ଯାଜପୁରରେ ସାଂସଦ ଖେଳ ମହୋତ୍ସବ ଉଦଯାପିତ

ଯାଜପୁର,୧୩/୧୨/୨୦୨୫(ଓଡ଼ିଶା ସମାଚାର)-ଯାଜପୁର ସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସରେ ସାଂସଦ ଖେଳ ମହୋତ୍ସବ-୨୦୨୫ ମହାସମାରୋହରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯାଜପୁର ସାଂସଦ ଡ଼ ରବୀନ୍ଦ୍ର ନାରାୟଣ ବେହେରା ଏବଂ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ବିଶିଷ୍ଟ ଅତିଥି ଭାବେ ଯାଜପୁର ମାଟିର ଝିଅ ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ଭାରତ ଅଲମ୍ପିକ୍ସ ଧାବିକା ଦୂତି ଚାନ୍ଦ ଯୋଗ ଦେଇଥିଲେ। ସାଂସଦ ଶ୍ରୀ ବେହେରା କହିଛନ୍ତି ଯେ ଭାରତର ସମୃଦ୍ଧ ଜ୍ଞାନ ପରମ୍ପରାକୁ ପାଥେୟ କରି ଏକ ବିକଶିତ ଭାରତ ନିର୍ମାଣ କରିବା ଦିଗରେ ଆମେ ପ୍ରତିବଦ୍ଧ।

ଏଦିଗରେ ଭାରତର ଯୁବଶକ୍ତିଙ୍କ ପ୍ରମୁଖ ଭୂମିକା ରହିଛି। ତେଣୁ ଯୁବପିଢିଙ୍କ ପ୍ରତିଭାକୁ ବିକଶିତ କରିବା ହେଉଛି ଏହି ସାଂସଦ ଖେଳ ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ। ଏହାସହ ସାଂସଦ ଶ୍ରୀ ବେହେରା ଦୂତି ଚାନ୍ଦଙ୍କ ସଂଘର୍ଷପୂର୍ଣ୍ଣ ଯାତ୍ରା ଓ ସଫଳତା ସମ୍ପର୍କରେ ଉଲ୍ଲେଖ କରିବା ସହ ଯାଜପୁର ଜିଲ୍ଲାର ଐତିହ୍ୟ ଉପରେ ଆଲୋକପାତ କରିଥିଲେ। ଅଲମ୍ପିକ୍ସ ଆଥଲେଟ ଦୂତି ଚାନ୍ଦ ନିଜ ବକ୍ତବ୍ୟରେ ଭବିଷ୍ୟତରେ ଏକ କ୍ରୀଡା ଏକାଡେମୀ କରିବେ ବୋଲି କହିଥିଲେ, ଯେଉଁଠି ଯାଜପୁର ଜିଲ୍ଲାର ପ୍ରତିଭାବାନ ଖେଳାଳିଙ୍କୁ ତାଲିମ ଦିଆଯିବ। ଯେମିତି ପାଠପଢା ପାଇଁ ବିଭିନ୍ନ ସ୍କୁଲ କଲେଜ୍ ରହିଛି, ସେହିଭଳି କ୍ରୀଡା ପାଇଁ ମଧ୍ୟ ଏକାଡେମୀ ନିର୍ମାଣର ଆବଶ୍ୟକତା ଉପରେ ଦୂତି ଚାନ୍ଦ ଗୁରୁତ୍ବ ଦେଇଥିଲେ। ଜିଲ୍ଲାପାଳ ଶ୍ରୀ କର କହିଥିଲେ ଯେ ଜୀବନ ଚର୍ଯ୍ୟାରେ କୁସ୍ତି କସରତ ଦୌଡ଼ ସାମିଲ କରିବା ଦ୍ୱାରା ସତେଜ ଏବଂ ଫୁର୍ତ୍ତିଲା ଅନୁଭବ ହୁଏ।

ତେଣୁ ସୁସ୍ଥ ଶରୀର ପାଇଁ କ୍ରୀଡ଼ା ଜରୁରୀ ବୋଲି ଶ୍ରୀ କର ଉଲ୍ଲେଖ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା କ୍ରୀଡା ବିଭାଗ ପକ୍ଷରୁ ଅନୁଷ୍ଠିତ ୮ଟି ବିଭାଗର  ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ଆର୍ଥିକ ପୁରସ୍କାର ରାଶି ପୂର୍ବକ ମାନପତ୍ର ସହ ପୁରସ୍କୃତ କରିଥିଲେ। ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ଯଥାକ୍ରମେ ୭ହଜାର, ୫ହଜାର ଏବଂ ୩ହଜାର ର ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡା ଅଧିକାରୀ ପରିଚାଳନା କରିଥିଲେ।

ଉଦଯାପନୀ ଉତ୍ସବରେ ଜିଲ୍ଲା ବିଜେପି ସଭାପତି ଦେବଯାନୀ ପ୍ରଧାନ, ବବିତା ମଲ୍ଲିକ, ବରିର ପୂର୍ବତନ ବିଧାୟିକା ସୁନନ୍ଦା ଦାସ, କ୍ରୀଡାବିତ୍, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *