ତହସିଲଦାରଙ୍କ ଉପରେ ଆକ୍ରମଣକୁ ନେଇ ଯାଜପୁର ଜିଲ୍ଲା ଓଏଏସ୍ ସଂଘର କ୍ଷୋଭ ପ୍ରକାଶ

ଯାଜପୁର,୨୨/୦୪/୨୦୨୬ (ଓଡ଼ିଶା ସମାଚାର)- କିଛି ଦିନ ପୂର୍ବରୁ ବ୍ୟାସନଗର ତହସିଲଦାର ପ୍ରଶାନ୍ତ ପଣ୍ଡାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଯାଜପୁର ଜିଲ୍ଲା ସଂଘ ପକ୍ଷରୁ ଏକ ବୈଠକ କରାଯାଇ ଏଭଳି ଅପରାଧିକ ଆକ୍ରମଣ ଉଦ୍ୟମକୁ ଦୃଢ଼ ନିନ୍ଦା ସହ କ୍ଷୋଭ ପ୍ରକାଶ କରାଯାଇଛି। ଆଜିର ଏହି ବୈଠକରେ ଜିଲ୍ଲାପାଳ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶିବାନନ୍ଦ ସ୍ୱାଇଁ, ମୁଖ୍ୟ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ମହାନ୍ତିଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ଓଏଏସ୍ ଅଧିକାରୀ, ଯାଜପୁର ଜିଲ୍ଲାର ସମସ୍ତ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ସମସ୍ତ ଡେପୁଟି କଲେକ୍ଟର ଯୋଗ ଦେଇଥିଲେ।

ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଆକ୍ରମଣ ଦିନର ଘଟଣାକ୍ରମ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ, ଅବୈଧ ଲଘୁ ଖଣିଜ ଚାଲାଣ ମାମଲା ସମ୍ବନ୍ଧୀୟ ଖବର ପାଇ ବ୍ୟାସନଗର ତହସିଲଦାର ଛାପା ମାରିବା ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେଠାରେ ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଦ୍ଵାରା ଆକ୍ରମଣ ହେବା ପରେ ସେ ଗୁରୁତର ଆହତ ହୋଇ କୋରେଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ପରେ କଟକକୁ ସ୍ଥାନାନ୍ତରିତ କରାଯାଇଥିଲା। ଏହି ଘଟଣା ପରେ ପୋଲିସ ପ୍ରଶାସନ ଆକ୍ସନ ମୋଡକୁ ଆସି ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଜଣେ କର୍ତ୍ତବ୍ୟରତ ଅଧିକାରୀଙ୍କ ଉପରେ ଏଭଳି ଆକ୍ରମଣ ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ବୋଲି ବରିଷ୍ଠ ଓଏଏସ ଅଧିକାରୀମାନେ ମତ ବ୍ୟକ୍ତ କରିଥିଲେ।

ଏହାସହ ଏଭଳି ପରିସ୍ଥିତିକୁ କିଭଳି ଏଡ଼ାଇ ହେବ ଏବଂ ପୋଲିସ ଓ ଖଣି ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରି ସୁରକ୍ଷିତ ଭାବେ କର୍ତ୍ତବ୍ୟ ସମ୍ପାଦନ କରାଯାଇପାରିବ, ସେ ସମ୍ପର୍କରେ ବରିଷ୍ଠ ଓଏଏସ ଅଧିକାରୀମାନେ ସେମାନଙ୍କ ଅଭିଜ୍ଞତା ବାଣ୍ଟିଥିଲେ। ଏଥିରୁ ନବନିଯୁକ୍ତ ଅଧିକାରୀମାନେ ଏଦିଗରେ ସଚେତନ ହୋଇପାରିବେ। ଆଗାମୀ ଦିନରେ ସଂଘକୁ ଆହୁରି ସୁଦୃଢ଼ କରାଯାଇ ପ୍ରତି ମାସରେ ଜିଲ୍ଲା ଓଡ଼ିଶା ପ୍ରଶାସନିକ ସେବା ସଂଘର ବୈଠକ ଡାକିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ଏହାସହ ବୈଠକର ରିଜୋଲ୍ୟୁସନରେ ସଂଘର ସମସ୍ତ ଅଧିକାରୀ ସ୍ୱାକ୍ଷର କରିଥିଲେ ଏବଂ ଏହାକୁ ରାଜ୍ୟ ଓଏଏସ ସଂଘ ନିକଟକୁ ପ୍ରେରଣ କରାଯିବ।

Leave a Reply

Your email address will not be published. Required fields are marked *