ନବମ ଜାତୀୟ ମିଡିଆ ମହାକୁମ୍ଭ ଉଦଘାଟିତ

ନୂଆ ଧାରା ତିଆରି କରିବ ମିଡିଆ ୫.୦
ଭୁବନେଶ୍ୱର,୨୧/୧୧/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ସୂଚନା ଆଦାନପ୍ରଦାନ କ୍ଷେତ୍ରରେ ମିଡ଼ିଆ ୫.୦ ଏକ ନୂଆ ଧାରା ତିଆରି କରିବ । ସାମାଜିକ ଗଣମାଧ୍ୟମ ସମେତ ପାରମ୍ପରିକ ଗଣମାଧ୍ୟମ ମଧ୍ୟ ଏଥିରେ ପ୍ରଭାବିତ ହେବେ । ତଥ୍ୟ ସଂଗ୍ରହଠାରୁ ଆରମ୍ଭକରି ପ୍ରସାରଣ ପର୍ଯ୍ୟନ୍ତ ମିଡ଼ିଆ ୫.୦ର ଏକ ବଡ ଭୂମିକା ରହିବ ବୋଲି ବିଶେଷଜ୍ଞମାନେ ଗୁରୁତ୍ୱାରୋପ କରିଛନ୍ତି ।

ଶୁକ୍ରବାର ସ୍ଥାନୀୟ ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ (ଆଇଏମଏସ୍) ଆନୁକୂଲ୍ୟରେ ଏବଂ କିଟ୍ ବିଶ୍ୱବିଦ୍ୟାଳୟ ଓ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଅଧିନ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର ସହଭାଗିତାରେ ନବମ ଜାତୀୟ ଗଣମାଧ୍ୟମ ସମ୍ମିଳନୀ-୨୦୨୫ ଉଦଘାଟିତ ହୋଇଯାଇଛି । ଏହି ତିନିଦିନିଆ ସମ୍ମିଳନୀରେ ଯୋଗଦେଇ ଅତିଥିମାନେ ମିଡ଼ିଆ ୫.୦: ଡିଜିଟାଲ୍ ଯୋଗାଯୋଗ; ଉପରେ ନିଜର ମତାମତ ଉପସ୍ଥାପନ କରିଥିଲେ । କୃତ୍ରିମ ବୁଦ୍ଧିମତା, ମେସିନ ଲର୍ଣିଙ୍ଗ, ଇଂଟରନେଟ ଅଫ୍ ଥିଙ୍ଗସ୍ , ଅଗମେନ୍ଟେଡ୍ ରିଅଲିଟି ଓ ଭର୍ଚୁଆଲ୍ ରିଅଲିଟି ଆଦି ନୂତନ ଜ୍ଞାନ କୌଶଳ ଦ୍ୱାରା ଗଢ଼ି ଉଠୁଥିବା ପରିବର୍ତନଶୀଳ ମିଡ଼ିଆର ରୂପରେଖ ଉପରେ ଚର୍ଚ୍ଚା ହୋଇଥିଲା ।

ସମ୍ମିଳନୀରେ ଯୋଗଦେଇ, କର୍ଣ୍ଣାଟକର କୋପାଲ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବି. କେ. ରବି କହିଥିଲେ ଯେ ବର୍ତମାନ କୁତ୍ରିମ ବୁଦ୍ଧିମତାର ବ୍ୟବହାର ଅନେକ ବଢ଼ି ଚାଲିଛି । ଏ.ଆଇ ସିଷ୍ଟମଗୁଡିକ ମାନବ ହସ୍ତକ୍ଷେପ ବିନା ବହୁତ ସମୟ କଂଟେନ୍ଟକୁ ଅପ୍ଟିମାଇଜ୍ କରିବା ସହ ବିତରଣ କରୁଛନ୍ତି, ଯାହା ବ୍ୟକ୍ତିଗତ ଗୋପନୀୟତାକୁ ପ୍ରଭାବ ପକାଉଛି ବୋଲି ସେ ମତବ୍ୟକ୍ତ କରିଥିଲେ ।

ମୁଖ୍ୟବକ୍ତା ଭାବେ ଯୋଗଦେଇ, ଆଇ.ଆଇ.ଟି ଭୁବନେଶ୍ୱରର ଏ.ଆଇ ଓ ଏଚ୍.ପି.ସି ଗବେଷଣା କେନ୍ଦ୍ରର ନିର୍ଦେଶକ ଡଃ ଅଶ୍ୱିନୀ କୁମାର ନନ୍ଦ କହିଲେ ଯେ, ଭ୍ରମାତ୍ମକ ବର୍ଣ୍ଣନା ସମାଜିକ ଅସ୍ଥିରତା ତିଆରି କରିପାରେ, ସେଥିପାଇଁ କଠୋର ଓ ଦୃଢ଼ ଆଇନର ଆବଶ୍ୟକତା ରହିଛି । ଆସାମ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରୋ ଭାଇସ୍-ଚାନ୍େସଲର୍ ଓ ଗଣଯୋଗାଯୋଗ ପ୍ରଫେସର ଡଃ କେ.ଭି. ନାଗରାଜ କହିଲେ ଯେ ପ୍ରଯୁକ୍ତିବିଦ୍ୟା ସହ ନୈତିକତାକୁ ଗୁରୁତ୍ୱ ଦେଇ ଗଣମାଧ୍ୟମ ଲୋକଙ୍କ ସ୍ୱର ହେବା ଉଚିତ । ଏହି ଅବସରରେ ତ୍ରିପୁରା ସେଂଟ୍ରଲ୍ ୟୁନିଭର୍ସିଟିର ପୂର୍ବତନ କୁଳପତି ପ୍ରଫେସର ଭି.ଏଲ୍. ଧାରୁରକରଙ୍କୁ ସମ୍ୱାଦିକତା ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେହିପରି, ସମ୍ମିଳନୀ ପୁସ୍ତକ ସମେତ ପାଂଚଗୋଟି ବହି ଉନ୍ମୋଚିତ ହୋଇଥିଲା ।

ପୂର୍ବ ବର୍ଷଗୁଡ଼ିକ ଭଳି ଚଳିତ ବର୍ଷ ମଧ୍ୟ ଏହି କନକ୍ଲେଭରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳନ ସହ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ମରଣ କରାଯାଇଥିଲା ।

ରବିବାର ଉଦ୍ୟାପନୀ ସମାରୋହ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *