ପୋଷ୍ୟ ସନ୍ତାନ ଗ୍ରହଣ ସମ୍ବନ୍ଧୀୟ ଅଭିମୁଖୀକରଣ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

— ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା, ଆଡପ୍ସନ୍ ରେଗୁଲେସନ ୨୦୨୨ ଏବଂ ମିଶନ ବାତ୍ସଲ୍ୟ ପୋର୍ଟାଲ ସମ୍ପର୍କରେ ଅଧିକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି

— ଶିଶୁ ସୁରକ୍ଷା ସମ୍ବନ୍ଧୀୟ ମାମଲାରେ ଥିବା ନ୍ୟାୟିକ ତଦନ୍ତ ପ୍ରକ୍ରିୟା ଏବଂ ଆଇନଗତ ଆବଶ୍ୟକତା ଉପରେ ଆଲୋଚନା

ଯାଜପୁର,୨୯/୧୧/୨୦୨୫ (ଓଡ଼ିଶା ସମାଚାର)-  ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ବନ୍ଧୀୟ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଟିର ନାଏକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।

ଶ୍ରୀ ନାଏକ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ ପ୍ରତ୍ୟେକ ଶିଶୁ ପାଇଁ ପରିବାର ହେଉଛି ଏକ ସୁରକ୍ଷା ବଳୟ ଏବଂ ଏଥିପାଇଁ ତାର ପିତାମାତା, ବନ୍ଧୁ ପରିଜନ ଓ ସମାଜ ଯଥେଷ୍ଟ ଯତ୍ନବାନ ହେବାର ଆବଶ୍ୟକତା ରହିଛି। ଅନ୍ୟତମ ଅତିଥି ଭାବେ ଯାଜପୁର ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ମାଝି ଯୋଗ ଦେଇ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ମାମଲାରେ ଥିବା ନ୍ୟାୟିକ ପ୍ରକ୍ରିୟା ଏବଂ ପୋଲିସ ଅଧିକାରୀଙ୍କ ଦାୟିତ୍ୱବୋଧ ଉପରେ ଆଲୋକପାତ କରିବା ସହ ଏହାର ଆଇନଗତ ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ।

ଶିଶୁ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ହେଲେ ସମନ୍ୱିତ ସହଯୋଗର ଆବଶ୍ୟକତା ରହିଛି ବୋଲି ଶ୍ରୀ ମାଝି କହିଥିଲେ। ଆଡପ୍ସନ୍ ବିଶେଷଜ୍ଞ ତଥା ଲିଗାଲ ଅଫିସର ଶ୍ରୀ ଅକ୍ଷୟ କୁମାର ସ୍ବାଇଁ ବିଶେଷ ଆବଶ୍ୟକତା ଥିବା ଶିଶୁଙ୍କୁ ପୋଷ୍ୟ ରୂପେ ଗ୍ରହଣ କରିବା ପ୍ରକ୍ରିୟା, ଆଡପ୍ସନ୍ ରେଗୁଲେସନ -୨୦୨୨ ଏବଂ ମିଶନ ବାତ୍ସଲ୍ୟ ପୋର୍ଟାଲ ଉପରେ ବିଭିନ୍ନ ଉଦାହରଣ ଓ କେସଷ୍ଟଡି ମାଧ୍ୟମରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। କିଛି ଶିଶୁ ପିତାମାତାଙ୍କୁ ହରାଇ ନାନା ଅସୁବିଧାକୁ ସାମ୍ନା କରୁଛନ୍ତି, ତେଣୁ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଅନେକ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଛି।

ଏହା ମଧ୍ୟରେ ପୋଷ୍ୟ ସନ୍ତାନ ଗ୍ରହଣ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ, ଯାହା ପିଲାଙ୍କୁ ଏକ ପରିବାର ଭିତରେ ରହିବାର ସୁଯୋଗ ଦେଇଥାଏ। ଏହି ଅବସରରେ ପୂର୍ବରୁ ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ଅଭିଭାବକମାନେ ନିଜର ଅଭିଜ୍ଞତା ବାଣ୍ଟିଥିଲେ। ଶିଶୁ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସିଡିପିଓ ଶାନ୍ତିଲତା ସେଠୀଙ୍କୁ ସମ୍ମାନିତ କରାଯାଇଥିଲା। ଏହି ବୈଠକରେ ଡିସିପିଓ ଶ୍ରୀ ନିରଞ୍ଜନ କର, ଶିଶୁ ମଙ୍ଗଳ କମିଟି ସଦସ୍ୟ ତୃପ୍ତି ଜେନା ଓ ଜୟନ୍ତ ଗୋସ୍ୱାମୀ, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡ଼ା. ପ୍ରଶାନ୍ତ ବିଶ୍ଵାଳ ପ୍ରମୁଖ ଅଧିକାରୀମାନେ ଯୋଗ ଦେଇଥିଲେ। ଶିଶୁ ସୁରକ୍ଷା ୟୁନିଟର ମିହିର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅର୍ଚ୍ଚନା କୁମାରୀ ସାମନ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *