ଭୁବନ,୦୬/୧୨/୨୦୨୫ (ଓଡ଼ିଶା ସମାଚାର)- ଭୁବନ ଅଞ୍ଚଳର ବିଦ୍ୟୁତ ବିଭାଗ ( ଟାଟା ପାୱାର) ର ଦାଦାଗିରି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସ୍ମାର୍ଟ୍ ମିଟର କୁ ନେଇ ତୀବ୍ର ଅସନ୍ତୋଷ ଦେଖା ଦେଇଥିବା ବେଳେ ଏନେଇ ଓକିଲ ସଂଘ ପକ୍ଷରୁ ଢେ଼ଙ୍କାନାଳ ବନ୍ଦ କରାଯାଇଥିଲା । ତୀବ୍ର ବିରୋଧ ସତ୍ତ୍ଵେ ଟାଟା କମ୍ପାନୀ ପ୍ରତ୍ୟେକ ବିଦ୍ୟୁତ ଉପଭୋକ୍ତାଙ୍କ ଘରେ ସ୍ମାର୍ଟ ମିଟର ଲଗାଇବାକୁ ଚେଷ୍ଟା ଚଳାଇଛି । ନୂଆ ସଂଯୋଗ ନେଉଥିବା ଗ୍ରାହକ ଙ୍କ ଘରେ ବଳ ପୂର୍ବକ ସ୍ମାର୍ଟ ମିଟର ଲଗାଉଛି । ପ୍ରତିଦିନ ବିଦ୍ୟୁତ ଚୋରି ଓ ମିଟର ଚେକିଙ୍ଗ ଆଳରେ ପୁରୁଣା ମିଟର ବଦଳାଇ ସ୍ମାର୍ଟ ମିଟର ଲଗାଇବାକୁ ଯୋଜନା କରି ମିଟର ତ୍ରୁଟି ଦର୍ଶାଇ ମୋଟା ଅଙ୍କର ଫାଇନ କରୁଛି । ବିରୋଧ କରୁଥିବା ଗ୍ରାହକ /ଉପଭୋକ୍ତାଙ୍କୁ ବିଦ୍ୟୁତ୍ କର୍ମଚାରୀ ମାନେ ମାଡ ମଧ୍ୟ ମାରୁଥିବା ଅଭିଯୋଗ ହେଉଛି ।
ଗତ ବୁଧବାର ଦିନ ବିଦ୍ୟୁତ କର୍ମଚାରୀ ମାନେ ଭୂଷଳ ପଞ୍ଚାୟତର କିଙ୍ଗୋଳ, ଅସୁରବନ୍ଧ, ଚଣ୍ଡିପାଳ ଗ୍ରାମରେ ଚଢ଼ାଉ କରି ଅନେକ ଗ୍ରାହକ ଙ୍କ ନାମରେ ଫାଇନ କରିବା ସହ ମହିଳା ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏଥିପାଇଁ ମହିଳା ମାନେ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ କୁ ଘେରାଉ କରିବା ସହ ଧାରଣା ଦେଇଥିଲେ । ଶନିବାର ଦିନ ଏକତାଳି ପଞ୍ଚାୟତର ଚନ୍ଦାର ଗ୍ରାମରେ ଅନୁରୂପ ଘଟଣା ଘଟିଛି । ଦିନ ୧୧ ଘଟିକା ସମୟରେ ଓଡ଼ି ୦୫ ଏ ଟି ୯୮୩୯ ବିଶିଷ୍ଟ ବୋଲେରୋ ଗାଡ଼ିରେ ଦୁଇ ଜଣ ଯୁବକ ଓ ଜଣେ ଯୁବତୀ ନିଜକୁ ବିଦ୍ୟୁତ୍ ବିଭାଗ ସ୍କାର୍ଡ ପରିଚୟ ଦେଇ ଚନ୍ଦାର ଗ୍ରାମର ମୁକେଶ ରାଉତ ଙ୍କ ଘରେ ପହଞ୍ଚି ପ୍ରଥମେ ମିଟର ଚେକ୍ କରିଥିଲେ ଓ ପରେ ଘରେ ଭିତରେ ପଶିବାକୁ ଉଦ୍ୟମ କରିବାରୁ ମୁକେଶ ଙ୍କ ପତ୍ନୀ ରୋଜାଲିନ ରାଉତ ବିରୋଧ କରିଥିଲେ ।
ବିଦ୍ୟୁତ୍ କର୍ମଚାରୀ ମାନେ ତାଙ୍କୁ ଧକ୍କା ମାରି ତଳେ ପକାଇ ଦେଇଥିଲେ ,ଫଳରେ ତାଙ୍କ ମୁଣ୍ଡ ଓ ଡାହାଣ ହାତ ଆଙ୍ଗୁଠି ରେ ଗଭୀର ଆଘାତ ହୋଇଥିଲା । ପାଟିତୁଣ୍ଡ ଶୁଣି ଘର ଭିତରେ ଥିବା ରୋଜାଲିନ ଙ୍କ ଶାଶୁ ବାହାରକୁ ଆସି ବିଦ୍ୟୁତ୍ କର୍ମଚାରୀ ଙ୍କୁ ମଧ୍ୟ ବିରୋଧ କରିଥିଲେ। ସ୍ଥାନୀୟ ଲୋକ ମାନେ ହୋ ହାଲ୍ଲା କରିବାରୁ ବିଦ୍ୟୁତ୍ କର୍ମଚାରୀ ମାନେ ପଳାଇ ଆସିଥିଲେ। ବିଦ୍ୟୁତ୍ କର୍ମଚାରୀ ଙ୍କ ଦୁର୍ବ୍ୟବହାର ଶିକାର ହୋଇଥିବା ମହିଳା ଭୁବନ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଏ ସମ୍ପର୍କରେ ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ନଳିନୀ ଶଙ୍କର ରଥ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି । ଟାଟା କମ୍ପାନୀ ର ଏତାଦୃଶ କାର୍ଯ୍ୟ/ ଦାଦାଗିରି କୁ ନେଇ ସମଗ୍ର ଭୁବନ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟୁତ୍ କର୍ମଚାରୀ ଙ୍କୁ ବିରୋଧ କରିବାକୁ ଗାଁ ଗାଁ ରେ ଲୋକେ ମେଳି ହେଲେଣି ।
