ବାରିପଦା,୧୬/୧୧/୨୦୨୫(ଓଡ଼ିଶା ସମାଚାର)- ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ପକ୍ଷରୁ ପ୍ରତି ୪ ବର୍ଷ ଅନ୍ତରରେ ହେଉଥିବା ସର୍ବଭାରତୀୟ ବାଘ ଗଣନା -୨୦୨୬ ଶନିବାର ଠାରୁ ଆରମ୍ଭ ହୋଇଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ପ୍ରସ୍ତୁତ ରୋଡ ମ୍ୟାପ ଜରିଆରେ ଦୁଇଟି ପର୍ଯ୍ୟାୟରେ ଗଣତି କାର୍ଯ୍ୟ ଆରମ୍ଭ ହୋଇଛି । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦେଶକ ତଥା ଆଂଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ପ୍ରଦାନ କରିଛନ୍ତି । ପ୍ରଥମ ପର୍ଯ୍ୟାୟର ଗଣନା ଆରମ୍ଭ ହୋଇଥିବା ବେଳେ ଏହାର ସମାପ୍ତ ପରେ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୨୨ତାରିଖ ପର୍ଯ୍ୟନ୍ତ ଗଣତି ପ୍ରକ୍ରିୟା ଚାଲିବ । ୩ଦିନ ଧରି ବାଘର ପାଦ ଚିହ୍ନ ସମେତ ଅନ୍ୟ ସାେଙ୍କତିକ ଚିହ୍ନ ଦେଖି ଗଣତି ହେବ । ୪ଦିନ ଲାଇନ ସର୍ଭେ ଏବଂ ଗୋଟିଏ ଦିନ ଅନ୍ୟ ଗଣତି ପ୍ରକ୍ରିୟା ହେବ ।
ଶନିବାର ଶିମିଳିାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ବନଖଣ୍ଡର ୧୦୩ ବିଟରେ ଗଣତି ଆରମ୍ଭ ହୋଇଛି । ଏନେଇ ୧୦୩ ଟିମ ତାଲିମ ପ୍ରାପ୍ତ ବନ କର୍ମଚାରୀ ଗ୍ରୁପ ସାମିଲ ହୋଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ କ୍ୟାମେରା ଟ୍ରାପ ଜରିଆରେ ଗଣତି ପ୍ରକ୍ରିୟା ଅନୁଷ୍ଠିତ ହେବ । ଶିମିଳିପାଳ ଅଭୟାରଣ୍ୟର ପ୍ରତି ୨ବର୍ଗ କିଲୋମିଟର ବ୍ୟବଧାନରେ ୧୩୨୧ଟି ସ୍ଥାନରେ ଗଣତି ହେବ । ଏନେଇ ପ୍ରାୟ ୧୫୦୦ଟି ଟ୍ରାପ କ୍ୟାମେରା ଖଞ୍ଜା ଯାଇଛି ।
