ଓଡ଼ିଶାରେ “କାର୍ଯ୍ୟକ୍ଷେତ୍ରରେ ଯୌନ ଉତ୍ପୀଡନ ନିରୋଧ ଆଇନ”(ପୋଶ ଆଇନ )ର କାର୍ଯ୍ୟକାରିତାର  ସମୀକ୍ଷା ବୈଠକ

ଅଧ୍ୟକ୍ଷତା କଲେ  ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷ ଶ୍ରୀମତୀ ବିଜୟା କେ ରାହତକର

-ବୈଠକରେ ଯୋଗ ଦେଲେ ରାଜ୍ୟସରକାରଙ୍କ ସମସ୍ତ ବିଭାଗର ନୋଡାଲ ଅଧିକାରୀ

ପ୍ରତ୍ୟେକ କାର୍ଯ୍ୟକ୍ଷେତ୍ରରେ ଅନ୍ତଃ ସମିତି ଓ ପ୍ରତି ଜିଲ୍ଲାରେ ଆଞ୍ଚଳିକ ସମିତି ଉପରେ ଗୁରୁତ୍ଵ

-ପୋଶ ଆଇନ – ଅନ୍ୟାୟ ବିରୁଦ୍ଧ , ପୁରୁଷ ବିରୁଦ୍ଧ ନୁହେଁ  : ଶ୍ରୀମତୀ ରାହତକର

ଭୁବନେଶ୍ୱର,୧୨/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷ ଶ୍ରୀମତୀ ବିଜୟା ରାହତକରଙ୍କ ଦି ଦିନିଆ ଗସ୍ତ କାଳରେ ଆଜି ମହିଳା ଓ ଶିଶୁ ବିକାଶ ଏବଂ ଜାତୀୟ ମହିଳା ଆୟୋଗ ର ସହଭାଗିତାରେ ରାଜ୍ୟରେ “କାର୍ଯ୍ୟକ୍ଷେତ୍ରରେ ଯୌନ ଉତ୍ପୀଡନ ନିରୋଧ ଆଇନ”(ପୋଶ ଆଇନ)ର କାର୍ଯ୍ୟକାରିତା ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷ ଶ୍ରୀମତୀ ବିଜୟା  କେ ରାହତକର ଅଧ୍ୟକ୍ଷତା କରି କହିଲେ ଯେ ଆଜିର ଯୁଗରେ ସମାଜରେ ମହିଳାମାନଙ୍କ ଭୂମିକା ଓ କର୍ତ୍ତବ୍ୟରେ ବହୁ ପରିବର୍ତ୍ତନ ଆସିଛି । ଆଜିର କର୍ମଜୀବୀ ମହିଳା ନିଜ ଘର ଓ କାର୍ଯ୍ୟକୁ ଅତି ନିଖୁଣ ଭାବରେ ପରିଚାଳନା କରିପାରୁଛନ୍ତି । ଏହି ପରିପ୍ରେକ୍ଷିରେ ସେମାନଙ୍କୁ ଏକ ସୁରକ୍ଷିତ ଓ ସମ୍ମାନିତ କାର୍ଯ୍ୟକ୍ଷେତ୍ର ପ୍ରଦାନ କରିବା ଆମ ସମସ୍ତଙ୍କ ଗୁରୁ ଦାୟିତ୍ଵ ହେବା ଉଚିତ ।

 

“କାର୍ଯ୍ୟକ୍ଷେତ୍ରରେ ଯୌନ ଉତ୍ପୀଡନ ନିରୋଧ ଆଇନ”(ପୋଶ ଆଇନ ) ର ସଠିକ କାର୍ଯ୍ୟକାରିତା ଓ ଏହି ଆଇନ ସମ୍ବନ୍ଧରେ ଦୃଢ ଜନସଚେତନତା ସୃଷ୍ଟି କରିପାରିଲେ ହିଁ ଆମେ କାର୍ଯ୍ୟକ୍ଷେତ୍ରରେ ଘଟୁଥିବା ଯୌନ ଉତ୍ପୀଡନକୁ ଦମନ କରିପାରିବା ବୋଲି ଦୃଢୋକ୍ତି ରଖିଛନ୍ତି । ରାଜ୍ୟର ପ୍ରତ୍ୟେକ କାର୍ଯ୍ୟକ୍ଷେତ୍ରରେ ଅନ୍ତଃ ସମିତି ଓ ପ୍ରତ୍ୟେକ ଜିଲ୍ଲାରେ ଆଞ୍ଚଳିକ ସମିତିର ଗଠନ ଉପରେ ସେ ଗୁରୁତ୍ଵାରୋପ କରିଛନ୍ତି ।ସମିତିର ସଦସ୍ୟା ମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ  ସେ ପ୍ରସ୍ତାବ ଦେଇଛନ୍ତି ।  ପ୍ରତି ଜିଲ୍ଲାର ସର୍ବସାଧାରଣ ସ୍ଥାନରେ ଏହି ଆଇନ ସମ୍ପର୍କରେ ବିଜ୍ଞାପନ ଓ ହୋର୍ଡିଂ ଜରିଆରେ ଲୋକମାନଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି । ଏହି ଆଇନ ଅନ୍ୟାୟ ବିରୁଦ୍ଧ, ପୁରୁଷ ବିରୁଦ୍ଧ ନୁହେଁ ଏବଂ ଏହି ଆଇନ ହିସାବରେ ଦୋଷୀ କୁ ନିଶ୍ଚୟ ଦଣ୍ଡ ମିଳିବ ବୋଲି ସେ ଦୃଢ ମତ ରଖିଥିଲେ ।

ମହିଳା ଓ ଶିଶୁ ବିକାଶ ବିଭାଗ ଅଧିକାରୀ ଓଡ଼ିଶାରେ “କାର୍ଯ୍ୟକ୍ଷେତ୍ରରେ ଯୌନ ଉତ୍ପୀଡନ ନିରୋଧ ଆଇନ”(ପୋଶ ଆଇନ )ର ସ୍ଥିତି ବିଷୟରେ ବିଶଦ ଉପସ୍ଥାପନ କରିଥିଲେ । ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ପୋଲିସ ଆଇଜି ଏସ.ସାଇନିଙ୍କ ସହ ବିଭାଗୀୟ ନିର୍ଦ୍ଦେଶକ ସୁଶ୍ରୀ ମୋନିଷା ବାନାର୍ଜୀ ଓ ବିଭାଗର ଉଚ୍ଚପଦସ୍ଥ ଅଧିକାରୀବୃନ୍ଦ ମାନେ ଉପସ୍ଥିତ ଥିଲେ । ରାଜ୍ୟସରକାରଙ୍କ ସମସ୍ତ ବିଭାଗର ନୋଡାଲ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ ।

-0-

ତନୁଜା ମହାନ୍ତି ,ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *