ଭୁବନେଶ୍ୱର,୨୬/୧୧/୨୦୨୫ (ଓଡ଼ିଶା ସମାଚାର)- ଆସନ୍ତା କାଲି (ଗୁରୁବାର)ଠାରୁ ଆରମ୍ଭ ହେଉଛି ଶୀତକାଳୀନ ଅଧିବେଶନ। ଏହି ପରିପ୍ରେକ୍ଷୀରେ ଆଜି ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସପ୍ତଦଶ ବିଧାନସଭାର ପଞ୍ଚମ ଅଧିବେଶନ ଗୃହକାର୍ଯ୍ୟ ସମ୍ପାଦନ ସମ୍ପର୍କରେ ତଥା ଚଳିତ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ଓ ଲୋକଙ୍କ ସମସ୍ୟାକୁ ଗୃହରେ ଉପସ୍ଥାପନା କରିବା ପାଇଁ ମାନ୍ୟବର ବାଚସ୍ପତି ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ।
ଏହି ବୈଠକରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ମାନ୍ୟବର ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ, ଶାସକ ଦଳର ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ, ବିରୋଧୀ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡାମ, ବିଜେପିର ବରିଷ୍ଠ ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
