ଭୁବନେଶ୍ୱର,୦୬/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-
ସର୍ବପ୍ରଥମେ, ସମଗ୍ର ରାଜ୍ୟ ପକ୍ଷରୁ, ମୁଁ କେନ୍ଦ୍ର ଗୃହ ଏବଂ ସହକାରୀତା ମନ୍ତ୍ରୀ ମାନନୀୟ ଅମିତ ଶାହାଜୀଙ୍କୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମିରେ ସ୍ୱାଗତ କରୁଛି ।
ଆଜି, ଓଡ଼ିଶା ବିକାଶ ଯାତ୍ରାରେ ଏକ ନୂତନ ଅଧ୍ୟାୟ ଯୋଡି ହେବାକୁ ଯାଉଛି । ଭାରତର ବରେଣ୍ୟ ଜନନେତା, ଦୃଢ଼ ପ୍ରଶାସକ ତଥା ଦେଶର ଗୃହ ଏବଂ ସହକାରୀତା ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ କରକମଳରେ ଆଜି ଗୋଟିଏ ଦିନରେ ୩,୨୭୫ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଛି । ଏହା ସହିତ, ୬ଟି ପ୍ରକଳ୍ପ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହେଉଛି ।

ଆଜି, ମାନନୀୟ ଅମିତ ଶାହା ଜୀ ଜାତୀୟ ଫୋରେନସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସର ଭିତ୍ତିପ୍ରସ୍ତର ଏବଂ ଅସ୍ଥାୟୀ କ୍ୟାମ୍ପସର ଉଦ୍ଘାଟନ କରିଛନ୍ତି । ଏହା ସହିତ, କେନ୍ଦ୍ରୀୟ ଫୋରେନସିକ୍ ବିଜ୍ଞାନ ପ୍ରୟୋଗଶାଳାର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।
ଆଜି, ପାରାଦୀପରେ IFFCOର ନୂତନ ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି । ଏହା ଦ୍ବାରା ଆମେ ସାର ପ୍ରସ୍ତୁତି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଦିଗରେ ଆଉ ଏକ ପାଦ ଆଗକୁ ବଢିଛୁ । ଆଜି, ଏଠାରେ ଓଡ଼ିଶା ପୋଲିସ ଏବଂ IIT ଭୁବନେଶ୍ୱର ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେଉଛି ।
ଏହା ସାଇବର ସୁରକ୍ଷା ଏବଂ ତଦନ୍ତ କ୍ଷେତ୍ରରେ ଆମ ପୋଲିସର ସାମର୍ଥ୍ୟ ବୃଦ୍ଧି କରିବ । ଏହା ସହିତ, ଓଡ଼ିଶା ପୋଲିସ ଏବଂ ଜାତୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ ମଧ୍ୟରେ ଆଉ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେଉଛି । ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ ଆମ ପୋଲିସକୁ ଆଧୁନିକ ତାଲିମ ମଧ୍ୟ ପ୍ରଦାନ କରିବ ।
ଆଜି ଏଠାରେ, ଅମିତ ଶାହା ଜୀ ଶ୍ବେତ କ୍ରାନ୍ତି ୨.୦ ଅନ୍ତର୍ଗତ ଅନେକ ପ୍ରକଳ୍ପର ଶୁଭାରମ୍ଭ କରୁଛନ୍ତି । ଯେବେଠାରୁ ଶାହାଜୀ ଏକ ସ୍ୱାଧୀନ ମନ୍ତ୍ରଣାଳୟ ଭାବରେ ସମବାୟ ମନ୍ତ୍ରଣାଳୟ ଆରମ୍ଭ କରିଛନ୍ତି, ସେବେଠାରୁ ଏହି କ୍ଷେତ୍ରରେ ଏକ ନୂଆ ଦିଗନ୍ତ ସୃଷ୍ଟି ହୋଇଛି।
ମାନନୀୟ ଗୃହମନ୍ତ୍ରୀ,
ଆପଣଙ୍କ ସଫଳ କାର୍ଯ୍ୟକାଳ ମଧ୍ୟରେ, ଆପଣ ନୂତନ ଅପରାଧିକ ଆଇନ ଠାରୁ CAA ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ମୋର ଆଜି ଏହା କହିବାରେ କୌଣସି ଦ୍ୱିଧା ନାହିଁ ଯେ, ଭବିଷ୍ୟତରେ ଯେତେବେଳେ ଆଧୁନିକ ଭାରତର ରାଜନୈତିକ ଇତିହାସ ଲେଖାଯିବ, ମାନନୀୟ ଅମିତ ଶାହଜୀଙ୍କ ଦୁଇଟି ଐତିହାସିକ ନିର୍ଣ୍ଣୟ ସର୍ବଦା ମନେ ରହିବ । ପ୍ରଥମଟି ହେଉଛି ଧାରା ୩୭୦ରଦ୍ଦ କରି ଜାମ୍ମୁ ଓ କାଶ୍ମୀରକୁ ଭାରତ ସହିତ ମିଶ୍ରଣ କରିବା ଏବଂ ଦ୍ୱିତୀୟଟି ହେଉଛି ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମଗ୍ର ଭାରତରୁ ନକ୍ସଲ-ମାଓବାଦୀ ହିଂସାକୁ ଦୂର କରିବା । ଏହି ଦୁଇଟି ପଦକ୍ଷେପ ଏଥିପାଇଁ ମନେ ରହିବ, କାରଣ ଦେଶର ସବୁଠାରୁ ବଡ଼ ସମାଲୋଚକ ଏବଂ ରାଜନେତାମାନେ କହୁଥିଲେ ଯେ, ଏହି ଦୁଇଟି ପଦକ୍ଷେପ ଏକ ପ୍ରକାର ଅସମ୍ଭବ । କିନ୍ତୁ, ଆପଣ ଏହା କରି ଦେଖାଇଲେ । ଆଜି ନକ୍ସଲ ହିଂସା ଶେଷ ହେବାରେ ଲାଗିଛି । ମାର୍ଚ୍ଚ ୩୧ ସୁଦ୍ଧା ନକ୍ସଲ ହିଂସାରୁ ଓଡ଼ିଶା ସମ୍ପୂର୍ଣ୍ଣ ମୁକ୍ତ ହେବ । ଏହି ଦୁଇଟି ଐତିହାସିକ ପଦକ୍ଷେପ ଦ୍ବାରା, ଆପଣ ଭାରତ ମାତାଙ୍କ ପାଇଁ ଯେଉଁ ସେବା କରିଛନ୍ତି, ସେଥିପାଇଁ ସମଗ୍ର ଦେଶ ଆପଣଙ୍କ ନିକଟରେ କୃତଜ୍ଞ ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ମାର୍ଗଦର୍ଶନ ଏବଂ ଆପଣଙ୍କ ପ୍ରଭାବୀ କାର୍ଯ୍ୟାନ୍ୱୟନ ବ୍ୟବସ୍ଥା ଯୋଗୁଁ ଏହା ସମ୍ଭବ ହୋଇଛି ।
ଓଡ଼ିଶା ପୋଲିସକୁ ଶକ୍ତିଶାଳୀ, ପ୍ରଭାବଶାଳୀ ଏବଂ ବୃତ୍ତିଗତ କରିବାରେ ଆପଣଙ୍କ ଅବଦାନ ଅତୁଳନୀୟ । ଏହାଫଳରେ, ୨୦୨୫ ର ପ୍ରଥମ ଛଅ ମାସରେ, ଓଡ଼ିଶାରେ ମହିଳା ବିରୋଧୀ ଅପରାଧରେ ଦଣ୍ଡ ହାର ୪୧ ପ୍ରତିଶତ ବୃଦ୍ଧି ପାଇଛି, ଯାହା ୨୦୨୩ ରେ ମାତ୍ର ୬.୭ ପ୍ରତିଶତ ଥିଲା । ଏହା ସମ୍ଭବ ହୋଇଛି, ଆପଣଙ୍କ ସଠିକ୍ ମାର୍ଗଦର୍ଶନ ପାଇଁ ।
ପୋଲିସ ସଂସ୍କାର ସହିତ, ‘ସହକାରୀତା ସେ ସମୃଦ୍ଧି’ ଆମ ସମୃଦ୍ଧ ଓଡ଼ିଶାର ଦୃଷ୍ଟିକୋଣ ସହିତ ମେଳ ଖାଉଛି । କାରଣ, ସମବାୟ ମାଧ୍ୟମରେ, ସମାଜର ପଛୁଆ ବର୍ଗର ଲୋକମାନେ ଆର୍ଥିକ କାର୍ଯ୍ୟକଳାପରେ ସାମିଲ ହୋଇଥାନ୍ତି । ଯେତେବେଳେ କୋଟି କୋଟି ଗରିବ ଲୋକ ଆର୍ଥିକ ଭାବରେ ସଶକ୍ତ ହେବେ, ସେତେବେଳେ ଓଡ଼ିଶା ସମୃଦ୍ଧ ହେବ ଏବଂ ଭାରତ ବିକଶିତ ହେବ ।
ବନ୍ଧୁଗଣ,
ମୁଁ ବହୁତ ଖୁସି ଯେ, ଆଜି ଅମିତ ଶାହା ଜୀ ଆମର ନୂଆ ଓଡ଼ିଶା ସମବାୟ ନୀତିକୁ ଉନ୍ମୋଚନ କରିବାକୁ ଯାଉଛନ୍ତି ।
ଏହି ନୂଆ ନୀତି କେନ୍ଦ୍ର ସରକାରଙ୍କ ଜାତୀୟ ନୀତିର ଦୃଷ୍ଟିକୋଣକୁ ଆଧାର କରି ପ୍ରସ୍ତୁତ କରାଯାଇଛି । ‘ସହକାରୀତା ସେ ସମୃଦ୍ଧି’ର ଦୂରଦୃଷ୍ଟିକୁ ନେଇ ସମୃଦ୍ଧ ଓଡ଼ିଶା-୨୦୩୬ର ପରିକଳ୍ପନା ମଧ୍ୟ ଏଥିରେ ରହିଛି ।
ତା’ସହିତ ୧୫୬୬ PACS ର କମନ୍ ସର୍ଭିସ୍ ସେଣ୍ଟର ଲୋକାର୍ପଣ ସହିତ ଅନେକ ପ୍ରକଳ୍ପର ଶୁଭାରମ୍ଭ କରାଯାଉଛି । ସ୍କୁଲ ଅଫ୍ ତ୍ରିଭୂବନ ସହକାରୀ ବିଶ୍ୱ ବିଦ୍ୟାଳୟର କ୍ୟାମ୍ପସ୍ ସ୍ଥାପନ ପାଇଁ ମଧ୍ୟ MoU ସ୍ୱାକ୍ଷର ହେଉଛି ।
ସବୁଠାରୁ ବଡ଼ କଥା ହେଉଛି ବଡମ୍ୱା ଅଞ୍ଚଳର ଜନସାଧାରଣ ବର୍ଷ ବର୍ଷ ଧରି ବଡମ୍ୱା ସୁଗାରମିଲ୍ର ପୁନରୁଦ୍ଧାରର ସ୍ୱପ୍ନ ଦେଖି ଆସୁଛନ୍ତି ।
କିନ୍ତୁ, ଆଜି ପର୍ଯ୍ୟନ୍ତ ସେ ସ୍ୱପ୍ନ ପୂରଣ ହୋଇ ନଥିଲା । ଆଜି ଅମିତ ଶାହା ଜୀଙ୍କ ଉପସ୍ଥିତିରେ, ବଡମ୍ୱା ଅଞ୍ଚଳର ଲକ୍ଷ ଲକ୍ଷ ଲୋକଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଛି । ଓଡିଶାରେ ବିଶ୍ଵର ସବୁଠାରୁ ବୃହତ ଶସ୍ଯ ଗୋଦାମ ପ୍ରତିଷ୍ଠିତ ହେବାକୁ ଯାଉଛି ।
ସମବାୟ କ୍ଷେତ୍ରରେ ଓଡ଼ିଶା ମିଲ୍କ ଫେଡେରେସନ୍ ବା ଓମ୍ଫେଡ୍ ହେଉଛି ଓଡ଼ିଶାର କାମଧେନୁ । ଦିନକୁ ୫ ଲକ୍ଷ ଲିଟରରୁ ଅଧିକ ଦୁଗ୍ଧ ସଂଗ୍ରହ କରି ଚାଷୀଙ୍କୁ ରୋଜଗାର ଦେବା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରକୁ ମାସକୁ ୩୦ ଟନ ସୁଦ୍ଧ ଘିଅ ଯୋଗାଇ ଦେଇ ଆମ ଆଧ୍ୟାତ୍ମିକ ଜୀବନଧାରାରେ ଶୁଦ୍ଧତାକୁ ବଜାୟ ରଖିବାରେ ସହାୟକ ହୋଇପାରିଛି ।
ଆମ ସରକାର ଆସିବା ପରେ ଦୁଗ୍ଧ ଉତ୍ପାଦନ, ଗୋ ପାଳନ ତଥା ଗୋମାତାଙ୍କ ସୁରକ୍ଷା ପାଇଁ ନିରନ୍ତର ଭାବେ କାର୍ଯ୍ୟରତ ଅଛନ୍ତି ।
ଆଜି ଖୋର୍ଦ୍ଧା ଟାଙ୍ଗୀରେ ଏକ ନୂଆ ଦୁଗ୍ଧ ପ୍ରକ୍ରିୟାକରଣ ପ୍ଲାଣ୍ଟର ଉଦ୍ଘାଟନ ମଧ୍ୟ କରାଯାଉଛି। ଏଥିରେ ଦିନକୁ ୩୦ ହଜାର ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କରାଯାଇ ଲୋକଙ୍କ ପାଇଁ ଉପଲବ୍ଧ ହେବ ।
ବନ୍ଧୁଗଣ,
କେନ୍ଦ୍ରରେ ମୋଦୀ ଜୀ ଓ ଶାହା ଜୀଙ୍କ ଦିଗ୍ଦର୍ଶନ ସହିତ, ଓଡ଼ିଶାରେ ପରିବର୍ତ୍ତନର ସ୍ୱପ୍ନ ଦେଖି ଆପଣମାନେ ଯେଉଁ ସରକାର ଗଠନ କରିଛନ୍ତି, ସେ ସ୍ୱପ୍ନ ନିଶ୍ଚୟ ସାର୍ଥକ ହେବ ।
ଓଡ଼ିଶାର ଚାଷୀ ସମୃଦ୍ଧ ହେବ, ଓଡ଼ିଶାର ଯୁବକ ସମୃଦ୍ଧ ହେବେ, ଓଡ଼ିଶାର ମା’ମାନେ ସମୃଦ୍ଧ ହେବେ । ସାରା ଓଡ଼ିଶା ସମୃଦ୍ଧ ହେବ । ଏଥିରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିବ ସମବାୟ ।
ଆଜି ଅମିତ୍ ଶାହାଜୀଙ୍କ ଉପସ୍ଥିତିରେ ସମବାୟ କ୍ଷେତ୍ରରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି।
ମାତ୍ର ତିନିମାସ ସମୟ ମଧ୍ୟରେ BCPPER ପ୍ରସ୍ତାବକୁ ଗ୍ରହଣ କରି କେନ୍ଦ୍ର ସରକାର ବଜେଟ୍ରେ ୫ ହଜାର କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି । ଏଥି ସହିତ କ୍ୟାପିଟାଲ ରିଜିଅନ ରିଙ୍ଗ୍ରୋଡକୁ ମଧ୍ୟ ଅନୁମୋଦନ ଦେଇଛନ୍ତି । ଆଗାମୀ ଦିନରେ ଏସବୁ ଅଞ୍ଚଳ ଗୁଡିକର ବ୍ୟାପକ ବିକାଶ ଘଟିବ । ଏଥିପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଏବଂ କେନ୍ଦ୍ରସରକାରଙ୍କୁ ଓଡ଼ିଶାବାସୀଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରୁଛି ।
ସମଗ୍ର ରାଜ୍ୟ ତରଫରୁ ମୁଁ ପୁଣିଥରେ ମାନନୀୟ ଅମିତ୍ ଶାହାଜୀଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ।
