କେନ୍ଦ୍ରାପଡ଼ା, ୨୫/୧୧/୨୦୨୫(ଓଡ଼ିଶା ସମାଚାର)-ଚାଷ ଜମିକୁ ଘରବାଡି ଜମିରେ ପରିବର୍ତନ କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୧୨ ହଜାର ଟଙ୍କା ଲାଂଚ ନେବା ବେଳେ କେନ୍ଦ୍ରାପଡ଼ା ବ୍ଲକ ନିକିରାଇ ଆରଆଇ ସର୍କଲର ଏଆରଆଇ ଅଭିମନୁ୍ୟ ବେହେରା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ନିକଟରୁ ଲାଂଚ ଟଙ୍କା ଜବତ କରିଛନ୍ତି । ସୂଚନା ଅନୁଯାୟୀ ଡେରାବିଶ ବ୍ଲକର ଜଣେ ବ୍ୟକ୍ତି ନିଜ ଚାଷ ଜମିକୁ ଘରବାଡି ଜମିରେ ପରିଣତ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଏ ନେଇ ସେ ଅନଲାଇନ୍ ଜରିଆରେ କେନ୍ଦ୍ରାପଡ଼ା ଜିଲା ଡେରାବିଶ ତହସିଲଦାରଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ସମସ୍ତ କାଗଜାତ ଯାଂଚ ପରେ ଏଆରଆଇ ଶ୍ରୀ ବେହରୋ ଜମି ମାଲିକଙ୍କୁ କାର୍ଯ୍ୟାଳୟକୁ ଡକାଇଥିଲେ ।
ଜମି କିସମ ପରିବର୍ତନ କରି ତାଙ୍କ ସପକ୍ଷରେ ଏକ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିବା ପାଇଁ ୧୫ ହଜାର ଟଙ୍କା ଲାଂଚ ମାଗିଥିଲେ । କିନ୍ତୁ ଜମି ମାଲିକ ଏତେ ଟଙ୍କା ଦେବା ପାଇଁ ସକ୍ଷମ ନୁହେଁ ବୋଲି କହିଥିଲେ । ଫଳରେ ଶ୍ରୀ ବେହେରା ୧୫ ହଜାରରୁ ୧୨ ହଜାର ଟଙ୍କା ଦେବା ପାଇଁ କହିଥିଲେ । ଜମି ମାଲିକ ଏ ସଂକ୍ରାନ୍ତରେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଫଳରେ ମଙ୍ଗଳବାର ଏଆରଆଇ କାର୍ଯ୍ୟାଳୟରେ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ବେହେରାଙ୍କୁ ଗିରଫ କରିଥିଲେ । ତାଙ୍କୁ ଗିରଫ ପରେ ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କର ଦୁଇଟି ସ୍ଥାନରେ ଭିଜିଲାନ୍ସ ଅଧିକାରୀମାନେ ଚଢଉ କରିଥିଲେ । ଏ ନେଇ କଟକ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇଛି ।
