ଭିଜିଲାନ୍ସ ପଞ୍ଝାରେ କନିଷ୍ଠ ଯନ୍ତ୍ରୀ

କେନ୍ଦ୍ରାପଡ଼ା, ୧୬/୧୨/୨୦୨୫(ଓଡ଼ିଶା ସମାଚାର)-୯ଲକ୍ଷ ୭୦ହଜାର ଟଙ୍କା ହେରଫେର କରିବା ଘଟଣାରେ କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ବ୍ଲକ କନିଷ୍ଠ ଯନ୍ତ୍ରୀ ରତ୍ନେଶ ପାଣ୍ଡେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଶ୍ରୀ ପାଣ୍ଡେଙ୍କୁ ଗିରଫ କରାଯିବା ପରେ ଭିଜିଲାନ୍ସ ବିଭାଗ ଅଧିକାରୀ ତାଙ୍କୁ କଟକ ନେଇଯାଇଛନ୍ତି । କଟକ ଭିଜିଲାନ୍ସ ଥାନାରେ ତାଙ୍କ ବିରୁଦ୍ଧରେ ୩୫/୨୦୨୫ରେ ଏକ ମାମଲା ରୁଜୁ ହୋଇଛି । ଶ୍ରୀ ପଣ୍ଡା ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ପଂଚାୟତରେ ଆଲୋକୀକରଣ କରିବା ପାଇଁ ସରକାରୀ ଖାତାରୁ ନିଜ ଆକାଉନ୍ଟକୁ ୯ଲକ୍ଷ ୭୦ହଜାର ଟଙ୍କା ନେଇଯାଇଥିଲେ ।

୨୦୨୩-୨୪ ଆର୍ଥିକ ବର୍ଷରେ ସେ ଏହି ଟଙ୍କା ନେଇଥିଲେ ମଧ୍ୟ ଏହାକୁ କାର୍ଯ୍ୟରେ ଲଗାଇନଥିଲେ । ତେଣୁ ତାଙ୍କ ବିରୁଦ୍ଧରେ ବିଭିନ୍ନ ବ୍ୟକ୍ତିଙ୍କ ପକ୍ଷରୁ କଟକ ଭିଜିଲାନ୍ସ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଭିଜିଲାନ୍ସ ଏସପିଙ୍କ ନିର୍ଦେଶ କ୍ରମେ ଶ୍ରୀ ପଣ୍ଡାଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ ହୋଇଥିଲା ।

ତଦନ୍ତରୁ ଜଣାପଡିଥିଲା ଯେ କନିଷ୍ଠ ଯନ୍ତ୍ରୀ ଶ୍ରୀ ପାଣ୍ଡେଙ୍କର ଭାରତୀୟ ଷ୍ଟେଟବ୍ୟାଙ୍କ ପିପିଲି ଶାଖାରେ ଏକ ଆକାଉନ୍ଟ ରହିଛି । ସେହି ଆକାଉନ୍ଟକୁ ଶ୍ରୀ ପଣ୍ଡା ୯ଲକ୍ଷ ୭୦ହଜାର ଟଙ୍କା ଟ୍ରାନ୍ସଫର କରିଛନ୍ତି । କିନ୍ତୁ ଟଙ୍କାକୁ ଷ୍ଟ୍ରୀଟ ଲାଇଟ ଲଗାଇବାରେ ବିନିଯୋଗ ନକରି ନିଜେ ହଡପ କରିଦେଇଛନ୍ତି । ତଦନ୍ତ ପରେ ତାଙ୍କ ବିରୁଦ୍ଧରେ ସରକାରୀ ଅର୍ଥ ତୋଷରପାତ କରିଥିବାର ପ୍ରମାଣ ମିଳିବାରୁ ତାଙ୍କୁ ଗିରଫ କରାଯାଇଛି ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *