ସବୁ ବିଦ୍ୟାଳୟରେ ପିଇବାପାଣି ଏବଂ ବର୍ଷା ଜଳ ସଂଗ୍ରହ ସଂରଚନା  ବ୍ୟବସ୍ଥା କରାଯିବା ସଂପର୍କରେ ମୁଖ୍ୟଶାସନସଚିବଙ୍କ ଅଧ୍ୟକ୍ଷତାରେ ସମନ୍ୱୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୧୧/୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟର ସମସ୍ତ ସହରାଞ୍ଚଳରେ ଏବଂ ଗ୍ରାମାଞ୍ଚଳରେ ଥିବା ସବୁ ବିଦ୍ୟାଳୟରେ ପାନୀୟଜଳ ସୁବିଧା, ଟ୍ୟାପ୍ ଯୋଗେ ପିଇବାପାଣି ଏବଂ ଭୂପୃଷ୍ଠରୁ ବହିଯାଉଥିବା ବର୍ଷା ଜଳକୁ ସଂରକ୍ଷଣ  ତଥା ଭୂତଳ ଜଳ ଭରଣ ଉଦ୍ଦେଶ୍ୟରେ ରେନ୍ ଓ୍ୱାଟର ହାର୍ଭେଷ୍ଟିଂ ଷ୍ଟ୍ରକ୍ଚର ବ୍ୟବସ୍ଥାକୁ ନିଶ୍ଚିତ କରାଯିବ। ଏଥି ସହିତ ସମସ୍ତ ବିଦ୍ୟାଳୟରେ ଶୌଚାଳୟ ବ୍ୟବସ୍ଥା ରହିବ ।  ଏ ସଂପର୍କରେ ଏକ ବୈଠକ ମୁଖ୍ୟଶାସନସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଗତକାଲି ମଙ୍ଗଳବାର ଅପରାହ୍ଣରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ସଂପୃକ୍ତ ବିଭିନ୍ନ ବିଭାଗ ସହିତ ଏକ ସମନ୍ୱୟ  ବୈଠକ ଅନୁଷ୍ଠିତ ହୋଇଯାଇଛି।

   ରାଜ୍ୟରେ ଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟରେ ଏହି ସବୁ ବ୍ୟବସ୍ଥା ରହିଥିବା ସଂପର୍କରେ ଭାରତ ସରକାରଙ୍କ ସହିତ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ତେବେ ରାଜ୍ୟରେ   ଯେଉଁସବୁ ବିଦ୍ୟାଳୟରେ ଅଦ୍ୟାବଧି  ଏହି ସବୁ ବ୍ୟବସ୍ଥା  ହୋଇନାହିଁ, ସେସବୁକୁ  ସୁନିଶ୍ଚିତ କରିବାକୁ ଅନୁଷ୍ଠିତ ବୈଠକରେ ସ୍ଥିତି ଅନୁଧ୍ୟାନ କରି ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ବିଭାଗ ଓ ନିର୍ମାଣକାରୀ ସଂସ୍ଥାମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।

     ଅନୁଷ୍ଠିତ ବୈଠକରେ ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢୀ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧୀକରଣ (ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା,ଜଳ ସଂପଦ ବିଭାଗର  ସର୍ବୋଚ୍ଚ ଯନ୍ତ୍ରୀ , ଓ୍ୱାଟକୋ,ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ସଂସ୍ଥା (ପିଏଚଇଓ)ର ଯନ୍ତ୍ରୀ  ଏବଂ ଅଧିକାରୀଏବଂ ସଂପୃକ୍ତ ବିଭାଗର ବରିଷ୍ଠ ପଦାଧିକାରୀଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।

ଏ ସଂପର୍କରେ ସଦ୍ୟତମ ସ୍ଥିତି ଅନୁଧ୍ୟାନ କରାଯିବା ସହ ଯେଉଁ ସବୁ ବିଦ୍ୟାଳୟମାନଙ୍କରେ ଏ ସବୁ ସୁବିଧା ରହିଛି, ସେଗୁଡ଼ିକ ଠିକ୍ ଭାବେ ପରିଚାଳନା କରାଯାଉଛି କି ନାହିଁ ସେଥିପାଇଁ କେତେକ ବିଦ୍ୟାଳୟ ପରିଦର୍ଶନ କରି ନମୂନା  ସର୍ବେକ୍ଷଣ(ସାମ୍ପୁଲ ସର୍ଭେ) କରାଯାଇ ବାସ୍ତବ ସ୍ଥିତି ଅବଗତ ହେବା  ଏବଂ ଆବଶ୍ୟକତା ଅନୁସାରେ ସୁବିଧା କରାଯିବା ସଂପର୍କରେ ମୁଖ୍ୟ ଶାସନ ସଚିବ  ପରାମର୍ଶ ଦେଇଛନ୍ତି । ତଦ୍ୱାରା କ୍ଷେତ୍ରସ୍ତରରେ ବାସ୍ତବ ସ୍ଥିତି ଅନୁଧ୍ୟାନ କରାଯାଇ ବ୍ୟବସ୍ଥାରେ ଶତ ପ୍ରତିଶତ ପ୍ରଦର୍ଶନ ନେଇ ସଫଳତା ହାସଲ କରାଯାଇପାରିବ । ସମସ୍ତ ବ୍ୟବସ୍ଥା ରହିବାକୁ ନିଶ୍ଚିତ କରାଯିବା ସହ ଏଥିପାଇଁ ନିୟମିତ ତଦାରଖ ଉପରେ ସେ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ନିକଟସ୍ଥ ଜଳ ଭିତ୍ତିଭୂମିକୁ ଦେଖି ଆବଶ୍ୟକତା ସଂପର୍କରେ ସଂପୂର୍ଣ୍ଣ ଆକଳନ କରି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ପଂଚାୟତିରାଜ ବିଭାଗକୁ ଜଣାଇବେ।ବିଭାଗ ତରଫରୁ ପ୍ରସ୍ତାବ ଅନୁସାରେ ନଗର ଉନ୍ନୟନ ବିଭାଗ, ପିଏଚଇଓ, ଓ୍ୱାଟକୋ, ଗ୍ରାମ୍ୟ ପାନୀୟଜଳ ଓ ପରିମଳ (ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ) ଏବଂ ଓସେପା ତରଫରୁ ବିଦ୍ୟାଳୟ ପରିସର ମଧ୍ୟରେ ପାଇପ୍ ଯୋଗେ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରାଯିବ।ପଂଚାୟତିରାଜ ବିଭାଗ ତରଫରୁ ଅର୍ଥ କମିଶନଙ୍କ ଅନୁଦାନ ପାଣ୍ଠି ଏବଂ ଅନ୍ୟ ବିଭିନ୍ନ ବ୍ୟବସ୍ଥାରେ ଏସବୁ ବ୍ୟବସ୍ଥା କରାଯାଉଛି । ଏ ସମସ୍ତ ବ୍ୟବସ୍ଥାର ତଦାରଖ ଓ ମୂଲ୍ୟାୟନ ବ୍ୟବସ୍ଥା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *