୫୧୦୦ କୋଟିରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ

ଉତର-ପୂର୍ବ ହେଉଛି ଭାରତର ଅଷ୍ଟଲକ୍ଷ୍ମୀ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୨/୦୯/୨୦୨୫ (ପିଆଇବି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି, ଅରୁଣାଚଳ ପ୍ରଦେଶର ଇଟାନଗରରେ ପ୍ରାୟ ୫୧୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଉପସ୍ଥିତ ସମାବେଶକୁ ସମ୍ବୋଧନ କରି, ସେ ପରମାତ୍ମା ଡୋନୟି ପୋଲୋଙ୍କୁ ସ୍ମରଣ କରିବା ସହ ସମସ୍ତଙ୍କ ଉପରେ ତାଙ୍କର କୃପା ରହୁ ବୋଲି ପ୍ରାର୍ଥନା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ହେଲିପ୍ୟାଡରୁ ସମାବେଶସ୍ଥଳୀ ପର୍ଯ୍ୟନ୍ତ ଯାତ୍ରାରେ ଅଗଣିତ ଲୋକଙ୍କୁ ଭେଟିବା ଏବଂ ଜାତୀୟ ପତାକା ଧରିଥିବା ପିଲା ଓ ଯୁବକମାନଙ୍କୁ ଦେଖିବା, ଅରୁଣାଚଳ ପ୍ରଦେଶର ଉଷ୍ମ ଆତିଥ୍ୟର ଅନୁଭୂତିକୁ ଆହୁରି ଗଭୀର କରିଦେଇଥିଲା । ସେ କହିଥିଲେ ଯେ, ଅରୁଣାଚଳ କେବଳ “ଉଦୟମାନ ସୂର୍ଯ୍ୟର ଭୂମି” ନୁହେଁ, ଏହା ଏକ “ ଉତ୍କୃଷ୍ଟ ଦେଶପ୍ରେମର ଭୂମି” ।

ସେ ଉଲ୍ଲେଖ କରିଥିଲେ ଯେ, ଯେପରି ଜାତୀୟ ପତାକାର ପ୍ରଥମ ରଙ୍ଗ କେଶର, ସେହିପରି ଅରୁଣାଚଳର ଆତ୍ମା ମଧ୍ୟ କେଶରରୁ ଆରମ୍ଭ ହୁଏ । ପ୍ରଧାନମନ୍ତ୍ରୀ କହିଥିଲେ, ଅରୁଣାଚଳର ପ୍ରତ୍ୟେକ ନାଗରିକ ବୀରତ୍ୱ ଓ ସରଳତାର ପ୍ରତୀକ । ରାଜ୍ୟ ପ୍ରତି ତାଙ୍କର ଗଭୀର ସ୍ନେହକୁ ପ୍ରକାଶ କରି ସେ କହିଥିଲେ ଯେ, ପ୍ରତ୍ୟେକ ଗସ୍ତ ତାଙ୍କୁ ଅପାର ଆନନ୍ଦ ଦେଇଥାଏ ଏବଂ ଲୋକଙ୍କ ସହିତ ବିତାଇଥିବା ପ୍ରତ୍ୟେକ ମୁହୂର୍ତ ସ୍ମରଣୀୟ । ସେ ଏହି ସ୍ନେହ ଓ ସମ୍ମାନକୁ ନିଜ ପାଇଁ ଏକ “ମହାନ ସମ୍ମାନ” ଭାବେ ବ୍ୟକ୍ତ କରିଥିଲେ । “ତାୱାଙ୍ଗ ମଠରୁ ନାମସାଇର ସ୍ୱର୍ଣ୍ଣ ପାଗୋଡା ପର୍ଯ୍ୟନ୍ତ, ଅରୁଣାଚଳ ପ୍ରଦେଶ ଶାନ୍ତି ଏବଂ ସଂସ୍କୃତିର ସଙ୍ଗମକୁ ପ୍ରତିନିଧିତ୍ୱ କରେ ।” ପ୍ରଧାନମନ୍ତ୍ରୀ ଏହି ପବିତ୍ର ଭୂମିକୁ ନମସ୍କାର କରି ଏହାକୁ “ଭାରତ ମାତାର ଗୌରବ” ବୋଲି ବର୍ଣ୍ଣନା କରିଥିଲେ ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ତାଙ୍କର ଆଜିର ଅରୁଣାଚଳ ପ୍ରଦେଶ ଗସ୍ତ ତିନୋଟି ବିଶେଷ କାରଣରୁ ସ୍ୱତନ୍ତ୍ର ଥିଲା । ପ୍ରଥମତଃ, ପବିତ୍ର ନବରାତ୍ରିର ପ୍ରଥମ ଦିନରେ ସୁନ୍ଦର ପର୍ବତମାଳାକୁ ଦେଖିବାର ସୌଭାଗ୍ୟ ମିଳିଥିବାରୁ ସେ ଆନନ୍ଦ ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ, ଏହି ଦିନ ଭକ୍ତମାନେ ହିମାଳୟକନ୍ୟା ମା’ ଶୈଳପୁତ୍ରୀଙ୍କୁ ପୂଜା କରନ୍ତି । ଦ୍ୱିତୀୟତଃ, ସେ ସାରା ଦେଶରେ ନେକ୍ସଟଜେନ୍ ଜିଏସଟି ସଂସ୍କାର କାର୍ଯ୍ୟକାରୀ କରିବା ସହିତ ଜିଏସଟି ସଞ୍ଚୟ ମହୋତ୍ସବ ଆରମ୍ଭ କରିବାର ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ପର୍ବ-ପର୍ବାଣୀ ଋତୁରେ ନାଗରିକମାନେ ଦ୍ୱିଗୁଣିତ ଲାଭ ପାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତର- ପୂର୍ବର ଆଠଟି ରାଜ୍ୟ ଅଷ୍ଟଲକ୍ଷ୍ମୀ ଭାବରେ ପୂଜିତ, ତେଣୁ ବିକାଶ ଯାତ୍ରାରେ ପଛରେ ରହିହେବ ନାହିଁ । ସେ ଗୁରୁତ୍ୱାରୋପ କରି କହିଥିଲେ ଯେ କେନ୍ଦ୍ର ସରକାର ଏହି ଅଂଚଳର ପ୍ରଗତି ପାଇଁ ପର୍ଯ୍ୟାପ୍ତ ପାଣ୍ଠି ଆବଂଟନ କରୁଛନ୍ତି । ଏକ ଉଦାହରଣ ଦେଇ ସେ ବ୍ୟାଖ୍ୟା କରିଥିଲେ ଯେ, କେନ୍ଦ୍ର ଦ୍ୱାରା ସଂଗୃହୀତ ଟିକସର ଏକ ଅଂଶ ରାଜ୍ୟଗୁଡ଼ିକୁ ବଂଟନ କରାଯାଏ । ପୂର୍ବ ଶାସନ ସମୟରେ, ଅରୁଣାଚଳ ପ୍ରଦେଶ ଦଶ ବର୍ଷ ମଧ୍ୟରେ କେନ୍ଦ୍ରୀୟ ଟିକସରୁ ମାତ୍ର ୬୦୦୦ କୋଟି ଟଙ୍କା ପାଇଥିଲା ।

Leave a Reply

Your email address will not be published. Required fields are marked *