ଭୁବନେଶ୍ୱର,୧୦/୧୨/୨୦୨୫ (ଓଡ଼ିଶା ସମାଚାର)- ଓଡ଼ିଶା ବିକାଶର ବିଶ୍ୱକର୍ମା, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମଶତବାର୍ଷିକ ଉତ୍ସବ ଆସନ୍ତା ୨୦୨୬ ମସିହା ଜାନୁଆରୀ ୩ ତାରିଖରେ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ବୁଧବାର ପୂର୍ବାହ୍ନରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ଜନ୍ମଶତବାର୍ଷିକ କମିଟିରେ ସ୍ଥିର ହୋଇଛି ।
ଶତବାର୍ଷିକ କମିଟିର ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ ସମସ୍ତ ସଭ୍ୟସଭ୍ୟାମାନଙ୍କୁ ଶୁଭେଚ୍ଛ ଜଣାଇବା ପରେ ଉପାଧ୍ୟକ୍ଷ ପୂର୍ବତନ ସାଂସଦ ଶ୍ରୀ ଅନନ୍ତ ପ୍ରସାଦ ସେଠୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସମସ୍ତ ସଦସ୍ୟସଦସ୍ୟାମାନଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତ ଜିଲା ପ୍ରତିନିଧିମାନଙ୍କ ସହଯୋଗ କାମନା କରିଥିଲେ ।
ଆଲୋଚନାରେ ଅଂଶଗ୍ରହଣ କରି ଜୟପୁର ବିଧାୟକ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ତାରାପ୍ରସାଦ ବାହିନୀପତି କହିଲେ ଯେ, ଜାନକୀ ବାବୁ ଓଡ଼ିଶା ରାଜନୀତିର ସ୍ରଷ୍ଟା, ଆମେସବୁ ତାଙ୍କରିଠାରୁ ସୃଷ୍ଟି । ଦଳମତ ନିର୍ବିଶେଷରେ ତାଙ୍କ ଜନ୍ମଶତବାର୍ଷିକ ଉତ୍ସବକୁ ମହାସମାରୋହରେ ପାଳନ କଲେ ନୂତନ ଯୁବପିଢି ତାଙ୍କର ଅବଦାନ ବିଷୟରେ ଅବଗତ ହେବେ । ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ରାଜ୍ୟସ୍ତରୀୟ ଉତ୍ସବ ପରେ ପ୍ରତ୍ୟେକ ଜିଲାରେ ବର୍ଷବ୍ୟାପୀ କାର୍ଯ୍ୟକ୍ରମ ଚଳାଇ ରଖିବାକୁ ପ୍ରସ୍ତାବ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ଜିଲା କଂଗ୍ରେସ ସଭାପତି ରଣଜିତ ଦାସ, ପୂର୍ବତନ ଜିଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି, ମନୋଜ ରାଉତ, ଭୁବନେଶ୍ୱର ଜିଲା କଂଗ୍ରେସ ସଭାପତି ପ୍ରକାଶ ଜେନା, ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି ପ୍ରମୁଖ ନୂତନ ଯୁବପିଢିମାନେ ଜାଣିବା ପାଇଁ ଶହେ ପୃଷ୍ଠାରେ ଜନାକୀ ବାବୁଙ୍କର ଏକ ଜୀବନୀ ପୁସ୍ତକ ପ୍ରକାଶ କରାଯାଉ ବୋଲି ପ୍ରସ୍ତାବ ଦେଇଥିଲେ ।
ସମ୍ବଲପୁରର ଯୁବନେତା ଦୁର୍ଗା ପାଢୀ, ଡଃ ଶମ୍ଭୁ ପାଣିଗ୍ରାହୀ, ବିଶ୍ୱଜିତ ଦାସ, ନିକୁଞ୍ଜ ପଶାୟତ, ଯୋଗାନାଥ ବାହୁବଳେନ୍ଦ୍ର ପ୍ରମୁଖ ଜାନକୀବାବୁଙ୍କ ୧୪ ବର୍ଷ ଶାସନ ସମୟର ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ହୋଇଥିବା କାର୍ଯ୍ୟ ଉପରେ ଡକୁ୍ୟମେଂଟାରୀ କରିବାକୁ ପ୍ରସ୍ତାବ ଦେଇଥିଲେ । ଶେଷରେ ଭୁବନେଶ୍ୱର ଜିଲା କଂଗ୍ରେସର ପୂର୍ବତନ ସଭାପତି ବିଶ୍ୱଜିତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିରୂପମା ପାତ୍ର, ଦେବୀ ପ୍ରସାଦ ନାୟକ, ସରୋଜ ପରିଡ଼ା, ମନୋଜ ସାହୁ, ନସରତ ଅଲ୍ଲୀ, ଏକାମ୍ରର ଶ୍ରୀ ଚମ୍ପତି, ସଞ୍ଜୟ ରାଉତ, ଆଲୋକ ମହାନ୍ତି, ମନୋଜ ବିଶ୍ୱାଳ, ମାନସ ଆଚାର୍ଯ୍ୟ, ମିହିର ଆଚାର୍ଯ୍ୟ, ସୁବ୍ରତ ମହାପାତ୍ର, ଘନଶ୍ୟାମ ମହାନ୍ତି, ହରିବନ୍ଧୁ ଶତପଥୀ, ଅଶୋକ ଦାସ, ଅମିତ ମହାନ୍ତି, ମିଟୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
