କେନ୍ଦ୍ରାପଡ଼ା,୨୯/୧୧/୨୦୨୫(ଓଡ଼ିଶା ସମାଚାର)- ଆମେରିକା ଠାରୁ ଭାରତୀୟ ଝିଅମାନେ ଆଗୁଆ । ଆମେରିକା ଠାରୁ ଭାରତୀୟ ଝିଅମାନେ ସବୁକ୍ଷେତ୍ରରେ ଏବେ ଆଗରେ ଅଛନ୍ତି । ଆଇ.ଟି. ସେକ୍ଟର ହେଉ କି କମ୍ପାନୀ ସି.ଇ.ଓ. ସବୁକ୍ଷେତ୍ରରେ ଆମେରିକା ଠାରୁ ଭାରତୀୟ ଝିଅମାନେ ଅଧିକ ନେତୃତ୍ୱ ନେଉଛନ୍ତି ବୋଲି କହିଛନ୍ତି ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ବୈଜ୍ଞାନିକ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ବିଜ୍ଞାନମେଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଫେସର ଡ. ଦାସ କହିଲେ ଝିଅମାନେ ସବୁକ୍ଷେତ୍ରରେ ଆଗରେ ରହିଲେ ରାଷ୍ଠ୍ରର ଉନ୍ନତି ଦ୍ରୁତଗତିରେ ହୋଇପାରିବ । ଆଗଭଳି ଏବେ ଝିଅମାନେ କେବଳ ଘର ଭିତରେ ସୀମିତ ହୋଇ ରହିନାହାନ୍ତି ।
କଳ୍ପନା ଚାଓଲା ଓ ସୁନିତା ୱିଲିୟମସଙ୍କ ଭଳି ଝିଅମାନେ ମହାକାଶକୁ ଯାଇ ଗବେଷଣା କରି ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି । ତେଣୁ ଝିଅ ଜନ୍ମ ହେଲେ ପିତାମାତା ଏକ ବୋଝ ବୋଲି ନଭାବି ଏକ ଆଶୀର୍ବାଦ ବୋଲି ଭାବିବା ଉଚିତ ବୋଲି ଡ. ଦାସ କହିଛନ୍ତି । ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ପରିଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ ସମବାୟ ବ୍ୟାଙ୍କର ବରିଷ୍ଠ ଅଧିକାରୀ ଶାରଦା ପ୍ରସାଦ ଦାସ, ପ୍ରଫେସର ସଂଗ୍ରାମକେଶରୀ ବିଶ୍ୱାଳ, ସିଆରସିସି ଗଙ୍ଗାଧର ମହାପାତ୍ର, ଭୁବନମୋହନ ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।
ଅବସରପ୍ରାପ୍ତ ଜିଲା ବିଜ୍ଞାନ ପରିଦର୍ଶକ ପୀତବାସ ପଣ୍ଡା ବିଚାରକ ଭାବେ ଯୋଗଦେଇ ବିଜ୍ଞାନ ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ । ଏହି ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ନବମଶ୍ରେଣୀ ଛାତ୍ରୀ ରାଜଶ୍ରୀ ମହାନ୍ତି, ଦ୍ୱିତୀୟ ନବମଶ୍ରେଣୀ ଛାତ୍ରୀ ବି. ସିଲା ପ୍ରିୟଦର୍ଶିନୀ ଓ ତୃତୀୟ ଦଶମଶ୍ରେଣୀ ଛାତ୍ରୀ ତୁଳସୀ ଦଳାଇଙ୍କୁ ମୁଖ୍ୟଅତିଥି ପୁରସ୍କୃୃତ କରିଥିଲେ । ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ପରିଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଜ୍ଞାନ ଶିକ୍ଷକ ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟିତ୍ରୀ ସାବିତ୍ରୀ ସାମଲ, ପ୍ରଭାତନଳିନୀ ଦାସ, ବିଜୟରଶ୍ମୀ ମହାପାତ୍ର, ସରୋଜିନୀ ସ୍ୱାଇଁ, ଖଗେଶ୍ୱର ମଲ୍ଲ ଓ ସଂଯୁକ୍ତା ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।
