କେନ୍ଦ୍ରାପଡ଼ା,୨୮/୧୧/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ମହାବିଦ୍ୟାଳୟର +୩ ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷଙ୍କ ଚାମ୍ବରକୁ ଘେରାଉ କରିଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ପ୍ରଥମ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ତାହାର ଫଳାଫଳକୁ ନେଇ ଏଭଳି ଛାତ୍ର ଅଶାନ୍ତି ସୃଷ୍ଟି ହୋଇଛି । ଏହି ପରୀକ୍ଷାରେ ମାତ୍ରାଧିକ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି । ଯାହାକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବରୁ କେବେବି ଏତେ ସଂଖ୍ୟକ ପିଲା ଫେଲ ହେବାର ନଜିର ନାହିଁ ।
ଜଣେ ଛାତ୍ରୀ କହିଛନ୍ତି ଯେ ଆମକୁ ସବୁଥିରେ ଫେଲ କେମିତି କରାଗଲା । ଏମିତିକି ଓଡିଆ ବିଷୟରେ ମଧ୍ୟ ଫେଲ କରାଯାଇଛି । ଏ ସମ୍ପର୍କରେ ଆମେ ପଚାରିବାରୁ ଆମକୁ କୁହାଯାଉଛି ଏଇଟା ଗୋଟେ ସଫୱାର ଏରର ବୋଲି । ଓଡିଆରେ କୌଣସି ପିଲା ଫେଲ ହୁଅନ୍ତିକି ବୋଲି ସେ ପ୍ରଶ୍ନ କରିଥିଲେ । ପୂର୍ବତନ ଅଧ୍ୟକ୍ଷ ଆମକୁ ଯେଉଁ ପ୍ରତିଶୃତି ଦେଇଥିଲେ ସେହି ଅନୁଯାୟୀ ସମସ୍ତ ପିଲାଙ୍କୁ ପାସ କରାଯାଉ ବୋଲି ସେ ଦାବି କରିଛନ୍ତି । ଅନ୍ୟଜଣେ ଛାତ୍ର କହିଛନ୍ତି ଯେ ଆମର ଶିକ୍ଷାଦାନରେ ବିଳମ୍ବ ହୋଇଥିଲା । କୋର୍ସ ସଂପୂର୍ଣ୍ଣ ପଢାହୋଇ ନଥିଲା । ପରୀକ୍ଷା କରାଗଲା । ସେତେବେଳେ ଆମକୁ ପ୍ରତିଶୃତି ମିଳିଥିଲା ।
ତେଣୁ ଏବେ ସେହି ପ୍ରତିଶୃତି ଅନୁଯାୟୀ କାର୍ଯ୍ୟ କରାଯାଉ ବୋଲି ଛାତ୍ର ଜଣଙ୍କ କହିଛନ୍ତି । ଅଧ୍ୟକ୍ଷ ଦାୟୀତ୍ୱରେ ଥିବା ପରୀକ୍ଷା ନିୟନ୍ତ୍ରକ ରମାନାଥ ମହାନ୍ତି ଗଚ୍ଚମାଧ୍ୟମକୁ କହିଛନ୍ତି ଯେ ମୋଟ ୧୧୬୯ଜଣ ଛାତ୍ରଛାତ୍ରୀ ପ୍ରଥମ ସେମିଷ୍ଟାର ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୭୩୫ଜଣ ପାସ କରିଥିବା ବେଳେ ୪୩୪ଜଣ ଫେଲ ହୋଇଛନ୍ତି । ଅର୍ଥାତ ୬୨.୮ ପ୍ରତିଶତ ପିଲା ପାସ କରିଛନ୍ତି । ସବୁଠୁ କମ୍ ବାଣିଜ୍ୟ ବିଭାଗରେ ମାତ୍ର ୪୫.୮ପ୍ରତିଶତ ପିଲା ପାସ କରିଛନ୍ତି । ପୂର୍ବରୁ ଗୋଟେ ବିଷୟରେ ପିଲା ୩୦ମାର୍କ ରଖୁଥିଲେ ପାସ କରୁଥିଲେ । ଏବେ ନୂତନ ଶିକ୍ଷାନୀତି ପ୍ରଚଳିତ ହେବା ପରେ ନୂତନ ସଫ୍ଟୱାରର ବ୍ୟବହାର କରାଯାଉଛି ।
ସେଥିରେ ଜଣେ ଛାତ୍ର ଗୋଟେ ବିଷୟରେ ୪୦ମାର୍କ ରଖିଲେ ପାସ କରିପାରିବ ବୋଲି ସେ କହିଛନ୍ତି । ୪୦ପ୍ରତିଶତରୁ କର୍ମ ମାର୍କ ରଖିଲେ ତା’ର ଫଳ ଶୂନ ଦେଖାଇବ । କାରଣ ଏବେ ମାର୍କ ଦେଖାଯାଉନି କ୍ରେଡିଟ ପଏ ଦେଖାଯାଉଛି । ଅଧ୍ୟକ୍ଷ ଛୁଟିରେ ଅଛନ୍ତି । ଆସନ୍ତାକାଲି ଅଧ୍ୟକ୍ଷ କଲେଜ ଆସିଲେ ଷ୍ଟାଫମାନଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଏହି ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ନିଷ୍ପତି ଗ୍ରହଣ କରାଯିବ ବୋଲି ଏକ ଲିଖିତ ପତିଶୃତି ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ମହାନ୍ତି ଦେବା ପରେ ଛାତ୍ରଛାତ୍ରୀମାନେ ଘେରାଉ ପ୍ରତ୍ୟାହୃତ କରିନେଇଥିଲେ । ଆମେ ପିଲାଙ୍କ ଅସୁବିଧା ନୁହେଁ ମଙ୍ଗଳ ଚାହୁଁଛୁ ବୋଲି ପରୀକ୍ଷା ନିୟନ୍ତ୍ରକ ଶ୍ରୀ ମହାନ୍ତି କହିଛନ୍ତି ।
