କେନ୍ଦ୍ରାପଡ଼ା,୧୫/୧୧/୨୦୨୫(ଓଡ଼ିଶା ସମାଚାର)- ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ର କୁଇଜ୍ ପ୍ରତିଯୋଗିତାରେ କେନ୍ଦ୍ରାପଡାର ବିନୀତ କୁମାର ଷଡଙ୍ଗୀ ପ୍ରଥମ ହୋଇ ପୁରସ୍କୃତ ହୋଇଛନ୍ତି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଂଚାୟତ ମେହେନ୍ଦିପୁର ସ୍ଥିତ ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ବିନୀତ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ସୁରଭିର ବରିଷ୍ଠ ବିଭାଗର କୁଇଜ୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି କେନ୍ଦ୍ରାପଡା ଜିଲା ତଥା ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛନ୍ତି ।
ତ୍ରିଦିବସୀୟ ଏହି ଶିଶୁ ମହୋତ୍ସବର ଉଦଯାପନୀ ଦିବସରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସଙ୍କ ଠାରୁ ବିନୀତ ପୁରସ୍କାର ଗ୍ରହଣ କରିଛନ୍ତି । ପୂର୍ବରୁ ବ୍ଲକ ଓ ଜିଲା ସ୍ତରୀୟ ସୁରଭିରେ ପ୍ରଥମ ହୋଇଥିବା ବିନୀତ ଜଣେ ମେଧାବୀ ଛାତ୍ର ଭାବରେ ତୃତୀୟ ଓ ପଂଚମ ଶ୍ରେଣୀ ବୃତି ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ।
ଏଥିସହିତ ଜାତୀୟ ଗ୍ରାମାଂଚଳ ମେଧାବୃତି ଏବଂ ପଠାଣିସାମନ୍ତ ଗଣିତ ମେଧାବୃତି ପରୀକ୍ଷାରେ ଯୋଗ୍ୟତା ଅର୍ଜ୍ଜନ କରି ସମଗ୍ର ଜିଲାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ବିନୀତଙ୍କ ପିତା ସୁଧାଂଶୁ ଶେଖର ଷଡଙ୍ଗୀ ବୃତିରେ ଜଣେ ଶିକ୍ଷକ ଏବଂ ମାତା ମନୋରମା ପଣ୍ଡା ଜଣେ ସୁଗୃହିଣୀ । ନିଜ ମାତାପିତା ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଦାସଙ୍କୁ ସେ ଏହି ସଫଳତାର ଶ୍ରେୟ ଦେଇଛନ୍ତି ।
