୨୪ ଘଣ୍ଟିଆ ବନ୍ୟା ନିୟନ୍ତ୍ରଣ କକ୍ଷରୁ ସ୍ଥିତି ଅନୁଧ୍ୟାନ
ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା ନଦୀ ମାନଙ୍କରେ ଜଳସ୍ତର ବୃଦ୍ଧି
ଭୁବନେଶ୍ୱର,୨୯/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଝାରଖଣ୍ଡ ରାଜ୍ୟ ଏବଂ ଓଡ଼ିଶାର ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଲଗାଣ ବର୍ଷା ହେତୁ ସୁବର୍ଣ୍ଣରେଖା, ବୁଢାବଳଳଙ୍ଗ ଓ ଜଳକା ନଦୀ ମାନଙ୍କରେ ଜଳସ୍ତର ବୃଦ୍ଧିପାଉଛି ।
ଆଜି ଅପରାହ୍ଣ ୩ ଟା ସୁଦ୍ଧା ସୁବର୍ଣ୍ଣରେଖା ନଦୀରେ ରାଜଘାଟ ଠାରେ ଜଳସ୍ତର ୮.୪୧ ମିଟର ରହିଥିଲା । ଏହାର ବିପଦ ସଂକେତ ସ୍ତରହେଉଛି ୧୦.୩୬ ମିଟର। ସେହିପରି, ବୁଢାବଳଙ୍ଗ ନଦୀରେ ଗୋବିନ୍ଦପୁର ଠାରେ ଜଳସ୍ତର୬.୯୪ ମିଟର ରହିଛି । ଏହାର ବିପଦ ସଂକେତ ସ୍ତର ୮.୧୩ ମିଟର। ସେହିପରି ଜଳକା ନଦୀରେ ମାଥାନୀରେ ଠାରେ ଜଳସ୍ତର୬.୬୫ ମିଟର ଥିବା ବେଳେ ଏହାର ବିପଦ ସଂକେତ ସ୍ତର ହେଉଛି ୬.୫୦ ମିଟର।
ଏହି ପରିପ୍ରେକ୍ଷୀରେ, ସୁବର୍ଣ୍ଣରେଖା ନଦୀରେ ଆଜି ମଧ୍ୟ ରାତ୍ର ୧୨ ଟା ସୁଦ୍ଧା ସର୍ବୋଚ୍ଚ ବନ୍ୟା ଜଳ ୧୧.୨୫ ମିଟର ସ୍ତରରେ ପ୍ରବାହିତ ହେବାର ଆଶା କରାଯାଉଛି । ସେହିପରି ବୁଢାବଳଙ୍ଗ ନଦୀରେ ଆସନ୍ତା କାଲି ୩୦ ତାରିଖ ସକାଳ ୯ ସୁଦ୍ଧା ୮.୨୦ ମିଟର ଏବଂ ଜଳକା ନଦୀରେ ଆଜି ୨୯ ତାରିଖ ସଂଧ୍ୟା ୬.୦୦ ରେ ୬.୮୨ ମିଟର ସର୍ବୋଚ୍ଚ ବନ୍ୟାଜଳ ପ୍ରବାହିତ ହେବାର ଆଶା କରାଯାଉଛି।
ରାଜ୍ୟ ଜଳ ସଂପଦ ବିଭାଗର ସେଚ଼ ସଦନ ଠାରେ ଥିବା ବନ୍ୟା ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟିଆ କାର୍ଯ୍ୟ କରୁଛି ଏବଂ ସ୍ଥିତିକୁ ଏଠାରୁ ସତର୍କତାର ସହ ତଦାରଖ କରାଯାଉଛି । ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏଥିପାଇଁ ତଳିଆ ଅଂଚଳରେ ଥିବା ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରଣ ଏବଂ ଆବଶ୍ୟକ ରିଲିଫ୍ କାର୍ଯ୍ୟ ପରିଚାଳନା ପାଇଁ ସତର୍କ କରାଯାଇଛି । କ୍ଷେତ୍ର ସ୍ତରରେ ସ୍ଥିତି ଅନୁଧ୍ୟାନ ଓ ତଦାରଖ କରିବା ଏବଂ ସମ୍ଭାବ୍ୟ ବନ୍ୟା ସ୍ଥିତି ପରିଚାଳନାରେ ସହାୟତା ପାଇଁ ଜଳ ସଂପଦ ବିଭାଗର ଜଣେ ସର୍ବୋଚ୍ଚ ଯନ୍ତ୍ରୀ ପାହ୍ୟାର ଯନ୍ତ୍ରୀ ଏବଂ ଅନ୍ୟ ଜଣେ ମୁଖ୍ୟ ଯନ୍ତ୍ରୀ ତ୍ଵରିତ ବାଲେଶ୍ୱର ଗସ୍ତ କରିଛନ୍ତି ।
-0-
ପଠାଣି ରାଉତ ,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ
