ଭୁବନ ୧୭/୧୧/୨୦୨୫ (ଓଡ଼ିଶା ସମାଚାର)- ଭୁବନ ଏନ୍ ଏ ସି ଅନ୍ତର୍ଗତ ୧୪ ନମ୍ବର ୱାର୍ଡ ରଗଡି ଛକ ଠାରେ ଗତ ମାସ ୨୭ ତାରିଖ ରୁ ଆରମ୍ଭ ହୋଇଥିବା ପରିବା ବଜାର ସୋମବାର ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି । କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନଡ଼ିଆ ଭାଙ୍ଗି ପରିବା ମାର୍କେଟ କୁ ଉଦଘାଟନ କରିଥିଲେ ।
୧୯୭୨ ମସିହାରେ ପ୍ରତିଷ୍ଠା ହୋଇଥିବା ଭୁବନ ଏନ୍ ଏ ସି ରେ ଦୀର୍ଘ ୫୦ ବର୍ଷ ପରେ ସ୍ଥାୟୀ ପରିବା ବଜାର ନଥିବା ଓ କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟା ଦୃଷ୍ଟିରୁ ପୂର୍ବତନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ରଗଡ଼ି ଛକରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପର୍ଯ୍ୟାପ୍ତ ସରକାରୀ ଜମିକୁ ନିୟନ୍ତ୍ରଣ କୁ ଆଣି ବାଲି ଫିଲିଂ, ସାଇଡ ୱାଲ, ପେଭର ବିଛାଇ ପ୍ରଥମେ ୨୭ ଟି କ୍ୟାବିନ ପକାଇ ଭେଣ୍ଡିଂ ଜୋନ ପ୍ରତିଷ୍ଠା କରିଥିଲେ ।
ପରିବା ବଜାର ପାଇଁ ପ୍ରାଥମିକ କାର୍ଯ୍ୟ ଶେଷ ହେବା ପରେ ଚାଷୀ ମାନଙ୍କ ପାଇଁ ୩ ଟି ପିଣ୍ଡି ନିର୍ମାଣ କରିଥିଲେ । ଏହା ବାଦ ଗ୍ରାହକ ଙ୍କ ସୁବିଧା ପାଇଁ ଏକ ଆମିନିଟି ସେଣ୍ଟର ଏବଂ ୩୦୦ କ୍ଷମତା ବିଶିଷ୍ଟ ବହୁମୁଖି କୋଠାଘର ( ମଲ୍ଟି ପର୍ପୋଜ ହଲ ) ନିର୍ମାଣ କରିଥିଲେ । ପ୍ରାୟ ବର୍ଷକ ପୂର୍ବେ ଏହି ପରିବା ବଜାର ନିର୍ମାଣ ସମ୍ପୂର୍ଣ ହୋଇଥିବା ବେଳେ ସରକାର ପରିବର୍ତ୍ତନ ଯୋଗୁ ଉଦଘାଟନ ହୋଇପାରିନଥିଲା । କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ନେଇ ଭୁବନ ରେ ଏବେ ଏନ୍ ଏ ସି ଅଫିସ ସମ୍ମୁଖ ରେ ଗୋଟିଏ ଏବଂ ରଗଡ଼ି ଛକରେ ଗୋଟିଏ ସମୁଦାୟ ଦୁଇଟି ପରିବା ମାର୍କେଟ ହୋଇଥିବାରୁ ଜନସାଧାରଣରେ ଆନନ୍ଦ ପ୍ରକାଶ ପାଇଛି।
