ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ପକ୍ଷରୁ ୩ୟ ବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର,୩୦/୧୨/୨୦୨୫ (ଓଡ଼ିଶା ସମାଚାର)- “ଓଡ଼ିଶା ମଧ୍ୟାହ୍ନଭୋଜନ ପାଚକ ପାଚିକା ମହାସଂଘ” ପକ୍ଷରୁ “ତୃତୀୟ ବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ” ଆଜି ଗୀତଗୋବିନ୍ଦ ସଦନ, ଭୁବନେଶ୍ୱର ଠାରେ ମହା ସମାରୋହରେ ପାଳନ କରାଯାଇଛି । ଉକ୍ତ ସମ୍ମିଳନୀରେ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ଜନକ ପ୍ରଧାନ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରବକ୍ତା ଶ୍ରୀମତୀ ପ୍ରତିଭା ବର୍ମା ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଶ୍ରୀଯୁକ୍ତ ଡମ୍ବରୁଧର ମହାନ୍ତ ଏବଂ ସମ୍ମାନିତ ଅତିଥି ଭାବେ ମହାସଂଘର ରାଜ୍ୟ ଆବାହକ ଶ୍ରୀଯୁକ୍ତ ଦିଗମନ ଜେନା ଯୋଗଦେଇ ତାଙ୍କ ଅଭିଭାଷଣରେ କହିଲେ ଓଡ଼ିଶାରେ ଦୀର୍ଘଦିନ ଧରି ୧ଲକ୍ଷ ୨୭ ହଜାର ମଧ୍ୟାହ୍ନଭୋଜନ ପାଚକ ପାଚିକାମାନେ ଦୀର୍ଘଦିନ ଧରି କାର୍ଯ୍ୟକରି ଆସୁଛନ୍ତି । ବଡ଼ ଦୁଃଖର ବିଷୟ ବର୍ତମାନ ୩ ହଜାର ଟଙ୍କା ମାସିକ ପାରିଶ୍ରମିକ ବାବଦରେ ପାଉଛନ୍ତି ,ତାହା ସମୁଦ୍ରକୁ ଶେଙ୍ଖ । ସେମାନଙ୍କୁ ନିର୍ଦ୍ଧାରିତ ମଜୁରୀ ଦେବା ନିମନ୍ତେ ସରକାରଙ୍କ ନିକଟରେ ଦାବି କରାଯାଉଛି ।

ଦାବିଗୁଡ଼ିକ ହେଲା – ୧. ସରକାରଙ୍କ ଘୋଷିତ ସର୍ବନିମ୍ନ ମଜୁରୀ ଟ.୨୭୫/- ଲାଗୁ କରାଯାଉ । ଉକ୍ତ ପ୍ରକାରେ ମାସିକ ଟ.୮,୨୫୦/- ଦରମା ଲାଗୁ କରାଯାଉ । ୨. ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ମାନ୍ୟତା ଦିଆଯିବା ସହିତ ଡ୍ରେସ୍କୋର୍ଡ ଲାଗୁ କରାଯିବା । ୩. ଚିକିତ୍ସା ଭତା ସହିତ ଜୀବନ ବୀମାର ସୁବିଧା । ୪. ୨୦୧୮ ମସିହା ଜାନୁଆରୀ ମାସଠାରୁ ବର୍ତମାନ ପ୍ରଚଳିତ ବର୍ଦ୍ଧିତ ଦରମାର ବକେୟା ପାଉଣା ଦିଆଯିବା ସହିତ ମଇ, ଜୁନ୍ ଛୁଟି ଦୁଇ ମାସର ଦରମା ପ୍ରଦାନ । ୫. ପାଚିକା ମାନଙ୍କୁ ବାହାର କରିବାର ଏବଂ ନିଯୁକ୍ତି କରିବା ବ୍ୟବସ୍ଥାକୁ ସରକାରଙ୍କ ସ୍କୁଲ୍ ବିଭାଗ ସିଧାସଳଖ ନିୟନ୍ତ୍ରଣରେ ରଖାଯିବା । ୬. ଯେହେତୁ, ସ୍କୁଲ୍ ରେ ୯ ଟା ଠାରୁ ପ୍ରବେଶ କରି ଦିନ ତମାମ ରୋଷେଇ କରିବା, ରୋଷେଇ ବାସନକୁସନ ଧୋଇ ୮ ଘଂଟାରୁ ଅଧିକ ପରିଶ୍ରମ କରୁଥିବା ବେଳେ ଦୈନିକ ମଜୁରୀଆର ସ୍ୱୀକୃତି ଦେଇ ଭବିଷ୍ୟନିଧି ଯୋଜନାରେ ସାମିଲ୍ କରାଯିବା । ୭. ଅବସର ସୀମା ୬୦ ବର୍ଷରୁ ୬୨ ବର୍ଷ କରାଯାଇ କାର୍ଯ୍ୟରୁ ଅବ୍ୟାହତ ପରେ ପେନସନ୍ ଲାଗୁ କରାଯିବା । ୮. କାର୍ଯ୍ୟରତ ସମୟରେ ଆକସ୍ମିକ ବିୟୋଗରେ କ୍ଷତିପୂରଣ ଦିଆଯିବାର ବ୍ୟବସ୍ଥା କରାଯିବା । ଉକ୍ତ ସମ୍ମିଳନୀରେ ଓଡ଼ିଶା ୩୦ଗୋଟି ଜିଲାର ପାଚକ/ପାଚିକାମାନେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ଦେଇଥିଲେ । ସଂଘର ସାଧାରଣ ସମ୍ପାଦିକା ନିରୂପମା ମହାନ୍ତ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *