ସାମ୍ବିଧାନିକ ଅଧିକାର ଦାବିରେ ଆଦିବାସୀ ମହାସଭା 

ଜୁନାଗଡ଼, ୦୫/୧୧/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ): କଳାହାଣ୍ଡି ଜିଲ୍ଲା , ଜୁନାଗଡ଼ ସହର ସ୍ଥିତ ସହିଦ ରେଣ୍ଡୋ ମାଝୀ ସଂସ୍କୃତି ଭବନ ଠାରେ ରବିବାର ଦିନ କ୍ରାନ୍ତିକାରୀ ନେତା ଦାମୋଦର ବେହେରାଙ୍କ ଆହ୍ଵାନ ରେ ସାମ୍ବିଧାନିକ ଅଧିକାର ଦାବି ରେ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟତଃ ଦଖଲ ଚାଷ ଜମି ସମେତ ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬ କୁ କଡ଼ା କଡି ପାଳନ କରି ସମସ୍ତ କୃଷକ ପରିବାର ସମେତ ଆଦିବାସୀ , ଦଳିତ, ବନବାସୀଙ୍କ  ଅଧିକାର ଓ ଚାଷ ଉପଯୋଗୀ ର ସ୍ଥାୟୀ ପଟ୍ଟା ଓ ବାସଗୃହ ପ୍ରଦାନ ସମ୍ପର୍କ ରେ ଆଲୋଚନା ହୋଇଥିଲା। ତାହା ସହିତ ଜଙ୍ଗଲ ସୁରକ୍ଷା ଓ ପରିଚାଳନା ର ପାରମ୍ପରିକ ସୀମା ଆକଳନ କରିବା ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ଜଙ୍ଗଲ ଅଧିକାର ର ଆକାର ଓ ପ୍ରକାର କୁ ନିର୍ଦ୍ଧାରଣ କରିବା ଦିଗରେ ଗ୍ରାମସଭା ର ଭୂମିକା କୁ ଏହି ଆଇନ୍ ଗୁରୁତ୍ଵ ଦେଇଛି ବୋଲି କୁହାଯାଇଥିଲା। ଆଉ ଏହି ଆଇନ୍ ଉଲଂଘନ କଲେ ଜଙ୍ଗଲ ଅଧିକାର ଆଇନର ଧାରା -୭ ଅନୁସାରେ ଦଣ୍ଡ ବିଧାନର ବ୍ୟବସ୍ଥା ମଧ୍ୟ ରହିଛି। ଏହି କାର୍ଯ୍ୟକ୍ରମରେ ସଭାପତି ଭାବେ ବରିଷ୍ଠ ଆଇନଜୀବି ହାଇକୋର୍ଟ ଓଡ଼ିଶା ପ୍ରଶାନ୍ତ ମିଶ୍ର ଯୋଗଦାନ କରି ସେଠାରେ ଉପସ୍ଥିତ ଲୋକଙ୍କୁ ମାର୍ଗ ଦର୍ଶନ କରିଥିବା ବେଳେ କୃଷକ ନେତା ପିତାମ୍ବର ଦାସ, ଆଇନଜୀବି ପୁର୍ଣ୍ଣଚନ୍ଦ୍ର ପ୍ରଧାନ, କଳାହାଣ୍ଡି ଆଦିବାସୀ ମହାସଭା ସଭାପତି ସୁରେନ୍ଦ୍ର ମାଝୀ,ଛାତ୍ର ନେତା ହିଂମାଶୁ ଡ଼ଙ୍ଗରି, ହିମାଂଶୁ ନାଏକ, ସଞ୍ଜୟ ସୁନାନୀ  ପ୍ରମୁଖ ଯୋଗଦାନ କରି ନିଜ ନିଜ ମତ ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳ ର ଶହ ଶହ ଆଦିବାସୀ ମହିଳା ଓ ପୁରୁଷ  ଉପସ୍ଥିତ ଥିଲେ। ଏଥିରେ ନିଜର ଭିଟାମାଟି କୁ ସେମାନେ କିପରି ସୁରକ୍ଷା ଦେବେ ସେଥି ପ୍ରତି  ସେମାନଙ୍କୁ ସଚେତନ ମଧ୍ୟ କରାଯାଇଥିଲା ଓ ସରକାର ଯଦି ସେମାନଙ୍କୁ ତାଙ୍କ ସାମ୍ବିଧାନିକ ଅଧିକାର ନ ଦିଅନ୍ତି ତେବେ ଆସନ୍ତା ଜାନୁଆରୀ ୬ ତାରିଖରେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଆଇନ୍ ଅମାନ୍ୟ ଆନ୍ଦୋଳନ କରାଯିବା ବୋଲି ଦାମୋଦର ବେହେରା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *