କେନ୍ଦ୍ରାପଡ଼ା,୧୭/୧୧/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଆଂଚଳିକ ପରିବହନ କାର୍ଯ୍ୟାଳୟ ସହଯୋଗରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଯୁବରେଡକ୍ରସ ୟୁନିଟ୍ ପକ୍ଷରୁ ଶୂନ୍ୟ ଦୁର୍ଘଟଣା ଜନିତ ମୃତୁ୍ୟ ସପ୍ତାହ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ରେଡକ୍ରସ ପରାମର୍ଶଦାତା ତଥା ଜିଲା ରେଡକ୍ରସ ସମ୍ପାଦକ ଅଧ୍ୟାପକ ବିକାଶ କୁମାର ନାୟକ ସଂଯୋଜନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଶାନ୍ତନୁ କୁମାର ଜେନା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ।
ଆଇକୁ୍ୟଏସି ସଂଯୋଜିକା ଡ. ଦିପ୍ତୀ ରାୟ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ଭାବେ ଆଂଚଳିକ ପରିବହନ ଅଧିକାରୀ ଲୋକନାଥ ମେହେର ଓ ସମ୍ମାନିତ ଅତିଥି ଭାବେ ମୋରଯାନ ନିରୀକ୍ଷକ ଶ୍ରୀକାନ୍ତ ଟୁଡୁ ଓ ଟ୍ରାଫିକ ଇନସପେକ୍ଟର ରାଜନାରାୟଣ ସ୍ୱାଇଁ ପ୍ରମୁଖ ଯୋଗଦେଇ ସଡକ ସୁରକ୍ଷା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ କର୍ତବ୍ୟ ପ୍ରତି ଅବଗତ କରାଇଥିଲେ ।
ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ସଡକ ସୁରକ୍ଷା ସମ୍ବନ୍ଧିତ ଏକ ନାଟକ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମଂଚସ୍ଥ ହୋଇଥିଲା । ଅତିଥିମାନେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଯୁବରେଡକ୍ରସ ର ସ୍ୱେଛାସେବୀ ମନୋଜ ଲେଙ୍କା, ଭବାନିଶଙ୍କର ପ୍ରଧାନ, ଉମେଶ ଆଚାର୍ଯ୍ୟ, ପ୍ରତିଭା ରାୟ, ଅର୍ପିତା ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।
