ଅଗ୍ରଗତିର ସମୀକ୍ଷା କଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ — ତ୍ୱରିତ କାର୍ଯ୍ୟାନ୍ୱୟନ ପାଇଁ ନିର୍ଦ୍ଦେଶ
ପ୍ରମୁଖ ପ୍ରକଳ୍ପ ଯଥା ଖଣି ଓ ଶିଳ୍ପ, ରେଳ ପ୍ରକଳ୍ପ,ଜାତୀୟ ରାଜପଥଓ 4G ଭିତ୍ତିକ ମୋବାଇଲ ସେବା ପ୍ରକଳ୍ପର ଅଗ୍ରଗତି ସମୀକ୍ଷା
ଭୁବନେଶ୍ୱର,୧୨/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜଙ୍ଗଲ ସମ୍ବନ୍ଧୀୟ ସମସ୍ୟାର ସମାଧାନ ଏବଂ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଫରେଷ୍ଟ ଡାଇଭର୍ଶନ ପ୍ରସ୍ତାବଗୁଡ଼ିକର ତ୍ୱରିତ ପ୍ରକ୍ରିୟାକରଣ ସୁନିଶ୍ଚିତ କରିବା ପାଇଁ ଚତୃର୍ଥ ସମନ୍ୱୟ ବୈଠକ ଆଜି ଗୃହ ବିଭାଗର ସମ୍ମିଳନୀ କକ୍ଷରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପୂର୍ବବର୍ତ୍ତୀ ନଭେମ୍ବର ମାସରେ ହୋଇଥିବା ବୈଠକରେ ଆଲୋଚିତ ପ୍ରକଳ୍ପ ଗୁଡ଼ିକର ନିର୍ଦ୍ଧାରିତ ସମୟ ସୀମା ଅନୁଯାୟୀ ଅଗ୍ରଗତିର ସମୀକ୍ଷା ପୂର୍ବକ ଆଜିର ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପିଏମଜି (PMG)/ପ୍ରଗତି ପୋର୍ଟାଲର ଓ ରାଜ୍ୟପାଇଁ dedicated taskforceରେ ଥିବା 32ଟି ମହତ୍ତ୍ୱପୂର୍ଣ୍ଣ ମୁଖ୍ୟ ପ୍ରକଳ୍ପଗୁଡ଼ିକ ଉପରେ ସମୀକ୍ଷା କରିଛନ୍ତି । ଏଗୁଡିକ ମଧ୍ୟରେ କ୍ୟାପିଟାଲ ରିଜିଅନ୍ ରିଙ୍ଗ ରୋଡ୍ ପ୍ରକଳ୍ପ, ଭାରତୀୟ ରେଳବାଇର ଗୋରୁମହିଷାଣୀ ନୂତନ ରେଳ ଲାଇନ୍, ରିଲାୟନ୍ସ ଜିଓ ଇନ୍ଫୋକମ୍ ଲିମିଟେଡ୍ ଏବଂ ବିଏସଏନଏଲ ର ୪ G ଭିତ୍ତିକ ମୋବାଇଲ ସେବା ପ୍ରକଳ୍ପ, ଜିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ (GSI)ର ଖନନ ଅନୁସନ୍ଧାନ ପ୍ରକଳ୍ପ, ଜାତୀୟ ରାଜପଥର ୫ ଟି ହାଇ ଲେବେଲ ସେତୁ ପ୍ରକଳ୍ପ, ଇଣ୍ଡିଆନ୍ ରେୟାର୍ ଆର୍ଥ୍ସ୍ ଲିମିଟେଡ୍, ଓପିଟିସିଏଲ (OPTCL)ର ଟ୍ରାନ୍ସମିସନ ଲାଇନ୍ ପ୍ରକଳ୍ପ ସମେତ, କଳ୍ୟାଣୀ ଷ୍ଟିଲ୍, ଟାଟା, ଭୂଷଣ, ଡାଲମିଆ, ରୁଙ୍ଗଟା, ବେଦାନ୍ତ, ଟ୍ରଷ୍ଟଲାଇନ ମାଇନିଙ୍ଗ, ଆଖରକଟା ଇତ୍ୟାଦିଙ୍କ ଅନେକ ଲୌହ, ବକ୍ସାଇଟ୍ ଓ ଚୁନଖଣ୍ଡ ଖଣି ପ୍ରକଳ୍ପ, ବିଭିନ୍ନ ଘରୋଇ ଶିଳ୍ପ ପ୍ରକଳ୍ପଗୁଡ଼ିକ ଆଲୋଚିତ ହୋଇଥିଲା ।
ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା ଅବସରରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ BSNL ଓ Reliance Jio ଦ୍ୱାରା OFC କେବଲ ବିଛା ଓ ଟାୱର ସ୍ଥାପନା ସମ୍ବନ୍ଧିତ କାର୍ଯ୍ୟରେ ଆଖିଦୃଶିଆ ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିଥିଲେ । OPTCL ର ଟ୍ରାନ୍ସମିଶନ ଲାଇନ ଏବଂ GSIର ଅନୁସନ୍ଧାନ ପ୍ରକଳ୍ପଗୁଡିକର କାର୍ଯ୍ୟ ମଧ୍ୟ ସନ୍ତୋଷଜନକ ଭାବେ ଅଗ୍ରଗତି କରିଛି । NHAIର ଦୁଇଟି ପ୍ରକଳ୍ପ, ଯଥା CRRR-I ଏବଂ CRRR-II ର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଥିଲା ଯେଉଁଥିରେ ଗୋଟିଏ ମାସ ମଧ୍ୟରେ ଯଥେଷ୍ଟ ପ୍ରଗତି ହାସଲ ହୋଇ ପାରିଛି। ପ୍ରକଳ୍ପଗୁଡ଼ିକରେ ବନ୍ୟପ୍ରାଣୀ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ PCCF (WL)ଙ୍କ ଦ୍ୱାରା ସମାଧାନ ହୋଇ ପାରିଛି। ଖଣି ନିର୍ଦ୍ଦେଶକ ଅବଗତ କରିଥିଲେ ଯେ ରାଜ୍ୟ ସରକାର ପକ୍ଷରୁ ଅଧିକାଂଶ ଖଣି ପ୍ରକଳ୍ପ ସମ୍ବନ୍ଧୀୟ ପ୍ରକ୍ରିୟାକରଣ ସରିଛି ଓ ବର୍ତ୍ତମାନ ସେଗୁଡ଼ିକ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଅନୁମୋଦନ ପାଇଁ ଅପେକ୍ଷା କରାଯାଇଛି ।
ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ଫରେଷ୍ଟ ଡ଼ାଇଭର୍ସନ ଅନୁମୋଦନ ପ୍ରକ୍ରିୟାକୁ ସେମାନଙ୍କ ସ୍ତରରେ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏବଂ ତ୍ୱରାନ୍ୱିତ ପ୍ରକ୍ରିୟାରେ ସମସ୍ତ ମାମଲା ସକ୍ରିୟ ଭାବେ ସମାଧାନ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ସମସ୍ତ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ଡିଭିଜନ ବନଖଣ୍ଡ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ଫରେଷ୍ଟ ଡାଇଭର୍ଶନ ପ୍ରସ୍ତାବ ଗୁଡିକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କହିଥିଲେ। ଅନାବଶ୍ୟକ ବିଳମ୍ବକୁ ଏଡାଇବା ପାଇଁ ସମସ୍ତ ପର୍ଯ୍ୟାୟରେ ତଦାରଖ, ତଥା ସମୟ ଓ ନିୟମର ଅନୁପାଳନ ନିଶ୍ଚିତ କରିବାକୁ ନୋଡାଲ୍ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରକ୍ରିୟାକରଣ ସମୟକୁ କମ କରିବା ପାଇଁ ସମସ୍ତ ଆବଶ୍ୟକୀୟ କାଗଜପତ୍ର ଏବଂ ମାନଚିତ୍ରକୁ ବିଳମ୍ବ ନକରି ସମ୍ପୃକ୍ତ ଡିଏଫଓଙ୍କୁ ଦାଖଲ କରିବାକୁ ଉପଭୋକ୍ତା ଏଜେନ୍ସିଗୁଡ଼ିକୁ ପରାମର୍ଶ ଦିଆଯାଇଥିଲା।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆହୁରି କହିଥିଲେ ଯେ ଫରେଷ୍ଟ ଡ଼ାଇଭର୍ସନ ପ୍ରସ୍ତାବଗୁଡ଼ିକ ନିର୍ଦ୍ଧାରିତ ସମୟସୀମା ଭିତରେ ପ୍ରକ୍ରିୟା ସାରିବା ଦରକାର । ଏଣିକି ଘରୋଇ ଶିଳ୍ପ ପ୍ରକଳ୍ପ ଗୁଡିକ ମଧ୍ୟ ସମୀକ୍ଷା ବୈଠକରେ ଆଲୋଚିତ ହେବ ଏବଂ ସେମାନେ ସମସ୍ତ ବିଭାଗର ସମନ୍ୱୟରେ କାମ କରି ସମୟୋପଯୋଗୀ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବେ। ଯେହେତୁ ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗ ଅନେକ ଶିଳ୍ପ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି, ତେଣୁ ବନ ବିଭାଗ ସକ୍ରିୟ ଏବଂ ତ୍ୱରିତ ଭାବରେ ବିଭିନ୍ନ ଶିଳ୍ପ ପାଇଁ ଜମି ଚିହ୍ନଟ, ସର୍ଭେ ଏବଂ ସୀମା ନିର୍ଦ୍ଧାରଣ, ଜନଶୁଣାଣି ଇତ୍ୟାଦି ଦ୍ୱାରା ଜଙ୍ଗଲ ପରିବର୍ତ୍ତନ ପ୍ରସ୍ତାବ ଦାଖଲ କରିବା ସହିତ ଜଙ୍ଗଲ ବିଭାଗର ନିୟମର ଅନୁପାଳନ କରିବାକୁ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ।
ଏହି ବୈଠକରେ ଅତିରିକ୍ତ ପିସିସିଏଫ୍ (ନୋଡାଲ୍) କେ. ମୁରୁଗେସନ୍, ବିଶେଷ କର୍ତ୍ତବ୍ୟରତ ଅଧିକାରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଲିଙ୍ଗରାଜ ଓତା, ସିସିଏଫ୍ (ନୋଡାଲ୍) ଏ.କେ. କର, ଓପିଟିସିଏଲ ର ଅଧିକାରୀମାନେ, ରେଳବାଇର ମୁଖ୍ୟ ଯନ୍ତ୍ରୀ ଶ୍ରୀ ସଞ୍ଜୟ କୁମାର ଦାସ, NH ବିଭାଗର ମୁଖ୍ୟ ଯନ୍ତ୍ରୀ, GSI ର DDG, RO, NHAI, ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଓ ବିଭାଗୀୟ ବନଖଣ୍ଡ ଅଧିକାରୀ, ୟୁଜର୍ ଏଜେନ୍ସିର ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ ।
-0-
ସରୋଜ କୁମାର ଶତପଥୀ ,ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
