କେନ୍ଦ୍ରାପଡ଼ା, ୦୧/୧୨/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ଆଳି ବ୍ଲକ ଅନ୍ତର୍ଗତ ନଦୀନାଳ ଘେରା ଦଶିପୁର ଗ୍ରାମପଂଚାୟତରେ ଚାଷୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏକ ମିନି ଧାନମଣ୍ଡି ଖୋଲିବାକୁ ପଂଚାୟତବାସୀ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି । ପଂଚାୟତବାସୀ ଜିଲାପାଳଙ୍କୁ ପ୍ରଦାନ କରିଥିବା ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଆଳି ବ୍ଲକର ଦଶିପୁର ପଂଚାୟତ ହେଉଛି ଏକ ନଦୀନାଳ ଘେରା ପଂଚାୟତ । ପୂର୍ବରୁ ସେମାନେ ଦେମାଳ ଗ୍ରାମପଂଚାୟତ ଅଧିନରେ ଥିବାରୁ ଦେମାଳ ପ୍ରାଥମିକ କୃଷି ସମବାୟ ସମିତି ଅଧିନରେ ରହିଥିଲା । ସେତେବେଳେ ଚାଷୀମାନେ ଦେମାଳ ସମିତି ମଣ୍ଡିରେ ଧାନ ବିକିବାର ସୁବିଧା ପାଉନଥିବା ବେଳେ ଏବେ ମଧ୍ୟ ସେମାନେ ଏହି ସୁଯୋଗରୁ ବଂଚିତ ହେଉଥିବା ଅଭିଯୋଗ କରିଛନ୍ତି ।
କାରଣ ନଦୀ ନାଳ ପାରି ହୋଇ ସେମାନଙ୍କ ଧାନ ଦେମାଳ ସମବାୟ ସମିତିକୁ ଆଣି ବିକ୍ରୀ କରିବା ପାଇଁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି । ସେମାନଙ୍କ ଧାନ ବିକ୍ରୀ ହୋଇପାରୁନଥିବାରୁ ବାଧ୍ୟହୋଇ ସେମାନେ ବ୍ୟବସାୟୀଙ୍କୁ ଅଦର ଦରରେ ଧାନ ବିକ୍ରୀ କରି କ୍ଷତିଗ୍ରସ୍ତ ହେଉଛନ୍ତି । ଚାଷୀମାନେ ବହୁ ପରିଶ୍ରମ କରି ଚାଷ କାର୍ଯ୍ୟ କରିବା ପରେ ଧାନ ଅମଳ କରିଥାନ୍ତି । ସେମାନେ ଆଶା ରଖିଥାନ୍ତି ଯେ ସେହି ଧାନକୁ ସରକାରୀ ଦରରେ ବିକ୍ରୀ କରି ସେଥିରୁ ପାଉଥିବା ଅର୍ଥରେ ସେମାନଙ୍କ ତେଲ ଲୁଣର ସଂସାର ଚଳାଇବା ସହ ପିଲାମାନଙ୍କ ପାଠପଢା ଖର୍ଚ୍ଚ ତୁଲାଇବା ଏବଂ ଭବିଷ୍ୟତ ପାଇଁ କିଛି ସଂଚୟ କରିପାରିବେ । କିନ୍ତୁ ଧାନମଣ୍ଡିରେ ସରକାରୀ ଧାର୍ଯ୍ୟ ଦରରେ ସେମାନେ ଅମଳ କରିଥିବା ଧାନକୁ ବିକ୍ରୀ କରିନପାରି ବ୍ୟବସାୟୀଙ୍କୁ କ୍ୱିନ୍ଟାଲ ପିଛା ୮ଶହରୁ ୯ଶହ ଟଙ୍କା କମ ଦାମରେ ଧାନ ବିକ୍ରୀ କରୁଥିବାରୁ ଚାଷୀମାନଙ୍କ ସେହି ସ୍ୱପ୍ନ ଆଉ ସାକାର ହୋଇପାରୁନାହିଁ ।
ବ୍ୟବସାୟୀଙ୍କ ଠାରୁ ଚାଷୀଟି ଯେଉଁ ଅର୍ଥ ପାଉଛି ତାହା କେବଳ ଚାଷ କରିବା ପାଇଁ କରିଥିବା ଋଣ ସୁଝିବା ଓ ନିଜର ତେଲଲୁଣ ସଂସାର ଚଳାଇବା ପାଇଁବି ନିଅନ୍ଟ ହେଉଥିବା ଜଣେ ଚାଷି କହିଛନ୍ତି । ତେଣୁ ଚଳିତ ବର୍ଷ ଦଶିପୁର ପଂଚାୟତରେ ଚାଷୀମାନଙ୍କ ବୃହର ସ୍ୱାର୍ଥ ଦୃଷ୍ଟିରୁ ଏକ ମିନି ଧାନମଣ୍ଡି ଦଶିପୁରରେ ଖୋଲାଯିବାକୁ ପଂଚାୟତବାସୀଙ୍କ ପକ୍ଷରୁ ବିକେକାନନ୍ଦ ଦାଶ, ସରପଂଚ ପ୍ରଦୁ୍ୟତ ମହାନ୍ତି, ଅକ୍ଷୟ ମହାନ୍ତି, ଅମର ସାହୁ, ପ୍ରକାଶ ଦାସ, ନିରଞ୍ଜନ ନାୟକ, କେ.ଏମ.ସେଠୀ, ଦୟା ବେହେରା ପ୍ରମୁଖ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇବା ସହ ଦାବି କରିଛନ୍ତି । ଜିଲାପାଳ ଏହି ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମବାୟ ସମତି ସମୁହର ଉପନିବନ୍ଧକଙ୍କୁ ନିର୍ଦେଶ ଦେଇଛନ୍ତି ।
