ଭୁବନେଶ୍ୱର,୧୧/୧୨/୨୦୨୫ (ଓଡ଼ିଶା ସମାଚାର)- ୩ ଲକ୍ଷ ଶବ୍ଦ ଭଣ୍ଡାରରେ ଓଡ଼ିଆ ଭାଷା ସମୃଦ୍ଧ ହୋଇଥିବା ସ୍ଥଳେ ଏହାର ସୁରକ୍ଷା ଦାୟିତ୍ୱ ସବୁ ଓଡ଼ିଆଙ୍କର ବୋଲି ବିଶିଷ୍ଟ କବି ତଥା ଜନନେତା ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ କହିଛନ୍ତି । ଆଜି ଭୁବନେଶ୍ୱର ଜୟଦେବ ଭବନଠାରେ ନିଖିଳ ଓଡ଼ିଶା ପ୍ରଗତିଶୀଳ ଲେଖକ ମହାସଂଘ ଟ୍ରଷ୍ଟର ରୌପ୍ୟଜୟନ୍ତୀ ମହାସମାରୋହରେ ପାଳିତ ହେଉଥିବା ସ୍ଥଳେ ଏହାର ସମ୍ବର୍ଦ୍ଧନା ଉତ୍ସବକୁ ଉଦ୍ଘାଟନ କରି ଡଃ ପାଟ୍ଟଶାଣୀ କହିଛନ୍ତି ଯେ, ସାହିତ୍ୟ ସଭା ସଂଖ୍ୟା ଗଣନାର କ୍ଷେତ୍ର ନୁହେଁ, ଏଠାରେ ଚିନ୍ତାଶୀଳ କବି ଓ ଦିଗ୍ଦର୍ଶକ ସାହିତି୍ୟକଙ୍କ ଉପସ୍ଥିତି ସଭାର ଗୁରୁତ୍ୱ ବଢାଏ ।
ଇଂରାଜୀ ଭାଷାରେ ମାତ୍ର ୨୦ ହଜାର ଶବ୍ଦ ଥିବା ସ୍ଥଳେ ୩ ଲକ୍ଷ ଶବ୍ଦ ସମ୍ଭାରରେ ଓଡ଼ିଆ ଭାଷା ଏହାଠାରୁ ଶ୍ରେଷ୍ଠ ବୋଲି ସେ କହିଥିଲେ । ପୂର୍ବତନ ମନ୍ତ୍ରୀ ଶ୍ରୀ ସୁରେଶ କୁମାର ରାଉତରାୟ ଏହି ଅବସରରେ ସାହିତ୍ୟ ସଭାର ଆଲୋଚନା ସହିତ ସାହିତ୍ୟ ବଂଚିବାକୁ ଅର୍ଥ ମଧ୍ୟ ଆବଶ୍ୟକ ବୋଲି ଦର୍ଶାଇଥିଲେ । ଓଡ଼ିଶାରେ ସମସ୍ତଙ୍କ ହୃଦୟରେ ଶ୍ରୀଜଗନ୍ନାଥ ରହିଥିବା ସ୍ଥଳେ ସମସ୍ତଙ୍କ ପାଇଁ ଲକ୍ଷ୍ମୀଙ୍କର ଆଶୀର୍ବାଦ ଆବଶ୍ୟକ ବୋଲି ମତ ଦେଇଥିଲେ ।
ଆଲୋଚନାରେ ସଭାପତିତ୍ୱ କରି ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ଶ୍ରୀ ପ୍ରଦୋଷ ପଟ୍ଟନାୟକ ଲେଖକ ମହାସଂଘର ୨୫ବର୍ଷ ପୂର୍ତି ଅବସରରେ ଆସନ୍ତା ବର୍ଷବ୍ୟାପୀ ବିଭିନ୍ନ ରଚନାତ୍ମକ ସାହିତ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି କହିଥିଲେ । ଏଥିସହିତ ପ୍ରଗତିିଶୀଳ ଲେଖକ ଓ କବିମାନଙ୍କର ସମାଜ ପ୍ରତି ଗୁରୁଦାୟିତ୍ୱ ରହିଥିବା କହିଥିଲେ । ମହାସଂଘର ପ୍ରତିଷ୍ଠାତା କବି କଣ୍ଡୁରୀ ଚରଣ ଦାସ ମହାସଂଘ ଆରମ୍ଭରୁ ଏ ପର୍ଯ୍ୟନ୍ତ ଘଟିଥିବା ଉଲ୍ଲେଖନୀୟ ଘଟଣାର ଅବତାରଣା କରିଥିଲେ । କବି ଡ. ରକ୍ଷକ ନାୟକ ଏହି ସଂଗଠନ ସହ ଯୁବଗୋଷ୍ଠୀଙ୍କୁ ସମ୍ପୃକ୍ତ କରାଇବାକୁ ପରାମର୍ଶ ଦେଇଥିଲେ ।
ଏହି ସମ୍ବର୍ଦ୍ଧନା ଉତ୍ସବରେ ପ୍ରଭାତ ବେହୁରା, ଆକାଶବାଣୀ ଓ ଦୂରଦର୍ଶନ ସମ୍ବାଦ ବିଭାଗର ପୂର୍ବତନ ଉପନିର୍ଦ୍ଧେଶକ ସୁଧାଂଶୁ ଶେଖର ଧଡା ପ୍ରମୁଖ କବି, ସାହିତି୍ୟକ ଆଦିଙ୍କର ସମାଜ ଗଠନରେ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ରାଜ୍ୟ ସାଧାରଣ ସମ୍ପାଦକ ସନତ ମିଶ୍ର ସଭାର ପ୍ରାକ୍ ସୂଚନା ଦେଇ ସ୍କୁଲ୍, କଲେଜ ଓ ବିଶ୍ୱବିଦ୍ୟାଳୟ ଆଦିରୁ ନବସୃଜନମାନଙ୍କୁ ନିର୍ବାଚିତ କରି ବିଭିନ୍ନ ସମୟରେ ଗୋଟିଏ ଗୋଟିଏ ଦିନ ଆଲୋଚନା ନିମିତ ରଖାଯିବା ବ୍ୟବସ୍ଥା ହେଲେ ଓଡ଼ିଆ ସାହିତ୍ୟର ପ୍ରଗତି ହେବ ବୋଲି କହିଥିଲେ ।
ଉଦ୍ଘାଟକ ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ ଏହି ଅବସରରେ ନିଖିଳ ଓଡ଼ିଶା ପ୍ରଗତିଶୀଳ ଲେଖକ ମହାସଂଘ ଟ୍ରଷ୍ଟର ସ୍ମରଣିକା-୨୦୧୫ ଏବଂ ପ୍ରଗତିଶୀଳ ସମ୍ବାଦପତ୍ର ‘ଓଡ଼ିଶା ସ୍ୱର’ ଉନ୍ମୋଚନ କରିଥିଲେ । ମହାସଂଘର ୨୫ବର୍ଷର ପୂର୍ତି ଉପଲକ୍ଷେ ସମାଜସେବୀ ଲିପ୍ସା ମଧୁସ୍ମିତା ମହାପାତ୍ର, ଡ. ଚିନ୍ତାମଣି ମିଶ୍ର, କବି ରକ୍ଷକ ନାୟକ, ଶ୍ରୀମତୀ ସବିତା ସମଦର୍ଶିନୀ, ଶ୍ରୀମତୀ ସୁଜାତା ଆଚାର୍ଯ୍ୟ, ଶ୍ରୀଯୁକ୍ତ ପ୍ରମୋଦ କୁମାର ସାମନ୍ତରାୟ, ଡାକ୍ତର ଦେବକାନ୍ତ ମିଶ୍ର, କବି ଗୋଲକ ବିହାରୀ ନାୟକ ପ୍ରମୁଖ ୨୫ଜଣ ବିଶିଷ୍ଟ ସାରସ୍ୱତ ସାଧକଙ୍କୁ ଉଦ୍ଘାଟକ ଏବଂ ଅତିଥିଗଣ ସମ୍ମାନିତ କରିଥିଲେ । ସମ୍ବର୍ଦ୍ଧନା ଉତ୍ସବ ପୂର୍ବରୁ ଅଧ୍ୟାପିକା ସୌଦାମିନୀ ବେଉରାଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବର ଆୟୋଜନ କରାଯାଇଥିଲା ।
