ଭୁବନେଶ୍ୱର, ୨୮/୧୦/୨୦୨୪ (ଓଡ଼ିଶା ସମାଚାର)- ପ୍ରଫେସରଜି. ଏନ୍. ସାଇବାବାଙ୍କ ସ୍ମୃତିରେ ଭୁବନେଶ୍ୱର ଲୋହିଆ ଏକାଡେମୀ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ଏକ ଶୋଷଣ ବିହୀନ ତଥା ସମତା ମୂଳକ ସମାଜ ଗଠନ ପାଇଁ ତାଙ୍କର ପ୍ରଚେଷ୍ଟା ସବୁଦିନପାଇଁ ସ୍ମରଣୀୟ ହୋଇ ରହିବ ବୋଲି ଏହି ସଭାରେ ମତବ୍ୟକ୍ତ କରାଯାଇଛି। ବର୍ତ୍ତମାନର କର୍ପୋରେଟ ବନ୍ଧୁତ୍ୱପୂର୍ଣ୍ଣ ତଥା ଜନ ବିରୋଧୀ ବିକାଶନୀତି ବିରୁଦ୍ଧରେ ଲଢ଼ୁଥିବା ବଞ୍ଚିତ ସମ୍ପ୍ରଦାୟ ତଥା ଭିନ୍ନ ମତପୋଷଣ କରୁଥିବା ବ୍ୟକ୍ତି ତଥା ସଂଗଠନ ମାନଙ୍କପାଇଁ ପ୍ରଫେସର ସାଇବାବାଙ୍କ ଅହରହ ଉଦ୍ୟମ ଏବଂ ତାଙ୍କର ଜୀବନ-ଉତ୍ସର୍ଗକୁ ଆମେ କେବେବି ଭୁଲିପାରିବୁନାହିଁ ବୋଲି ବିଭିନ୍ନ ବର୍ଗର ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।
ବକ୍ତାମାନେ ସାଇବାବାଙ୍କର ମୃତ୍ୟୁକୁ ରାଷ୍ଟ୍ରପ୍ରାୟୋଜିତ ହତ୍ୟା ବୋଲି ବର୍ଣ୍ଣନା କରିଥିଲେ, କାରଣ ବହୁ ମିଥ୍ୟା ତଥା କପୋଳକଳ୍ପିତ ମାମଲାରେ ଏବଂ ବିଶେଷଭାବରେ ଔପନିବେଶିକ କଳା ଆଇନ ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ୍ (UAPA) ଅନୁଯାୟୀ ବିଚାର ନାମରେ ତାଙ୍କୁ ୧୦ବର୍ଷରୁ ଉର୍ଦ୍ଧ୍ବ ସମୟଧରି ଜେଲର ଆଣ୍ଡାସେଲ୍ଭିତରେ ଆବଦ୍ଧ କରାଯାଇଥିଲା ଓ ତାଙ୍କର ସର୍ବନିମ୍ନ ଆବଶ୍ୟକ ଚିକିତ୍ସା କ୍ଷେତ୍ରରେ ଚରମଅବହେଳା ପ୍ରଦର୍ଶନ କରାଯାଉଥିଲା। ପ୍ରଫେସର ସାଇବାବା, ଯିଏ ଜଣେ ଶତକଡ଼ା୯୦ଭାଗ ଭିନ୍ନକ୍ଷମ ବ୍ୟକ୍ତି, ସେ ନିରବଚ୍ଛିନ୍ନ ଏବଂ କ୍ରମାଗତ ଭାବରେ ଶୋଷିତ ନିଷ୍ପେସିତ ଜନତାଙ୍କ ସମସ୍ୟା ପ୍ରତି ଏକତା ଓ ସଂହତି ପ୍ରକାଶ କରୁଥିଲେ। ଭିନ୍ନମତ ଉପରେ ରାଷ୍ଟ୍ରଦମନ ବିରୋଧରେ ସେ ମଧ୍ୟ ଏକ ଦୃଢ଼ ସ୍ୱର ଥିଲେ।ଖଣିଖାଦାନ ତଥା ବିକାଶ ନାମରେ ବିନାଶ ଭଳି ବିଭିନ୍ନ ବିରୋଧୀ ବିକାଶ ପ୍ରକଳ୍ପ ଯୋଗୁଁ ଘଟୁଥିବା ବିସ୍ଥାପନ ବିରୋଧରେ ସେ ବିଭିନ୍ନ ଭାବରେ ସ୍ୱର ଉତ୍ତୋଳନ କରୁଥିଲେ। ସେ ପ୍ରଭାବିତ ଲୋକଙ୍କ ପ୍ରତି ନିଜର ଏକତା ତଥା ସଂହତି ଜଣାଇବା ସହିତକ ଳିଙ୍ଗନଗର ଗୁଳିକାଣ୍ଡ ଓ ଗଣହତ୍ୟା ପରି ଓଡିଶାର ବିଭିନ୍ନ ଖଣି ବିରୋଧୀ ତଥା ବିସ୍ଥାପନ ବିରୋଧୀ ଜନଆନ୍ଦୋଳନ ପ୍ରତି ତାଙ୍କର ପ୍ରତିବଦ୍ଧତା ପ୍ରକାଶ କରିଆସୁଥିଲେ।
ଶ୍ରଦ୍ଧାଞ୍ଜଳି ସଭାର ଉଦ୍ଦେଶ୍ୟ ସଂପର୍କରେ କମିଟିର ସଦସ୍ୟ ନରେନ୍ଦ୍ର ମହାନ୍ତିଙ୍କ ସୂଚନା ପରେ ସର୍ବଶ୍ରୀ ପ୍ରଫୁଲ୍ଲସାମନ୍ତରା, ପ୍ରଫେସର ଅମୀୟ କୁମାର ମହାନ୍ତି ଓ କବି ସମୀର ରଞ୍ଜନଙ୍କୁ ନେଇ ଏକ ସଭାପତି ମଣ୍ଡଳୀ ସଭା ପରିଚାଳନା କରିଥିଲେ। ବକ୍ତାମାନଙ୍କ ମଧ୍ୟରେ ମାନବାଧିକାର କର୍ମୀ ବାଘାମ୍ବର ପଟ୍ଟନାୟକ, ସୁରେଶ ପାଣିଗ୍ରାହୀ, ଦେବରାୟ ମହାପାତ୍ର, ଶ୍ରୀମନ୍ତ ମହାନ୍ତି, ଭାଲଚନ୍ଦ୍ର ଷଡ଼ଙ୍ଗୀ, ବିଶ୍ୱପ୍ରିୟ କାନୁନଗୋ, ପ୍ରଦୀପ୍ତ ନାୟକ, ଦଣ୍ଡପାଣୀ ମହାନ୍ତି, ଲେଲିନ କୁମାର, ସଂଘମିତ୍ରା ଜେନା, ଶ୍ରୀକାନ୍ତ ମହାନ୍ତି, ମହେନ୍ଦ୍ର ପରିଡ଼ା, ରାଜା ରମଣ, ଚିତ୍ତରଞ୍ଜନ ବାରିକ ପ୍ରମୁଖ ପ୍ରଫେସର ସାଇବାବାଙ୍କ ଜୀବନ ଓ ସଂଘର୍ଷ ଓ ରାଷ୍ଟ୍ର ଦମନ ସଂପର୍କରେ ସ୍ମୃତି ଚାରଣ କରିଥିଲେ।।