ଜଗତସିଂହପୁର,୨୦/୧୨/୨୦୨୫ (ଓଡ଼ିଶା ସମାଚାର)- ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ । ଜଗତସିଂହପୁର ଜିଲା ବନବିଭାଗ ରାହାମା ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ରାଜେନ୍ଦ୍ରଙ୍କ ବାସଭବନ ଓ ସରକାରୀ କାର୍ୟ୍ୟାଳୟ ସମେତ ଏକାସାଙ୍ଗରେ ୪ଟି ସ୍ଥାନରେ ଚଢାଉ ହୋଇଛି। କଟକ ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍ ଙ୍କ ସର୍ଚ ୱାରେଂଟ ବଳରେ ୨ ଜଣ ଅତିରିକ୍ତ ଏସପି, ୫ ଜଣ ଡ଼ିଏସପି , ୮ ଜଣ ଇନ୍ସିପେକ ।ର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଛି ।

ଜଗତସିଂହପୁର ଚାଟରା ରେ ଥିବା ତିନି ମହଲା କୋଠା, ଜଗତସିଂହପୁର ଜିଲା ସାମନ୍ତରାୟପୁର ଠାରେ ନିଜ ଗ୍ରାମରେ ଦୁଇ ମହଲା କୋଠା, ଜଗତସିଂହପୁର ଜିଲା ସାଠପୁର ଠାରେ ଥିବା କାର୍ଯ୍ୟାଳୟ ଓ ଜଗତସିଂହପୁର ଠାରେ ଥିବା ସରକାରୀ ବାସ ଭବନରେ ଏକ କାଳୀନ ଚଢ଼ାଉ କରାଯାଇଛି ।
ଏହି ଚଢ଼ାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର , ବ୍ୟାଙ୍କ ପାସବୁକ୍, ସୁନା ଗହଣା ଓ ନଗଦ ଟଙ୍କା,ଏଟିଏମ କାର୍ଡ ଜବତ ହୋଇଥିବାର ଜଣାପଡିଛି।
ସକାଳ ୬ ଟା ରୁ ଦିନ ୧୨ ଟା ସୁଦ୍ଧା ୨୦୦ ଗ୍ରାମ ସୁନା, ୩ଲକ୍ଷ ୫୦ ହଜାରର ନଗଦ ଟଙ୍କା, ଜଗତସିଂହପୁରରେ ୨ ଟା ପ୍ଲଟ ଓ କଟକରେ ଗୋଟିଏ ପ୍ଲଟ ଠାବ କରାଯାଇଛି । ସେହିପରି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା ରାଶି ଥିବାର ମଧ୍ୟ ଠାବ କରାଯାଇଛି । ଗୋଟିଏ ବୋଲେରୋ ଓ ୨ ଟି ଦୁଇ ଚକିଆ ଗାଡ଼ି ମଧ୍ୟ ଠାବ ହୋଇଛି ।
ସେହିପରି ମୋଟ ସ୍ଥାବର, ଅସ୍ଥାବର ସମ୍ପତି ମୂଲ୍ୟ ପ୍ରାୟ ୩କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଆଉ ଅଧିକ ତଦନ୍ତ ପରେ ଆଉ କେତେ ସମ୍ପତି ରହିଛି ତାହା ଆଗକୁ ଜଣାପଡିବ ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି । ଚଢ଼ାଉ ସମୟରେ ଭିଜିଲାନ୍ସ ଦ୍ୱାରା ଅଟକ ଥିବା ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କୁ କଟକ ନିଆଯାଇ ଅଧିକ ଜେରା କରାଯିବ ବୋଲି ସୂଚନା ମିଳିଛି ।
ପ୍ରକାଶ ଥାଉକି,ମାସ କୁ ୧୫୦୦/-ଟଙ୍କା ଦରମା ସହିତ ଫରେଷ୍ଟର ଭାବରେ ୨୬.୧୧.୧୯୮୫ ରେ ଫରେଷ୍ଟର ଭାବେ ସରକାରୀ ଚାକିରିରେ ପ୍ରବେଶ କରିଥିଲେ ରାଜେନ୍ଦ୍ର । ତା’ପରେ ୧୫.୯.୨୦୨୧ ରେ ଡେପୁଟି ରେଞ୍ଜର ଭାବରେ ପଦୋନ୍ନତି ପାଇ ସେ ଜଙ୍ଗଲ ବିଭାଗ ଅନୁଗୁଳ ଅଧୀନରେ ଯୋଗ ଦେଇଥିଲେ। ପୁନର୍ବାର ୩୧.୦୮.୨୦୨୩ ରେ ସାମନ୍ତରାୟଙ୍କୁ ରେଞ୍ଜର ପଦବୀକୁ ପଦୋନ୍ନତି ଦିଆଯାଇଥିଲା ଏବଂ ସେ ଜଗତସିଂପୁରର ରାହାମା ବନାଞ୍ଚଳରେ ଯୋଗ ଦେଇଥିଲେ। ସେ ବର୍ତ୍ତମାନ ପର୍ୟ୍ୟନ୍ତ ଜଗତସିଂପୁରରେ ଏହି ପଦବୀରେ କାର୍ୟ୍ୟ କରିଆସୁଛନ୍ତି।
