ସ୍ୱେଚ୍ଛାସେବୀ ସେବାକନ୍ଦ୍ର ଭୁବନେଶ୍ୱର ତରଫରୁ ବିଶ୍ୱ ଜଳ ଦିବସ ପାଳିତ

ଭୁବନେଶ୍ୱର,୨୩/୦୩/୨୦୨୪ (ଓଡ଼ିଶା ସମାଚାର)- ଜଳ ହିଁ ଜୀବନ, ଜଳ ହେଉଛି ମନୁଷ୍ୟ ପାଇଁ ଅମୃତ ସମାନ । ଜଳ ବିନା ଜୀବଜଗତ ବଂଚିବା ସମ୍ଭବପର ନୁହେଁ । ମାତ୍ର ଦୁଃଖ ଓ ପରିତାପର ବିଷୟ, ପୃଥିବୀରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି, ବୃକ୍ଷ ଛେଦନ ଓ ଜଳର ଅପଚୟ ଯୋଗୁ ଆଗାମୀ ଭବିଷ୍ୟତରେ ଜଳର ଘୋର ଅଭାବ ଦେଖାଯିବ ବୋଲି ଆକଳନ କରାଯାଇଛି । ଏହାର ପ୍ରଭାବରେ ଜୀବ ଜଗତ ଓ ଉଦ୍ଭିଦ ଜଗତ ବହୁ ସମସ୍ୟାର ସମ୍ମୁଖୀନ ହେବେ । ପାଣି ମୁନ୍ଦିଏ ପିଇବା ପାଇଁ ସାଧାରଣ ଜନତା ଡହଳ ବିକଳ ହେବେ, ବୁଲା ଗୋରୁଗାଈ, ଷଣ୍ଢ ଓ ଅନ୍ୟାନ୍ୟ ପଶୁପକ୍ଷୀ ଜଳ ବିନା ଅକାଳରେ ମୃତୁ୍ୟବରଣ କରିବେ । ତେଣୁ ଜଳର ସୁରକ୍ଷା ପାଇଁ ଆମକୁ ଏବେଠାରୁ ସଚେତନ ହେବାକୁ ପଡ଼ିବ ବୋଲି ସ୍ୱେଚ୍ଛାସେବୀ ସେବାକେନ୍ଦ୍ରର କର୍ମକର୍ତାମାନେ ମତପୋଷଣ କରିଥିଲେ ।
ଏହାକୁ ଆଖି ଆଗରେ ରଖି ସ୍ୱେଚ୍ଛାସେବୀ ସେବାକେନ୍ଦ୍ର ‘ଭୁବନେଶ୍ୱର’ ତରଫରୁ ଶୁକ୍ରବାର ଦିନ ରତିକାନ୍ତ ନାଥ ଓ ସ୍ୱପ୍ନା ନାଥଙ୍କ ମିଳିତ ଉଦ୍ୟମରେ ଚନ୍ଦକା ଗ୍ରାମବାସୀମାନଙ୍କୁ ଜଳ ସଂରକ୍ଷଣ ଉପରେ ସଚେତନ କରାଯିବା ସହ ସନ୍ତୋଷ କୁମାର ସାହୁ ଓ ଭାଗ୍ୟଲକ୍ଷ୍ମୀ ଖୁଂଟିଆଙ୍କ ମିଳିତ ଉଦ୍ୟମରେ ଭୁବନେଶ୍ୱରସ୍ଥିତ ରାଜମହଲଠାରୁ ମାଷ୍ଟରକ୍ୟାନଟିନ ଛକ ପର୍ଯ୍ୟନ୍ତ ପଦଯାତ୍ରା ଦ୍ୱାରା ସହରବାସୀଙ୍କୁ ଜଳ ସୁରକ୍ଷା ଉପରେ ବିଭିନ୍ନ ସ୍ଲୋଗାନ ଦେଇ ସଚେତନ କରାଇଥିଲେ । ଏହି ସଚେତନ କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ସେବାକେନ୍ଦ୍ରର ସମ୍ପାଦକ ବାପି ନାୟକ, ପି୍ରୟାଲି ବେହେରା, ଭାଗିରଥି ନାୟକ, ବୀଣା, ଗୀତାଞ୍ଜଳି, ଅଜୟ ପ୍ରମୁଖ ଯୋଗଦେଇ ଜଳ ସଂରକ୍ଷଣ ଉପରେ ସଚେତନତା କରାଇଥିଲେ ।

Leave a Reply

Your email address will not be published. Required fields are marked *