ପୂର୍ବୋଦୟ ଦୃଷ୍ଟିକୋଣ ୨୦୨୫ ଆନ୍ତର୍ଜାତୀୟ ସମ୍ମିଳନୀ ରାଜ୍ୟପାଳଙ୍କ ଦ୍ଵାରା ଉଦଘାଟିତ

ପୂର୍ବ ଭାରତର ଉଦୟ ଦେଶର ଭବିଷ୍ୟତକୁ ଗଢ଼ି ତୋଳିବ: ରାଜ୍ୟପାଳ

ଭୁବନେଶ୍ୱର,୧୩/୧୨/୨୦୨୫(ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପୂର୍ବ ଭାରତର ଉଦୟ ଦେଶର ଭବିଷ୍ୟତକୁ ଗଢି ତୋଳିବ ବୋଲି  ମାନ୍ୟବର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମାପାଟି  କହିଛନ୍ତି । ଶନିବାର ଦିନ ଭୁବନେଶ୍ବର ଠାରେ ଆୟୋଜିତ ‘ ପୂର୍ବୋଦୟ ଦୃଷ୍ଟିକୋଣ -୨୦୨୫ ‘ ଆନ୍ତର୍ଜାତୀୟ ସମ୍ମିଳନୀକୁ ଉଦଘାଟନ କରି ରାଜ୍ୟପାଳ ଏହା କହିଛନ୍ତି  ।

ଏହି ସମ୍ମିଳନୀରେ  ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ,ପୂର୍ବ ଭାରତର ଉଦୟ ଭାରତର ଭବିଷ୍ୟତର ଅଭିବୃଦ୍ଧି ପଥକୁ ପରିଭାଷିତ କରିବ ଏବଂ ଓଡ଼ିଶାର ପ୍ରଗତି ସମଗ୍ର ଅଞ୍ଚଳରେ ବିକାଶର ଏକ ନୂତନ ପର୍ଯ୍ୟାୟକୁ ପ୍ରଜ୍ଜ୍ୱଳିତ କରିବ । ଏହି କାର୍ଯ୍ୟକ୍ରମ କେବଳ ଏକ ଶିକ୍ଷାଗତ କିମ୍ବା ନୀତିଗତ ମଞ୍ଚ ନୁହେଁ ବରଂ ଭାରତର କ୍ରମ ବିକଶିତ ଆକାଂକ୍ଷା, ସଭ୍ୟତାଗତ ଆତ୍ମବିଶ୍ୱାସ ଏବଂ ପୂର୍ବ ଭାରତର ପୂର୍ଣ୍ଣ ସମ୍ଭାବନାକୁ ଉନ୍ମୁକ୍ତ କରିବା ପାଇଁ ସାମୂହିକ ପ୍ରତିବଦ୍ଧତାର ପ୍ରତିଫଳନ ବୋଲି ରାଜ୍ୟପାଳ କହିଥିଲେ ।

ରାଜ୍ୟପାଳ ସ୍ମରଣ କରା଼ଇ ଦେଇଥିଲେ ଯେ, ପୂର୍ବ ଭାରତ ଏକଦା ସମୃଦ୍ଧିର ଆଲୋକବର୍ତ୍ତିକା ଥିଲା । ଏହା ସମୃଦ୍ଧ ବନ୍ଦର, ବ୍ୟାପକ ବାଣିଜ୍ୟ ନେଟୱାର୍କ, ପ୍ରସିଦ୍ଧ ଶିକ୍ଷା କେନ୍ଦ୍ର ଏବଂ ସାଧବ ଗୋଷ୍ଠୀ ପାଇଁ ଗର୍ବ କରୁଥିଲା। କିନ୍ତୁ ସମୟ ସହିତ ଐତିହାସିକ ବାଧା, ଦୀର୍ଘକାଳ ଧରି ଅବହେଳା ଏବଂ ଭିତ୍ତିଭୂମିଗତ ପ୍ରତିବନ୍ଧକ ଏହି ଅଞ୍ଚଳକୁ ପଛରେ ପକାଇ ଦେଇଥିଲା।

ରାଜ୍ୟପାଳ କହିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏବେ ଏକ ଐତିହାସିକ ମୋଡ଼ରେ ପହଞ୍ଚିଛି। ପୂର୍ବୋଦୟ ମିଶନର ଶୁଭାରମ୍ଭ ଏହି ସ୍ୱୀକୃତିକୁ ପ୍ରତିଫଳିତ କରେ ଯେ, ପୂର୍ବ ଭାରତର ଉତଥାନ କେବଳ ଏହି ଅଞ୍ଚଳ ପାଇଁ ନୁହେଁ ବରଂ ଦେଶର ସାମଗ୍ରିକ ପ୍ରଗତି ଏବଂ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନର ଦୃଷ୍ଟିକୋଣ ପାଇଁ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟପାଳ ଉଲ୍ଲେଖ କରିଥିଲେ ଯେ ଏହି ଅଞ୍ଚଳ ସମ୍ପ୍ରତି ସଂଯୋଗୀକରଣ, ଭିତ୍ତିଭୂମି, ଶିଳ୍ପ, ଶକ୍ତି ଏବଂ ମାନବ ବିକାଶରେ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି, ଯାହା ରାସ୍ତା, ରେଳପଥ, ବନ୍ଦର, ବିମାନବନ୍ଦର ଏବଂ ଡିଜିଟାଲ୍ ନେଟୱାର୍କରେ ଗୁରୁତ୍ୱପୂର୍ଣ୍ଣ ନିବେଶ ଦ୍ୱାରା ପରିଚାଳିତ ହେଉଛି  ।

ପୂର୍ବୋଦୟ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ଭୂମିକା ଉପରେ ରାଜ୍ୟପାଳ ଆଲୋକପାତ କରି ରାଜ୍ୟର ଅନ୍ତର୍ନିହିତ ଶକ୍ତି, ଏହାର ପ୍ରଚୁର ପ୍ରାକୃତିକ ସମ୍ପଦ, ସୁଦୀର୍ଘ  ଉପକୂଳ, ଦକ୍ଷ କର୍ମଚାରୀ, ସ୍ଥିର ଶାସନ ଢାଞ୍ଚା ଏବଂ ଦୃଢ଼ ଓ ସ୍ୱତନ୍ତ୍ର ସାଂସ୍କୃତିକ ପରିଚୟ ଉପରେ ଅବତାରଣା କରିଥିଲେ। ରାଜ୍ୟପାଳ ଉଲ୍ଲେଖ କରିଥିଲେ ଯେ, ଓଡ଼ିଶାର ସାମ୍ପ୍ରତିକ ପଦକ୍ଷେପଗୁଡ଼ିକ  ଯଥା- ସେମିକଣ୍ଡକ୍ଟର ଇକୋସିଷ୍ଟମରେ ପ୍ରବେଶ, ରେଳ ଏବଂ ବନ୍ଦର ଓ ବିମାନ ବନ୍ଦର ଭିତ୍ତିଭୂମିର ପ୍ରସାର, ସବୁଜ ହାଇଡ୍ରୋଜେନ୍ ଜୋନ୍‌ର ବିକାଶ ଏବଂ ବ୍ୟାପକ ଭାବେ ପର୍ଯ୍ୟଟନ ଏବଂ ଐତିହ୍ୟ ପ୍ରକଳ୍ପର ନିରନ୍ତର ଅଭିବୃଦ୍ଧି  ବିକାଶର ପ୍ରମୁଖ ବାହକ ସାଜିଛି  ।

ଓଡ଼ିଶାର ଐତିହାସିକ ପରିଚୟ କଳିଙ୍ଗ ବୋଲି ଉଲ୍ଲେଖ କରି ରାଜ୍ୟପାଳ କହିଛନ୍ତି ଯେ, ଦକ୍ଷିଣ-ପୂର୍ବ ଏସିଆ ସହିତ ପ୍ରାଚୀନ ସାମୁଦ୍ରିକ ଏବଂ ସାଂସ୍କୃତିକ ସମ୍ପର୍କର ପୁନରୁଦ୍ଧାର, ଭାରତର ପୂର୍ବାଞ୍ଚଳ ନୀତି ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ସହଭାଗୀତା ସହିତ ଦୃଢ଼ ଭାବରେ ସମନ୍ୱିତ ହେବା ଉଲ୍ଲେଖନୀୟ। ରାଜ୍ୟପାଳ ବିଶ୍ୱାସ ପ୍ରକଟ କରିଥିଲେ ଯେ,ଏହି ସମ୍ମିଳନୀ ଭାରତର ପୂର୍ବାଞ୍ଚଳକୁ ଦକ୍ଷିଣ-ପୂର୍ବ ଏସିଆ ସହିତ ସଂଯୋଗ କରୁଥିବା ଅର୍ଥନୈତିକ କରିଡରକୁ ସୁଦୃଢ଼ ​​କରିବା ପାଇଁ ବ୍ୟବହାରିକ ନୀତି ସୃଷ୍ଟି କରିବ, ଯାହା ସ୍ଥାୟୀ ଏବଂ ସମାବେଶୀ ଆଞ୍ଚଳିକ ସମୃଦ୍ଧିକୁ ପ୍ରୋତ୍ସାହିତ କରିବ।

ଏହି କାର୍ଯ୍ୟକ୍ରମରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ଭିଡିଓ ଅଭିଭାଷଣ ପ୍ରଦର୍ଶିତ ହୋଇଥିଲା, ଯାହା ପ୍ରେରଣାଦାୟକ ଥିଲା। ଫେଡେରାଲ୍ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ ନେପାଳର ରାଷ୍ଟ୍ରଦୂତ ଡ.ଶଙ୍କର ପ୍ରସାଦ ଶର୍ମା, ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ (ନୀତି ଯୋଜନା ଏବଂ ଗବେଷଣା) ଅପର୍ଣ୍ଣା ରାୟ ବକ୍ତବ୍ୟ ପ୍ରଦାନ କରିଥିଲେ l ଭାରତ ସରକାରଙ୍କ ପୂର୍ବତନ ସଚିବ ଏବଂ ଦି ଏନର୍ଜି ଫୋରମର ଟ୍ରଷ୍ଟି ସିଦ୍ଧାର୍ଥ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

-0-

ସଂଜୀବ କୁମାର ବାରିକ,ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *