କେନ୍ଦ୍ରାପଡ଼ା, ୦୧/୧୨/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ମାଟିର ପୁଅ ଅକ୍ଷୟ କୁମାର ସାମଲଙ୍କୁ ଏକ ରାଜ୍ୟ ସ୍ତରୀୟ ଉତ୍ସବରେ ଓଡିଶାରତ୍ନ ଆୱାର୍ଡ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ମୁର୍ଛନାର ବାର୍ଷିକ ଉତ୍ସବ ଅବସରରେ ତବଲାବାଦକ ଶ୍ରୀ ସାମଲଙ୍କୁ ପୁଷ୍ପଗୁଛ, ଉତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
କେନ୍ଦ୍ରାପଡା ଜିଲାର ମାର୍ଶାଘାଇ ବ୍ଲକ ଅଧିନ ଆଇତିପୁର ପଂଚାୟତର ବିଲବଳରାମପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ସାମଲ ପ୍ରଥମେ ଗୁରୁ ଗଙ୍ଗାଧର ସାହୁ, ନିରଞ୍ଜନ ଦାସ ଓ ପରେ ପୂର୍ଣ୍ଣାନନ୍ଦ ମହାରଣାଙ୍କ ଠାରୁ ଶିକ୍ଷା ଲାଭ କରିଥିଲେ । ଏହାପରେ ସମୀରରଞ୍ଜନ ଦାସ ଓ ଗୋପିନାଥ ବେହେରାଙ୍କ ଠାରୁ ଶିକ୍ଷାଲାଭ କରିବା ପରେ ବିଶାରଦ ପାସ କରିଥିଲେ । ପରେ ଜଣେ ଖ୍ୟାତିସମ୍ପନ୍ନ ତବଲାବାଦକ ଭାବେ ଆଦୃତି ଲାଭ କରି ବିଭିନ୍ନ ଅନୁଷ୍ଠାନରୁ ପୁରସ୍କୃତ ହୋଇଥିଲେ । ସରକାରଙ୍କ ଯୁବମହୋତ୍ସବରେ ଜଣେ ଆକମ୍ପାନିଷ୍ଟ ଭାବେ ମଧ୍ୟ ସେ ସ୍ୱୀକୃତି ଲାଭ କରିଛନ୍ତି । ଏଥିସହିତ ଜିଲା ବାଲ୍ ଭବନର ଜଣେ ଶିକ୍ଷକ ଭାବରେ କଲିକତା ଓ ଦିଲ୍ଲୀରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ସୁନାମ ଅର୍ଜ୍ଜନ କରିଛନ୍ତି ।
