୭ମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ : ଶିଶୁ ସାହିତ୍ୟ, ପୁରସ୍କାର ପ୍ରାପ୍ତ ଉପନ୍ୟାସ ଓ ଗବେଷଣାତ୍ମକ ପୁସ୍ତକର ଚାହିଦା ବଢୁଛି

ସଂସ୍କୃତି ବିଭାଗର ୭ଟି ଷ୍ଟଲରେ ପାଠକମାନଙ୍କର ଭିଡ଼ ଜମୁଛି

ଭୁବନେଶ୍ୱର,୦୯/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଛି ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଦିବା ୨ ଘଟିକାରୁ ରାତ୍ର ୯ ଘଟିକା ଏବଂ ଶନିବାର ଓ ରବିବାର ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଆୟୋଜିତ ହେଉଛି ପୁସ୍ତକ ମହୋତ୍ସବ। ଚଳିତ ବର୍ଷ ୫୫୦ଟି ଷ୍ଟଲ ରହିଥିବା ବେଳେ ପୁସ୍ତକ ମହୋତ୍ସବରେ ୨୦୦ରୁ ଉର୍ଦ୍ଧ୍ୱ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଭାଗ ନେଇଛନ୍ତି। ପୁସ୍ତକ ମହୋତ୍ସବର ଟ୍ୟାଗଲାଇନ୍‌ ରହିଛି “ପୃଷ୍ଠା ଖୋଲନ୍ତୁ, ସ୍ବପ୍ନକୁ ଜାଗ୍ରତ କରନ୍ତୁ”।

ବହି କିଣିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ଏବଂ କୋରାପୁଟ କଫିର ମଜା ନେବାକୁ ପୁସ୍ତକ ମହୋତ୍ସବରେ ପାଠକମାନଙ୍କର ବେଶ୍ ଭିଡ଼ ଜମୁଛି। ତେବେ ଚଳିତ ଥର ପୁସ୍ତକ ମହୋତ୍ସବରେ ଶିଶୁ ସାହିତ୍ୟ, ପୁରସ୍କାର ପ୍ରାପ୍ତ ଉପନ୍ୟାସ ଓ ଗବେଷଣାତ୍ମକ ପୁସ୍ତକ ଗୁଡ଼ିକୁର ଚାହିଦା ବେଶ୍ ବଢିଛି। ଶିଶୁ ପାଠକମାନଙ୍କ ଠାରୁ ଆରମ୍ଭ କରି ଯୁବବର୍ଗ ଓ ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷମାନେ ଶିଶୁ ସାହିତ୍ୟ, ପୁରସ୍କାର ପ୍ରାପ୍ତ ଉପନ୍ୟାସ ଓ ଗବେଷଣାତ୍ମକ ପୁସ୍ତକ କିଣିବାକୁ ପସନ୍ଦ କରୁଛନ୍ତି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୭ଟି ଷ୍ଟଲରେ ଏହି ସବୁ ପୁସ୍ତକ କିଣିବା ପାଇଁ ପାଠକମାନଙ୍କର ଭିଡ଼ ଦେଖିବାକୁ ମିଳୁଛି। ଓଡ଼ିଆ ଭାଷା ପ୍ରତିଷ୍ଠାନ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର, ଓଡ଼ିଶା ରାଜ୍ୟ ଅଭିଲେଖାଗାର, ଓଡ଼ିଶା ରାଜ୍ୟ ସଂଗ୍ରହାଳୟ, ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ତରଫରୁ ପୁସ୍ତକ ମହୋତ୍ସବରେ ଷ୍ଟଲ ନିର୍ମାଣ କରାଯାଇଛି।

ଓଡ଼ିଆ ଭାଷା ପ୍ରତିଷ୍ଠାନର ପତ୍ରିକା “ଶିଶୁଲେଖା” ଶିଶୁ ପାଠକମାନଙ୍କୁ ବେଶ୍ ଆକର୍ଷିତ କରୁଛି। ପୁସ୍ତକରେ ସ୍ଥାନିତ ହୋଇଥିବା ରଙ୍ଗୀନ ଚିତ୍ର ଓ ଗଳ୍ପସମୂହକୁ ଶିଶୁ ପାଠକମାନେ ବେଶ୍ ପସନ୍ଦ କରୁଛନ୍ତି। ସେହିପରି ଭାବେ ସାହିତ୍ୟ ଅକାଦେମି ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କାର ପ୍ରାପ୍ତ ଉପନ୍ୟାସକୁ ମଧ୍ୟ ପାଠକମାନେ ବେଶ୍ ପସନ୍ଦ କରୁଛନ୍ତି। ୧୯୬୩ ମସିହାରେ ପ୍ରକାଶିତ ଓ ସାହିତ୍ୟ ଅକାଦେମି ପୁରସ୍କାର ପ୍ରାପ୍ତ ଉପନ୍ୟାସ “ବନଚାରୀ”, ଅକାଦେମି ପୁରସ୍କାର ପ୍ରାପ୍ତ ପୁସ୍ତକ “ଆଜାଦୀ”, ରବୀନ୍ଦ୍ର ନାଥ ଟାଗୋରଙ୍କ ରଚିତ “ଗୋରା” ଆଦି ପୁସ୍ତକ ପାଠକମହଲରେ ବେଶ୍ ପ୍ରଶଂସା ସାଉଁଟିଛି। ସେହିପରି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରକାଶିତ “ବାଲ୍ମୀକି ରାମାୟଣ”, “ରାମାୟଣ ହରିବଂଶ”, “ସ୍କନ୍ଦପୁରାଣରେ ଶ୍ରୀ ଜଗନ୍ନାଥ” ଆଦି ପୁସ୍ତକକୁ ମଧ୍ୟ ବୟୋଜ୍ୟେଷ୍ଠ ପାଠକମାନେ ବେଶ୍ ପସନ୍ଦ କରୁଛନ୍ତି।

ସେହିପରି ଭାବରେ ସଙ୍ଗୀତ, ନୃତ୍ୟ ଓ ନାଟକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଓଡ଼ିଶୀ ଗବେଷଣା କେନ୍ଦ୍ର ତରଫରୁ ପ୍ରକାଶିତ ପୁସ୍ତକ “ଓଡ଼ିଶୀ ନୃତ୍ୟ ସରଣୀ” ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ପ୍ରକାଶିତ “ଅନୁଭୂତି ଦର୍ପଣରେ ଓଡ଼ିଆ ନାଟକ”, “ଓଡ଼ିଶାର ଲୋକନାଟ୍ୟ”, “ଗଞ୍ଜାମର ଲୋକନାଟ୍ୟ” ଆଦି ଗବେଷଣା ଭିତ୍ତିକ ପୁସ୍ତକକୁ ବେଶ୍ ପସନ୍ଦ କରୁଛନ୍ତି।

ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପକ୍ଷରୁ ସହଜରେ ଉର୍ଦ୍ଦୁ ବର୍ଣ୍ଣମାଳା ଶିଖିବା ନିମନ୍ତେ “ଆସାନ୍‌ ଉର୍ଦ୍ଦୁ ତାଲିମ୍” ପୁସ୍ତକ ମଧ୍ୟ ବିକ୍ରି ହେଉଛି।

ଏଥିସହ ପୁସ୍ତକ ମହୋତ୍ସବର ମୁଖ୍ୟ ମଞ୍ଚ କବି ରମାକାନ୍ତ ରଥ ମଞ୍ଚରେ ଆଜି ଭାଷା ଆନ୍ଦୋଳନ, ଓଡ଼ିଶା ଓ ଆଭାସ ସମ୍ମିଳନୀର ମିଳିତ ଆନୁକୂଲ୍ୟରେ ସାହିତ୍ୟ ଆଲୋଚନା ଚକ୍ର ଓ ବ୍ୟଙ୍ଗ କବିତା ଆସର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଡ଼. ଅସୀମା ସାହୁ ଓ ବିନ୍ଦୁ ନିବେଦିତାଙ୍କ ରଚିତ ପୁସ୍ତକ “ବିନ୍ଦୁସୀମା” ଉନ୍ମୋଚିତ ହୋଇଥିଲା। ଶ୍ରୀଯୁକ୍ତ ପବିତ୍ର ମହାରଥାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଶ୍ରୀ ଜାନକୀଶ ବଡ଼ପଣ୍ଡା, ଶ୍ରୀ ସତ୍ୟବ୍ରତ ପଣ୍ଡା, ନାଟ୍ୟକାର ବିଜୟ ଦାସ, ଶ୍ରୀ ସତ୍ୟାନାଶ, ଶ୍ରୀମତୀ ଶ୍ରୁତକୀର୍ତ୍ତି ତ୍ରିପାଠୀ, ଶ୍ରୀ ଶାରଦା ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *