କେନ୍ଦ୍ରାପଡ଼ା,୨୧/୧୧/୨୦୨୫(ଓଡ଼ିଶା ସମାଚାର)-ତୁଳସୀକ୍ଷେତ୍ର କଳାକାର ସଂଘର ଜିଲା ସ୍ତରୀୟ ମହୋତ୍ସବ ଶୁକ୍ରବାର ଶ୍ୟାମସୁନ୍ଦରପୁର ଚଣ୍ଡିଆ ପ୍ୟାଲେସ ପରିସରରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ତୁଳସୀକ୍ଷେତ୍ର କଳାକାର ସଂଘ ସଭାପତି କେଦାର ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଜିଲାପାଳ ରଘୁରାମ ଆର. ଆୟାର ଉଦଘାଟକ ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ କରି କେନ୍ଦ୍ରାପଡା ମାଟି ହେଉଛି କଳା, ସଂସ୍କୃତି ଓ ଐତିହ୍ୟ ସମ୍ପନ୍ନ ମାଟି । ଏଠାରେ ବହୁ ପ୍ରତିଷ୍ଠିତ ସାହିତ୍ୟ, କଳାକାର ଓ ବିଦ୍ୱାନ ଜନ୍ମନେଇ ଏମାଟିକୁ ରୁଦ୍ଧିମନ୍ତ କରିଛନ୍ତି ବୋଲି କହିଥିଲେ ।
ମୁଖ୍ୟଅତିଥି ଭାବେ ବିଶିଷ୍ଟ ସ୍ତମ୍ବକାର ତଥା ସାମ୍ବାଦିକ ଶ୍ରୀରାମ ଦାଶ ଯୋଗଦେଇ କେନ୍ଦ୍ରାପଡାର କଳାକାର, ସଂଗୀତକାର, ସାହିତ୍ୟିକ ଓ ବୁଦ୍ଧିଜୀବି ସର୍ବଦା ରାଜ୍ୟ, ଦେଶ ଓ ବିଦେଶରେ ସୁନାମ ଅର୍ଜ୍ଜନ କରି ଏମାଟିକୁ ଗୌରବାନ୍ୱିତ କରି ଆସିଛନ୍ତି । ଅକ୍ଷୟ ମହାନ୍ତିଙ୍କ ଠାରୁ ଆରମ୍ଭ କରି ବିଜୟ ମହାନ୍ତି, ଭିକାରୀ ବଳ, ନିମାଇଁ ହରିଚନ୍ଦନ ପ୍ରଭୃତି
ପ୍ରତ୍ୟେକ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇ କେନ୍ଦ୍ରାପଡାକୁ ସମୃଦ୍ଧ କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ବିଜେପି ରାଜ୍ୟ ପ୍ରବକ୍ତା ଉମାକାନ୍ତ ପଟ୍ଟନାୟକ ଯୋଗଦେଇ କେନ୍ଦ୍ରାପଡାରେ ଏଭଳି କଳାକାର ମହୋତ୍ସବର ଆୟୋଜନ ଦ୍ୱାରା ଏହି ଜିଲାର କଳାକାରମାନେ ଆହୁରି ଆଗକୁ ଯାଇ ଆମ ଜିଲାର ଗୌରବ ବୃଦ୍ଧି କରିବେ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକାରୀ ସଭାପତି ଗଗନବିହାରୀ ସିଂହ ମହୋତ୍ସବର ଉଦେଶ୍ୟ ଜ୍ଞାପନ କରିଥିଲେ ।
ସଭାପତି ଶ୍ରୀ ସାମନ୍ତରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ବିଧୁଭୂଷଣ ତ୍ରିପାଠୀ ବିବରଣୀ ପାଠ ଓ ଉପସଭାପତି ସବିତା ବରଜ ଧନ୍ୟବାଦେ ଅର୍ପଣ କରିଥିଲେ । ମୁଖ୍ୟ ଉପଦେଷ୍ଟା ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ସାଂସ୍କୃତିକ ସମ୍ପାଦକ ବାବାଜି ପଟ୍ଟନାୟକ, କାର୍ଯ୍ୟକାରୀ କମିଟି ସଭ୍ୟ ନିରଞ୍ଜନ ପାତ୍ର, ଦେବେନ୍ଦ୍ର କୁମାର ଦାସଙ୍କ ସମେତ ସଂଘର ସମସ୍ତ କର୍ମକର୍ତା ଓ ସଭ୍ୟସଭ୍ୟାମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଜିଲାର ବିଭିନ୍ନ ବ୍ଲକରୁ ଆସିଥିବା ମହିଳା ଓ ପୁରୁଷ ସଂକୀର୍ତନ ମଣ୍ଡଳୀ ଓ କଳାକାରମାନେ ଓଡିଶୀନୃତ୍ୟ, ଘୋଡାନାଚ, ସଂକୀର୍ତନ, ଏକତାରା ଭଜନ, କେନ୍ଦରାଗୀତ, ଦାସକାଠିଆ ଓ ପାଲା ପ୍ରଭୃତି ପରିବେଷଣ କରିଥିଲେ ।
