ରାଜ୍ୟ ପୁସ୍ତକ ମେଳାରେ ଉପନ୍ୟାସ “ଅପେକ୍ଷାର ଅନ୍ତରଦାହ” ଉନ୍ମୋଚିତ

କଟକ,୧୨/୧୨/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା) ଆକାଶବାଣୀରୁ ନିଜ ସୃଜନ ଜୀବନର ଗତିପଥକୁ ବେଶ ସମୃଦ୍ଧ କରିପାରିଥିବା ଯୁବ ସାହିତ୍ୟିକା  ସୁପ୍ରଭା ସାମଲ  ଏକାଧାରରେ କବି, ଗାଳ୍ପିକା, ଉପନ୍ୟାସିକା,ଗୀତି କବିତା ଓ ଫିଚର ସାହିତ୍ୟର ଧୂରୀଣ ସ୍ରଷ୍ଟା ।

ସାଧାରଣ ତେଲ ଲୁଣ ଦୁନିଆଁର ମଣିଷ ମାନଙ୍କ ସଂଘର୍ଷ ଓ ସଂଘାତର କାହାଣୀକୁ ଶବ୍ଦରେ ରୂପାୟୀତ କରିବାରେ ସେ ଖୁବ ସିଦ୍ଧହସ୍ତ  । ତାଙ୍କ ଲେଖନୀରେ ସାମାଜିକ, ଆଧ୍ୟାତ୍ମିକ, ବୌଦ୍ଧିକ ଏବଂ ମାନସ୍ତା ତ୍ଵିକ ଦିଗ ପ୍ରାଞ୍ଜଳ ଭାବରେ ପ୍ରତିଫଳିତ ।  ସୁପ୍ରଭା ସାମଲ ଙ୍କ ପ୍ରଥମ ଗଳ୍ପ ପୁସ୍ତକ “ସ୍ୱପ୍ନର ପରିଧି” ପ୍ରକାଶିତ ହେବାପରେ ଏହା ତାଙ୍କୁ ଆଣି ଦେଇଥିଲା ବେଶ ପାଠକୀୟ ଶ୍ରଦ୍ଧା ଓ ସ୍ୱୀକୃତି  । ରାଜ୍ୟ ପୁସ୍ତକ ମେଳାରେ ସୁପ୍ରଭାଙ୍କ ନୂତନ ଉପନ୍ୟାସ “ଅପେକ୍ଷାର ଅନ୍ତରଦାହ” ଉନ୍ମୋଚିତ ହୋଇଯାଇଛି ।

ଏହି ସାରସ୍ୱତ କାର୍ଯ୍ୟକ୍ରମରେ ବିଶିଷ୍ଟ ଗାଳ୍ପିକ ତଥା ଉପନ୍ୟାସିକ ଅଜୟ କୁମାର ସ୍ୱାଇଁ,କଥାକବିତା ର ସମ୍ପାଦକ କବି ଅକ୍ଷୟ ବେହେରା, ସାହିତ୍ୟିକ ଓ ସାମ୍ବାଦିକ କେଦାର ମିଶ୍ର,ବର୍ଷା ପବ୍ଲିକେସନ ପ୍ରକାଶକ କବି ବାଦଲ ମହାନ୍ତି,ଡଟ ବୁକ୍ସର ପ୍ରକାଶକ ଗାଳ୍ପିକ ସନ୍ତୋଷ କୁମାର, ଅଧ୍ୟାପିକା ତଥା ଲେଖିକା ସସ୍ମିତା ଦାସ, କବି କେ ବିପ୍ଳବ, ସାହିତ୍ୟିକ ଅଖିଳେଶ ମହାନ୍ତି,ସାହିତ୍ୟିକ ଶ୍ରୀମନ୍ତ ପଣ୍ଡା, ସାହିତ୍ୟିକ ରମାକାନ୍ତ ଗୋଛାୟତ ଏବଂ କବି ରଶ୍ମିତା ବେହେରା ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ମାହାଙ୍ଗା ଭଳି ଏକ ସାରସ୍ୱତ ମାଟିରୁ ନିଜ ସାଧନକୁ ସେ ଆହୁରି ବ୍ୟାପକ କରନ୍ତୁ ବୋଲି ଅତିଥି ମାନେ ଆହ୍ୱାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *