ଓଡିଶା ବିଧାନସଭାର ମାନ୍ୟବର ବିଧାୟକ/ବିଧାୟିକାମାନଙ୍କ ନିମନ୍ତେ ଆୟୋଜିତ ଜ୍ଞାନସଂସ୍କାର କାର୍ଯ୍ୟକ୍ରମ ଉଦଯାପିତ

ଭୁବନେଶ୍ୱର, ୧୮/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଜୀବନରେ ପ୍ରଶିକ୍ଷଣର ଭୂମିକା ଖୁବ୍ ଗୁରୁତ୍ୱପୁର୍ଣ୍ଣ । ଏହି ପ୍ରଶିକ୍ଷଣ ଉଚ୍ଚକୋଟିର ହେବା ଉଚିତ୍, ଏଠାରୁ ପ୍ରାପ୍ତ ଜ୍ଞାନକୁ କିଭଳି କାର୍ଯ୍ୟରେ ବ୍ୟବହାର କରିହେବ ସେଥିପାଇଁ ବିଧାୟକ/ବିଧାୟିକାମାନେ ଦୃଷ୍ଟି ଦେବା ଆବଶ୍ୟକ । ରାଜନୈତିକ ଦଳମାନେ ନିଜର ସ୍ୱାର୍ଥକୁ ଦେଶ ହିତ ଠାରୁ ଦୁରେଇ ରଖିବା ଉଚିତ୍ I ଯଦି ବିଧାୟକମାନେ ଗୃହର କାର୍ଯ୍ୟରେ ବିନା କାରଣରେ ବାଧା ଦେବେ ତେବେ ଦେଶ ଓ ରାଜ୍ୟର ବିକାଶ ବାଧାପ୍ରାପ୍ତ ହେବ ବୋଲି ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ହରିବଂଶ ପ୍ରକାଶ କରିଛନ୍ତି ।

          ୧୭ତମ ଓଡିଶା ବିଧାନସଭାର ନିର୍ବାଚିତ ବିଧାୟକ/ବିଧାୟିକାମାନଙ୍କ ନିମନ୍ତେ ଆୟୋଜିତ ଦୁଇ ଦିନିଆ ଜ୍ଞାନସଂସ୍କାର କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଶ୍ରୀ ହରିବଂଶ କହିଲେଯେ, ଜନସାଧାରଣ ଦୃଢ ବିଶ୍ୱାସର ସହ ନିଜର ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଆପଣଙ୍କୁ ବିଧାନସଭାକୁ ସେମାନଙ୍କର ପ୍ରତିନିଧିମାନେ ପଠାଇଛନ୍ତି । ଆମକୁ ଏହି ଗୁରୁଦାୟିତ୍ୱ ସୁଚାରୁରୂପେ ତୁଲାଇ ଲୋକମାନଙ୍କର ଆସ୍ଥାଭାଜନ ହେବାକୁ ପଡିବ ।

          ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ବାଚସ୍ପତି କହିଲେଯେ, ଜ୍ଞାନସଂସ୍କାର କାର୍ଯ୍ୟକ୍ରମ ଆଗାମୀ ଦିନରେ ସମସ୍ତ ନିର୍ବାଚିତ ବିଧାୟକ/ବିଧାୟିକାମାନଙ୍କୁ ନୂତନ ଦିଗଦର୍ଶନ ଦେବ । ଗୃହରେ ଶିଷ୍ଟାଚାର ଓ ଉତ୍ତମ ପରଂପରା ବଜାୟ ରଖିବା ଏକ ବିକଶିତ ଓ ଜନମଙ୍ଗଳକାରୀ ରାଜ୍ୟ ପାଇଁ ନିହାତି ଦରକାର । ବିଧାୟକ/ବିଧାୟିକାମାନେ ବିଧାନସଭାରେ ଶୃଙ୍ଖଳିତ କାର୍ଯ୍ୟପ୍ରଣାଳୀ ଓ ବିଭିନ୍ନ ବିଷୟରେ ଆଲୋଚନାରେ ଭାଗ ନେଇ ରାଜ୍ୟକୁ ବିକାଶ ଦିଗରେ ଆଗେଇ ନେବାସହ ଏକ ସୁସ୍ଥ ଗଣତାନ୍ତ୍ରିକ ପରଂପରା ସୃଷ୍ଟି କରିବ ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ କହିଲେଯେ, ବିଧାନସଭା ହେଉଛି ଗଣତନ୍ତ୍ରର ମନ୍ଦିର । ଜନସାଧାରଣ ଆମକୁ ଯେଉଁ ଆଶା ଓ ବିଶ୍ୱାସର ସହ ନିର୍ବାଚିତ କରି ବିଧାନସଭାକୁ ପଠାଇଛନ୍ତି ତାହାକୁ ସାକାର କରିବାକୁ ପଡିବ । ବିଧାନସଭା ଗୃହରେ ନୂତନ ବିଧାୟକ/ବିଧାୟିକାମାନଙ୍କର ଉପସ୍ଥାପନ ସହଯୋଗ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ନିଶ୍ଚିତଭାବେ ଉତ୍ସାହଜନକ ଅଟେ  ।

ଏହି ଅବସରରେ ସମ୍ମାନୀତ ଅତିଥିଭାବେ ଯୋଗ ଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଲେ ଯେ ଜ୍ଞାନସଂସ୍କାର କାର୍ଯ୍ୟକ୍ରମର ଆୟୋଜନ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହି କାର୍ଯ୍ୟକ୍ରମ ମାନ୍ୟବର ବିଧାୟକ ବିଧାୟିକାମାନଙ୍କୁ ବିଧାନସଭା କାର୍ଯ୍ୟଧାରା ଓ ତତସଂପର୍କୀୟ ନିୟମ  ତଥା ବ୍ୟବସ୍ଥାପକମାନଙ୍କର ଦାୟିତ୍ୱ, ଅଧିକାର ଓ ସ୍ୱାଧିକାର, ବିଭିନ୍ନ ବୈଧାନିକ ପ୍ରକ୍ରିୟା, ଆଇନ ପ୍ରଣୟନ, ବଜେଟ୍ ଉପସ୍ଥାପନ, ଗୃହରେ ଶିଷ୍ଟାଚାର ଓ ଉତ୍ତମ ପରଂପରା ବଜାୟ ରଖିବା ବିଷୟରେ ମୁଲ୍ୟବାନ ତଥ୍ୟ ପ୍ରଦାନ କରିଥାଏ । ଏହାର  ସୁଯୋଗ ନେବା ଉଚିତ୍ ।

କାର୍ଯ୍ୟକ୍ରମ ଶେଷରେ ମାନ୍ୟବର ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗ ଜ୍ଞାନସଂସ୍କାର କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ ।

ଜ୍ଞାନସଂସ୍କାର କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସଂସଦୀୟ ପଦ୍ଧତିରେ କମିଟିର ସାମର୍ଥ୍ୟ ସଂପର୍କରେ ଆଲୋଚନା ଅନୁଷ୍ଠିତ  ହୋଇଥିଲା । ଲୋକସଭା ସାଂସଦ ଶ୍ରୀ ଭର୍ତ୍ତୁହରି ମହତାବ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ । ଶେଷରେ ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଇନ ପ୍ରଣୟନ ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା । ଏଥିରେ ଲୋକସଭା ସଚିବାଳୟର ପୂର୍ବତନ ଯୁଗ୍ମ ସଚିବ ଶ୍ରୀ ବିନୟ କୁମାର ମୋହନ ଯୋଗ ଦେଇ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ, ଶେଷରେ ବିଧାୟିକା ସଂଜଳୀ ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଧାୟକ ଶ୍ରୀ ଭାସ୍କର ମଢେଇଙ୍କ ଅଧ୍ୟକ୍ଷତାରେ ଗଣତନ୍ତ୍ରକୁ ସୁଦୃଢ କରିବା ପ୍ରକ୍ରିୟା ବିଷୟରେ  ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏଥିରେ ନୂଆଦିଲ୍ଲୀସ୍ଥିତ ପ୍ରାଇଡର ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ ମଲ୍ଲିକ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଶେଷରେ ବିଧାୟକ ଶ୍ରୀ ନରସିଂହ ମାଡକାମୀ ଧନ୍ୟବାଦ ଅର୍ପଣ କରିଥଲେ । ଏହି କାର୍ଯ୍ୟକ୍ରମରେ ବିଧାନସଭାର ସଚିବ ଶ୍ରୀ ଦାଶରଥି ଶତପଥି ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *