ଭୁବନେଶ୍ୱର, ୨୨/୦୧/୨୦୨୪ (ଓଡ଼ିଶା ସମାଚାର)- ଆଜି ପବିତ୍ର ଅଯୋଧ୍ୟା ନଗରୀରେ ପ୍ରଭୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା ପୂଜନ ଅବସରରେ ‘ୱି ଡୋନେଟ୍ ହାପିନେସ୍’ ଅନୁଷ୍ଠାନ ତରଫରୁ ଭୁବନେଶ୍ୱରର ମାଷ୍ଟରକ୍ୟାନଟିନ୍ ଛକଠାରେ ଗରିବ ଅସହାୟ ଲୋକମାନଙ୍କୁ ଅଭଡ଼ା ସେବନ କରିବାକୁ ଦିଆଯାଇଥିଲା । ଏହି ଅଭଡ଼ା ସେବନରେ ପ୍ରାୟ ଦେଢଶହରୁ ଊଦ୍ଧ୍ୱର୍ ଲୋକ ଭାଗ ନେଇଥିଲେ ଓ ସମସ୍ତେ ପେଟପୁରା ଖାଦ୍ୟ ଖାଇ ଆନନ୍ଦ ଅନୁଭବ କରୁଥିଲେ । ‘ୱି ଡୋନେଟ୍ ହାପିନେସ୍’ ଏକ ସ୍ୱେଚ୍ଛାସେବୀ ଅଗ୍ରଣୀ ଅନୁଷ୍ଠାନ ଓ ଏଥିରେ ୧୦ଜଣ ସ୍ଥାୟୀ ସଦସ୍ୟ ବିଭିନ୍ନ ସମୟରେ ଏବଂ ବିଭିନ୍ନ ସ୍ଥାନରେ ଲୋକାଭିମୁଖି ସମାଜସେବା କରିଆସୁଛନ୍ତି । ଅନୁଷ୍ଠାନର ପ୍ରତିଷ୍ଠାତା ତପନ ବିଶ୍ୱାଳଙ୍କ ପ୍ରତ୍ୟେକ ତତ୍ୱାବଧାନରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକ୍ରମରେ ବହୁ ଶୁଭେଚ୍ଛୁ ଓ ସମର୍ଥକ ଉପସ୍ଥିତ ରହି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ଏହି ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ ଥିଲେ ମଧ୍ୟ ବିଭିନ୍ନ ଜିଲାରେ ତା’ର ସମାଜସେବୀ କାର୍ଯ୍ୟକ୍ରମ ବର୍ଷ ତମାମ୍ ଜାରି ରଖିଥାଏ । ଗରିବ ରୋଗୀମାନଙ୍କୁ ଡାକ୍ତରଖାନା ମାନଙ୍କରେ ଫଳ, କ୍ଷୀର ଓ ଔଷଧ ବଂଟନ ତଥା ଗରିବ ମହିଳାମାନଙ୍କୁ ଶାଢୀ ବଂଟନ କାର୍ଯ୍ୟକ୍ରମ ଏହି ଅନୁଷ୍ଠାନ କରିଥାଏ । ଫୁଟ୍ପାଥ୍ ଏବଂ ରାସ୍ତା କଡ଼ରେ ଆଶ୍ରୟ ନେଉଥିବା ଅସହାୟ ଲୋକଙ୍କୁ ଶୀତବସ୍ତ୍ର ବଂଟନ କରିବା ସହ ରାସ୍ତାରେ କୌଣସି ଅଚିହ୍ନା ଅପରିଚିତ ବ୍ୟକ୍ତି ନିଜର ଠିକଣା ହଜେଇ ବୁଲୁଥିବା ବେଳେ ଏହି ଅନୁଷ୍ଠାନ ତରଫରୁ ସେମାନଙ୍କୁ ଚିକିତ୍ସା ଏବଂ ଖାଦ୍ୟ ଯୋଗାଇ ଦେଇ ସେମାନଙ୍କର ପରିଚୟ ଆଦାୟ କରି ସେମାନଙ୍କ ଘରକୁ ଖବର ପଠାଇ ଉପକାର କରିଥାଆନ୍ତି । ଏହିଭଳି ଅନେକ ଜନହିତକର କାର୍ଯ୍ୟକ୍ରମ ଅନୁଷ୍ଠାନ ତରଫରୁ ବର୍ଷ ତମାମ୍ ଜାରି ରହିଥାଏ ଏବଂ ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ତପନ ବିଶ୍ୱାଳ କହିଛନ୍ତି । ଅନୁଷ୍ଠାନର ସଦସ୍ୟମାନେ ନିଜ ନିଜ ଭିତରେ ଅର୍ଥ ଯୋଗାଡ଼ କରି ଏବଂ ଅନୁଷ୍ଠାନକୁ ଆଶୀର୍ବାଦ କରୁଥିବା ଧନୀ ଶ୍ରେଣୀର ଲୋକମାନଙ୍କଠାରୁ ଅର୍ଥ ଯୋଗାଡ କରି ଗରିବ ଓ ଅସହାୟ ଲୋକଙ୍କୁ ସହଯୋଗର ହାତ ବଢାଇ ଆସୁଥିବା ବେଳେ ଦିନକୁ ଦିନ ଅଧିକାଂଶ ଲୋକ ଏହି ଅନୁଷ୍ଠାନକୁ ସାହାଯ୍ୟ କରୁଛନ୍ତି ଏବଂ ସାହାଯ୍ୟ ପାଇବା ପାଇଁ ଆଶା ମଧ୍ୟ ରଖୁଛନ୍ତି ।
‘ୱି ଡୋନେଟ୍ ହାପିନେସ୍’ର ଅଭଡ଼ା ପ୍ରସାଦ ବଂଟନ
