- ଜଳବାୟୁ-ସହନଶୀଳ ଏବଂ ଲୋକ କେନ୍ଦ୍ରିକ ବିକାଶ ପାଇଁ ପଥ” ଶୀର୍ଷକ ଆଲୋଚନାର ନିର୍ଯ୍ୟାସ ସଂପର୍କରେ ଉନ୍ନୟନ କମିଶନରଙ୍କ ଉପସ୍ଥିତିରେ ଆଲୋଚନା
- ନିରନ୍ତର ଓ ସମାବେଶୀ ବିକାଶ ପାଇଁ ବହୁ-ଅଂଶୀଦାରୀ ସହଭାଗିତାକୁ ଗୁରୁତ୍ୱ
ଭୁବନେଶ୍ୱର,୧୬/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଜଳବାୟୁ-ସହନଶୀଳ ଏବଂ ଲୋକ କେନ୍ଦ୍ରିକ ବିକାଶ ପାଇଁ ପଥ ” ଶୀର୍ଷକ ଓଡ଼ିଶା ବିକାଶ କନକ୍ଲେଭ ୨୦୨୫ର ଫଳାଫଳ ଗୁଡ଼ିକୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ଯୋଜନାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ ଏବଂ ଯୋଜନା ଓ ସଂଯୋଜନ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ଉପସ୍ଥିତିରେ ଓଡ଼ିଶା ସରକାରଙ୍କୁ ପ୍ରଦାନ ଉଦ୍ଦେଶ୍ୟରେ ଉପସ୍ଥାପିତ କରାଯାଇଥିଲା।
ଓଡ଼ିଶା ଡେଭଲପମେଣ୍ଟ ଇନିସିଏଟିଭ ( ଓଡିଆଇ) ର ଏକ ପ୍ରତିନିଧି ମଣ୍ଡଳୀ ଓଡ଼ିଶା ବିକାଶ କନକ୍ଲେଭ ର ସମାବେଶର ଆବାହକ ତଥା ସିଓ୍ୱାଇଏସଡି ର ସହ ପ୍ରତିଷ୍ଠାତା ଡଃ. ଜଗଦାନନ୍ଦଙ୍କ ସହିତ ଯୋଗଦେଇ ଓଡ଼ିଶା ଭିଜନ୍୨୦୩୬ ଏବଂ ବିକଶିତ ଭାରତ @୨୦୪୭ଦୃଷ୍ଟିକୋଣକୁ ଲକ୍ଷ୍ୟ ରଖି କ୍ଷେତ୍ର-ନିର୍ଦ୍ଦିଷ୍ଟ ପ୍ରାଥମିକତା, ସଂସ୍ଥାଗତ ଭୂମିକା ଏବଂ କାର୍ଯ୍ୟାନୁଷ୍ଠାନ ଯୋଗ୍ୟ ପଥଚିହ୍ନ ଗୁଡ଼ିକୁ ଆଲୋକପାତ କରୁଥିବା ମୁଖ୍ୟ ଫଳାଫଳ ଗୁଡ଼ିକ ଉପସ୍ଥାପନ କରିଥିଲେ । ଲୋକସେବା ଭବନସ୍ଥିତ ସମ୍ମିଳନୀରେ ଗତ କାଲି ସୋମବାର ଅନୁଷ୍ଠିତ ଏହି ଉପସ୍ଥାପନାରେ ନିରନ୍ତରତା ଭିତ୍ତିରେ ସମାବେଶୀ ବିକାଶ ପାଇଁ ବହୁ-ଅଂଶୀଦାରୀ ମାନଙ୍କ ସହଯୋଗର ଆବଶ୍ୟକତା ସଂପର୍କରେ ବିବରଣୀ ଓ ଆଲୋଚନାରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।
ଏହି ପାରସ୍ପରିକ ଆଲୋଚନା ଓଡ଼ିଶା ବିକାଶ କନକ୍ଲେଭ କୁ ଏକ ବିଶ୍ୱସନୀୟ ଏବଂ ସହଯୋଗ ମୂଳକ ମଞ୍ଚ ଭାବେ ପୁନଃ ନିଶ୍ଚିତ କରିଛି, ଯାହା ନୀତି ଓ କାର୍ଯ୍ୟାନ୍ୱୟନ ମଧ୍ୟରେ କାର୍ଯ୍ୟକାରୀ ସେତୁ ସୃଷ୍ଟି କରି ଓଡ଼ିଶା ର ଉନ୍ନତି ଏଜେଣ୍ଡାକୁ ୨୦୩୬ ପରେ ମଧ୍ୟ ଆଗକୁ ନେଇ ଯାଉଛି। ସରକାରୀ ଅଧିକାରୀ ମାନେ ହୋଇଥିବା ସମାବେଶରେ ଯୋଗଦେଇ ଗଭୀର ଆଲୋଚନା-ବିମର୍ଶକୁ ଓ ସୁପାରିଶ ଗୁଡ଼ିକୁ ଉଚ୍ଚ ମୂଲ୍ୟାଙ୍କନ କରିଥିଲେ।
ସୂଚନା ଯୋଗ୍ୟ ଯେ, ୨୬–୨୭ନଭେମ୍ବର, ୨୦୨୫ରେ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ବିକାଶ ସମାବେଶରେ ନାଗରିକ ସମାଜ, ସରକାରୀ ଅଧିକାରୀ, ଶିକ୍ଷା ଜଗତ, କର୍ପୋରେଟ୍ କ୍ଷେତ୍ର, ନିର୍ବାଚିତ ପଞ୍ଚାୟତିରାଜ ସଂସ୍ଥାର ଜନ ପ୍ରତିନିଧି, ଗୋଷ୍ଠୀ ସମୁଦାୟ ନେତୃତ୍ୱ ଏବଂ ସମସ୍ୟା ସମାଧାନକାରୀ ମାନଙ୍କ ସମେତ ୭୦୦ରୁ ଅଧିକ ବିଭିନ୍ନ ଅଂଶୀଦାରୀ ଅନୁଷ୍ଠାନର କର୍ମକର୍ତ୍ତା ଓ ପ୍ରତିନିଧିମାନେ ଏକତ୍ର ହୋଇଥିଲେ। ସମାବେଶରେ ପରିବେଶ ଭିତ୍ତିକ ଶାସନ ପରିଚାଳନା ଓ ଜଳବାୟୁ ଅନୁକୂଳ ସହାବସ୍ଥାନ; ନ୍ୟାୟସଙ୍ଗତ ପରିବର୍ତ୍ତନ, ସବୁଜ ଜୀବିକା ଓ ସହରୀୟ ବାସ ଯୋଗ୍ୟତା; ସକ୍ରିୟ ନାଗରିକତା ପାଇଁ ତଥ୍ୟ ବିକେନ୍ଦ୍ରୀକରଣ; ଲିଙ୍ଗ, ଜଳବାୟୁ ଓ ଉନ୍ନତି ସଂଯୋଗ; ଜଳବାୟୁ-ପ୍ରତିକ୍ରିୟାଶୀଳ ମାନବ ଗତିଶୀଳତା ଓ ପ୍ରବାସ; ପରିବର୍ତ୍ତନଶୀଳ ଜଳବାୟୁ ପରିପ୍ରେକ୍ଷୀରେ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି; ମାନବ ସ୍ୱାସ୍ଥ୍ୟ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ; ଜନସାଙ୍ଖ୍ୟିକ ପରିବର୍ତ୍ତନ ଏବଂ ସମ୍ପର୍କିତ ସମସ୍ୟାବଳୀଏବଂ ଜଳବାୟୁ ସ୍ମାର୍ଟ ପଞ୍ଚାୟତ ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା ।
ଉନ୍ନୟନ କମିଶନରଙ୍କ ସହିତ ଆଲୋଚନାରେ ଓଡ଼ିଶା ବିକାଶ କନକ୍ଲେଭ ର ସହଯୋଗୀ ମାନଙ୍କ ମଧ୍ୟରେ ସମାବେଶର ଆବାହକ ତଥା ସିଓ୍ୱାଇଏସଡି ର ସହ ପ୍ରତିଷ୍ଠାତା ଡଃ. ଜଗଦାନନ୍ଦ ଯୋଗଦେଇ କହିଲେ ଯେ, ବିକାଶ କନକ୍ଲେଭର ସହଯୋଗୀ ସଂସ୍ଥାମାନେ ତୃଣମୂଳସ୍ତରରେ ଜନସାଧାରଣଙ୍କ ସହିତ ସହଭାଗୀ ହୋଇ କାମ କରୁଛନ୍ତି । ସରକାର ଭଳି ଏକ ବୃହତ ଅନୁଷ୍ଠାନ ସହିତ କାର୍ଯ୍ୟ କରି ବିକାଶରେ ସେମାନେ ଉଲ୍ଲେଖନୀୟ ଯୋଗଦାନ କରିପାରିବେ ବୋଲି ସେ ଦୃଢ ମତ ଉପସ୍ଥାପନ କରିଥିଲେ ।
ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ କହିଲେଯେ, ବିକାଶ ସମାବେଶରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଓ ବିକାଶର ପଥ ସଂପର୍କରେ ମତାମତ ଆଲୋଚନା ହୋଇଛି । ରାଜ୍ୟ ସରକାର ବିକଶିତ ଓଡିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ସାଧନ ରଖି ବହୁ ଯୋଜନା ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି । କ୍ଷେତ୍ରସ୍ତରରେ ବିକାଶ ପ୍ରକ୍ରିୟାକୁ ଆଗେଇନେବାରେ ବହୁ ଅଂଶୀଦାରୀ ସଂସ୍ଥାମାନଙ୍କର ଆବଶ୍ୟକତା ରହିଥିବା ସଂପର୍କରେ ସେ ଗୁରୁତ୍ୱାରୋପ କରିଥିଲେ । ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଆରୁମୁଗମ ଯୋଗଦେଇ କହିଲେ ଯେ, ରାଜ୍ୟ ସରକାର ଜନକୈନ୍ଦ୍ରିକ ଶାସନ ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଗ୍ରାମ ପଂଚାୟତ ଏବଂ ବ୍ଲକ ସ୍ତରରେ ଡିଜିଟାଲ ଭିତ୍ତିଭୂମିକୁ ସୁଦୃଢ କରି ବିକାଶମୂଳକ ପ୍ରକ୍ରିୟାରେ ତଦାରଖ ବ୍ୟବସ୍ଥାକୁ ଉନ୍ନତ କରୁଛନ୍ତି । ଏ ଦିଗରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥା, ନାଗରିକ ସମାଜ ଓ ସହଭାଗୀ ଅନୁଷ୍ଠାନମାନେ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସେତୁ ସଦୃଶ କାର୍ଯ୍ୟ କରି ଉଦ୍ଦିଷ୍ଟ ସେବା ଯୋଗାଇଦେବାରେ ଉଲ୍ଲେଖନୀୟ ଯୋଗଦାନ କରିପାରିବେ ବୋଲି ମତ ରଖିଥିଲେ ।
-0-
ପଠାଣି ରାଉତ ,ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
