ଜଙ୍କ୍ ଫୁଡ୍ ରୁ ଦୂରେଇ ରହିବାକୁ ବିଶେଷଜ୍ଞଙ୍କ ପରାମର୍ଶ
କଟକ,୧୬/୧୧/୨୦୨୫(ଓଡ଼ିଶା ସମାଚାର)- ଲୋକମାନଙ୍କର ଜୀବନ ଶୈଳୀରେ ବର୍ତମାନ ବ୍ୟାପକ ପରିବର୍ତନ ହିଁ ମଧୁମେହ ରୋଗର ପ୍ରମୁଖ କାରଣ । ବିଶେଷ କରି ପ୍ରତିଦିନ ଜଙ୍କ୍ ଫୁଡ୍ ଖାଇବା, ଅତ୍ୟଧିକ ଆମିଷ ଖାଦ୍ୟ ସେବନ, ଅଧିକ ତେଲଭାଜି ଓ ଚର୍ବିଯୁକ୍ତ ଖାଦ୍ୟ ଖାଇବା, ନିୟମିତ ବ୍ୟାୟାମ ନ କରିବା ଦ୍ୱାରା ଜଣଙ୍କ ଶରୀରରେ ମଧୁମେହ ରୋଗ ଦେଖା ଦେଇଥାଏ । ତେବେ ମଧୁମେହ ରୋଗ ସମ୍ପର୍କରେ ବିଭିନ୍ନ ସମୟରେ ଲୋକମାନଙ୍କୁ ବିଭ୍ରାନ୍ତିକର ତଥ୍ୟ ଦିଆଯାଇଥାଏ । ଏଣୁ ଜଣେ ବ୍ୟକ୍ତି ମଧୁମେହ ରୋଗରେ ଆକ୍ରାନ୍ତ ନ ହେବା ପର୍ଯ୍ୟନ୍ତ ସେ ସମସ୍ତ ପ୍ରକାରର ଖାଦ୍ୟ ଖାଇବା ଉଚିତ୍ ବୋଲି ୱାର୍ଲ୍ଡ ଡାଇବେଟିସ୍ ଡେ’ ପାଳନ ଅବସରରେ ମତ ପ୍ରକାଶ ପାଇଛି ।
ହୋଟେଲ୍ ଆକବରୀ ପରିସରରେ ‘ଦିବ୍ୟ ଆଦିତ୍ୟ ଡାଏବେଟିକ୍ କେୟାର୍’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ଡାକ୍ତର ଆଦିତ୍ୟ ବିକ୍ରମ ମିଶ୍ର ଯୋଗ ଦେଇ ମଧୁମେହ ରୋଗର ବିଭିନ୍ନ କାରଣ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ମଧୁମେହ ରୋଗକୁ ପ୍ରତିରୋଧ କରିବା ପାଇଁ ହେଲେ ଧୈର୍ଯ୍ୟ ରଖିବାକୁ ପଡ଼ିବ ଓ ପ୍ରତ୍ୟେକ ଦିନ ବ୍ୟାୟାମ ସହିତ ଠିକ୍ ସମୟରେ ଔଷଧୀୟ ଉପଚାର ଜରୁରୀ । ସେ କହିଲେ ଯେ ପଖାଳ ଭଳି ଖାଦ୍ୟ ଇନସୁ୍ୟଲିନ୍ ସେନସିଟିଭିଟି ବଢ଼ାଇଥାଏ । ଏହି ମର୍ମରେ ସେ ପ୍ରତ୍ୟେକ ଖାଦ୍ୟ ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ ରହିଛି ବୋଲି କହିଥିଲେ । ମଧୁମେହ ସଚେତନତା ସମ୍ପର୍କିତ କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ଇଞ୍ଜିନିୟର୍ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବହୁମୂଲ୍ୟ ଜୀବନ ବଂଚାଉଥିବା ଡାକ୍ତରଙ୍କୁ ଭଗବାନଙ୍କ ସହିତ ତୁଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଏସ୍. ପି. ମିଶ୍ର, ବିଦ୍ୟାଧର ନାୟକ, ହିମାଦ୍ରୀ ତନୟା ମିଶ୍ର, ଦିପ୍ତୀରେଖା ମିଶ୍ର ପ୍ରମୁଖ ଯୋଗଦେଇ ମଧୁମେହ ରୋଗରୁ ନିଜକୁ ରକ୍ଷା କରିବା ପାଇଁ ସଚେତନ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ।
