ସୁନ୍ଦରଗଡ଼,୨୧/୧୨/୨୦୨୫ (ଓଡ଼ିଶା ସମାଚାର)- ଆଜି ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାଏକ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିବା ସହିତ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ମାନ୍ୟବର ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ମାନ୍ୟବର ଉପ-ବାଚସ୍ପତି, ଓଡ଼ିଶା ବିଧାନ ସଭା, ଶ୍ରୀ ଭବାନୀ ଶଙ୍କର ଭୋଇ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ସଦର ଉପଜିଲ୍ଲାପାଳ ଶ୍ରୀମତୀ ତେଜସ୍ଵିନୀ ବେହେରା, ପୂର୍ବତନ ବିଧାୟିକା ଶ୍ରୀମତୀ କୁସୁମ ଟେଟେ ଉପସ୍ଥିତ ଥିଲେ।

ଏହି ଅବସରରେ ମାନ୍ୟବର ମନ୍ତ୍ରୀ କରମଡିହି ସ୍ଥିତ ସ୍କିଲ୍ ପ୍ରଶିକ୍ଷଣ କେନ୍ଦ୍ର ପରିଦର୍ଶନ କରିବା ସହିତ ପ୍ରଶିକ୍ଷକ, ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ସେହିପରି କରମଡିହି ସ୍ଥିତ ଗ୍ରାମୀଣ ଶିଳ୍ପ ପାର୍କ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ସିଲାଇ ଓ ପ୍ୟାକେଜିଂ ୟୁନିଟର କାର୍ଯ୍ୟ ନିରୀକ୍ଷଣ କରିବା ସହିତ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ସେଥିସହିତ ମହୁଆ ପ୍ୟାକେଜିଂ କାର୍ଯ୍ୟକଳାପକୁ ମଧ୍ୟ ସମୀକ୍ଷା କରି ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ନିଜର ବିକାଶ ପାଇଁ ସତ୍ୟନିଷ୍ଠା ଓ ପରିଶ୍ରମ ସହ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥିଲେ।
ଏହି ଗସ୍ତ ସମୟରେ ଓରମାସର ଉପ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କେଶବ ଝା, ଓଡ଼ିଆ ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀ ସାମୁଏଲ ଟୋପ୍ପୋ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
