ପ୍ରକଳ୍ପ ସ୍ଥାପନ କରାଯାଉଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ ।

          ଓଏଲଆଇସି ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ମୋହନ ସାମଲ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଓଏଲଆଇସିର ସଫଳତା ସଂପର୍କରେ ସୂଚନାଦେଇ କହିଥିଲେ ଯେ, ୧୯୭୩ମସିହାରେ ସ୍ଥାପିତ ଏହି ନିଗମ ଦୁଇବର୍ଷ ତଳୁ“ଗୋଲ୍ଚ କ୍ୟାଟେଗୋରୀ” ସରକାରୀ ଉଦ୍ୟୋଗ ଭାବେ ମାନ୍ୟତା ପାଇଛି।ରାଜ୍ୟରେ ଭୁପୃଷ୍ଠ ଓ ଭୂତଳ ଜଳସ୍ତର ର ବ୍ୟବହାର କରି ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ ଜଳସେଚନ ସାମର୍ଥ୍ୟ ସୃଷ୍ଟି କରାଯାଉଛି ।ଓଏଲଆଇସି ଜରିଆରେ ଅଦ୍ୟାବଧି୧.୭୧ଲକ୍ଷ ପ୍ରକଳ୍ପ କରାଯାଇ୧୫.୯୬ଲକ୍ଷ ହେକ୍ଟର ଜଳସେଚନ କ୍ଷମତା ସୃଷ୍ଟି କରାଯାଇପାରିଛି।୨୦୨୩-୨୪ରେ୧୮,୯୪୪ ପ୍ରକଳ୍ପ କରାଯାଇ୧ଲକ୍ଷ୨୨ ହଜାର ୮୧୫ ହେକ୍ଟର ଜଳସେଚନ ସାମର୍ଥ୍ୟ ସୃଷ୍ଟି କରାଯାଇଛି।ନୂଆପ୍ରକଳ୍ପ ସମେତ ଅଚଳ ହୋଇଥିବା ନଳକୂପ କୁ ସଚଳ କରାଯାଇ ସେଚ ସାମର୍ଥ୍ୟ ବୃଦ୍ଧି କରାଯାଉଛି ।ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଓ ଉନ୍ନତ ଯାନ୍ତ୍ରିକୀକରଣ ବ୍ୟବସ୍ଥା ଫଳରେ ପ୍ରକଳ୍ପ ସଂପୂର୍ଣ୍ଣ କରିବା କ୍ଷମତା ପୂର୍ବାପେକ୍ଷା ୪ଗୁଣ ଦୃତତର ହୋଇଛି ।ଚଳିତ ବର୍ଷ ରାଜ୍ୟରେ ଓଡ଼ିଶା ଉଠାଜଳସେଚନ ମାଧ୍ୟମରେ ଜଳସେଚନ ଧାର୍ଯ୍ୟଲକ୍ଷ୍ୟ ୧ଲକ୍ଷ ୨୨ ହଜାର ୬୪୮ହେକ୍ଟର ରହିଛି।ଧାର୍ଯ୍ୟ ଲକ୍ଷ୍ୟ  ପୂର୍ଣ୍ଣ କରିବା ସହିତ ସବୁ ସମୟରେ ପ୍ରକଳ୍ପ ସଚଳ ରହିବା ଆମର ପ୍ରାଥମିକତା ରହିଥିବା ଓଏଲଆଇସି ପରିଚାଳନା ନିର୍ଦ୍ଦେଶକ ପ୍ରକାଶ କରିଥିଲେ।ପାଣିପଞ୍ଚାୟତ ମାନଙ୍କୁ ପ୍ରଶିକ୍ଷଣ, ପ୍ରକଳ୍ପର କାର୍ଯ୍ୟକାରିତା, ରକ୍ଷଣାବେକ୍ଷଣ ପ୍ରତି ଗୁରୁତ୍ୱ ଦିଆଯାଉଥିବା ସଂପର୍କରେ ସେ କହିଥିଲେ।କାର୍ଯ୍ୟକ୍ଷମ ନଥିବା ନଳକୂପ ପାଇଁ ୫ବର୍ଷପାଇଁ ବଜେଟରେ୧୦୮୪.୩୮କୋଟି ଟଙ୍କା ପ୍ରାବଧାନ କରାଯାଇଥିବା ଓ ଜଳସେଚନ ସାମର୍ଥ୍ୟ ସୃଷ୍ଟି ଅନୁସାରେ ସବୁଠି ଜଳସେଚନ ସୁବିଧା ପହଞ୍ଚିବା ଆମର ପ୍ରାଥମିକତା ରହିଥିବା ସଂପର୍କରେ ସେ ପ୍ରକାଶକରିଥିଲେ।ପାଣି ପଞ୍ଚାୟତ,ଓରେଡା, କୃଷିବିଭାଗ, ଶକ୍ତିବିଭାଗ ସହଯୋଗରେ ଉଠାଳଜସେଚନ ପ୍ରକଳ୍ପ ପରିଚାଳନାରେ ରହୁଥିବା ସମସ୍ୟାର ସମାଧାନ କରାଯାଉଥିବା ସହ ଫସଲ ବିବିଧିକରଣକୁ ଗୁରୁତ୍ୱ ଦିଆଯାଉଥିବା ସଂପର୍କରେ ସେ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ଓଏଲଆଇସିର ସଫଳତାକୁ ନେଇ ଏକ କ୍ଷୁଦ୍ର ପ୍ରାମାଣିକ ବୃତ୍ତ ଚିତ୍ର ପ୍ରଦର୍ଶିତ ହୋଇଥିଲା ଏବଂ ଅଚଳ ଗୋ​‌ଷ୍ଠୀ ଉଠାଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ଓ ବହୁପୁରାତନ ସଚଳ ପ୍ରକଳ୍ପର ସୁଦୃଢ଼ୀକରଣ ପାଇଁ ଅନଲାଇନ୍ ପୋର୍ଟାଲଉନ୍ମୋଚିତ ହୋଇଥିଲା ଅନ୍ୟ ଏକ ଲାଇନ୍ ବ୍ୟବସ୍ଥା ଇସର୍ଭିସବୁକ୍ ର ଶୁଭାରମ୍ଭ କରାଯିବା ସହ ଓଏଲଆଇସି ତଥା ପାଣିପଂଚାୟତର ସଫଳତାକୁ ନେଇ ପ୍ରକାଶିତବାରି ବରେଣ୍ୟମପତ୍ରିକାର ଶୁଭ ଉନ୍ମୋଚନ କରାଯାଇଥିଲା ହୁରିମଧ୍ୟ ପ୍ରକଳ୍ପ ପରିଚାଳନା ପାଇଁପାଣି ପଂଚାୟତ ନିମନ୍ତେ ମାର୍ଗଦର୍ଶିକା”, ଓଏଲଆଇସିର ବିଭିନ୍ନ କାର୍ଯ୍ୟକଳାପ ସଂପର୍କିତ କାର୍ଯ୍ୟକ୍ରମ ପୁସ୍ତିକା ଏବଂ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ (ଏଫଏକ୍ୟୁ)କ୍ଷୁଦ୍ର ପୁସ୍ତିକା ଉନ୍ମୋଚିତ ହୋଇଥିଲାମୁଖ୍ୟ ଅତିଥି ଶ୍ରୀ ଆହୁଜା ଏହି ଅବସରରେ ଓଏଲଆଇସି ଏବଂ ପାଣିପଂଚାୟତର ସଫଳତା ଆଧାରରେ ଏଠାରେ  ଆୟୋଜିତ ଏକ    ଫଟୋଚିତ୍ର ପ୍ରଦର୍ଶନୀକୁ ବୁଲି ଦେଖିଥିଲେ । ଓଏଲଆଇସି ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଂ ଶିବାଶୀଷ ପାଢ଼ୀ ସମସ୍ତଙ୍କୁଧନ୍ୟବାଦ ଦେଇଥିଲେ

          ରାଜ୍ୟର ବିଭିନ୍ନ ଅଂଚଳରୁ ଚାଷୀ, ମହିଳା ଚାଷୀ ପ୍ରତିନିଧି, ପାଣି ପଂଚାୟତ ସଦସ୍ୟ, ସଦସ୍ୟା,ଓଏଲଆଇସିର ରାଜ୍ୟସ୍ତରୀୟ ଏବଂ ବିଭିନ୍ନ ଡିଭିଜନ ତଥା କ୍ଷେତ୍ରସ୍ତରରୁ ପଦାଧିକାରୀ ଓ କର୍ମଚାରୀ, ଜଳ ସଂପଦ ବିଭାଗର ଅଧିକାରୀ ଓ ଯନ୍ତ୍ରୀମାନେ ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

-0-

ପଠାଣି ରାଉତ, ମୁଖ୍ୟ ଶାସନ ସଚିବଙ୍କଲୋକସମ୍ପର୍କ ଅଧିକାରୀ ଙ୍କ  ସୌଜନ୍ୟ ରୁ

 

Leave a Reply

Your email address will not be published. Required fields are marked *