ଯାଜପୁର, ୧୪/୧୧/୨୦୨୫ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକର ସୁକିନ୍ଦା ମହାବିଦ୍ୟାଳୟ ଅଡିଟୋରିୟମ୍ ରେ ଜିଲ୍ଲା ପ୍ରଶାସନ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF), ଯାଜପୁରଙ୍କ ମିଳିତ ଉଦ୍ୟମରେ ଆଜି କ୍ରୋନିକ କିଡନୀ ଡିଜିଜ୍ (CKD) ସଚେତନତା, ପ୍ରତିରୋଧ, ଯତ୍ନ ଓ ପରିଚାଳନା ବିଷୟରେ ଏକ ଟ୍ରେନିଙ୍ଗ–କମ୍–କ୍ୟାପାସିଟି ବିଲ୍ଡିଂ ପ୍ରୋଗ୍ରାମ ଆୟୋଜିତ ହୋଇଯାଇଅଛି। ଉକ୍ତ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ମନ୍ତ୍ରୀ ସମବାୟ, ହସ୍ତତନ୍ତ, ବୟନଶିଳ୍ପ, ହସ୍ତଶିଳ୍ପ ଶ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗଦେଇ କହିଲେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ହେଉଛି ସରକାରଙ୍କ ପ୍ରଥମ ଦାୟିତ୍ୱ।
ଯାଜପୁର ଜିଲ୍ଲାର ଖଣିପ୍ରଭାବିତ ଅଞ୍ଚଳରେ କ୍ରୋନିକ କିଡିନ ଡିଜିଜ CKD ଗୁରୁତର ସମସ୍ୟା ଭାବେ ଦେଖାଦେଉଛି। ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ହେଉଛି ସରକାରଙ୍କ ପ୍ରଥମ ଦାୟିତ୍ୱ। ସେଥିପାଇଁ ଡିଏମଏଫ ଯାଜପୁର ମାଧ୍ୟମରେ ଆମେ ପ୍ରତିରୋଧ, ଶୀଘ୍ର ଚିହ୍ନଟ ଏବଂ ମାଗଣା ଡାଏଲିସିସ ସୁବିଧାକୁ ଗାଁ କୁ ପହଞ୍ଚେଇବାରେ ଗୁରୁତ୍ୱ ଦେଉଛୁ। ଏହି ପ୍ରଶିକ୍ଷଣ ଫ୍ରଣ୍ଟଲାଇନ୍ ସ୍ୱାସ୍ଥ୍ୟକର୍ମୀ ଓ ଲୋକମାନଙ୍କ ମଧ୍ୟରେ ଜ୍ଞାନ ଓ ସଚେତନତା ବୃଦ୍ଧି କରିବ। ଡିଏମଏଫ ର ସହଯୋଗରେ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ଥାପିତ ୫-ଶଯ୍ୟା ବିଶିଷ୍ଟ ଡାଏଲିସିସ ସେଣ୍ଟର ଖଣିପ୍ରଭାବିତ ଅଞ୍ଚଳର ଲୋକମାନଙ୍କ ପାଇଁ ଏକ ଐତିହାସିକ ପଦକ୍ଷେପ। ଏହା ରୋଗୀମାନଙ୍କ ଅର୍ଥନୈତିକ ଭାର କମାଇବା ସହିତ ଗୁଣତ୍ତମ ସ୍ୱାସ୍ଥ୍ୟ ସେବାକୁ ତାଙ୍କ ଦ୍ୱାରସମ୍ମୁଖରେ ପହଂଚାଇବ।

ସୁକିନ୍ଦା ଏବଂ ଦାନଗଦି ଖଣିପ୍ରଭାବିତ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ—ସ୍ୱାସ୍ଥ୍ୟ ଆବଶ୍ୟକତା ପୂରଣ ପାଇଁ ଜିଲ୍ଲା ପ୍ରଶାସନ, ଡ଼ିଏମଏଫ ଟିମ୍, ସ୍ୱାସ୍ଥ୍ୟ ବିଭାଗ ଏବଂ ଏହି ଉଦ୍ୟମକୁ ସଫଳ କରିବାରେ ତାଙ୍କର ଅବିରତ ଚେଷ୍ଟା ନିମନ୍ତେ ଉତ୍ସାହିତ କରିବା ସହିତ ସାଧୁବାଦ୍ ଜଣାଇଥିଲେ।
ଉକ୍ତ ଦିବସରେ ଯୋଗଦେଇ ମାନ୍ୟବର ସାଂସଦ, ଯାଜପୁର ଡ଼ା. ରବୀନ୍ଦ୍ର ନାରାୟଣ ବେହେରା ଯୋଗଦେଇ କହିଲେ କ୍ରୋନିକ କିଡନୀ ରୋଗ ଦେଶରେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଭାବେ ଉଭା ହେଉଛି। ଯାଜପୁର ଜିଲ୍ଲାରେ ଖଣି ପ୍ରଭାବିତ ଅଞ୍ଚଳ ଯଥା ଦାନଗଦି ଓ ସୁକିନ୍ଦା ଆଦି କ୍ଷେତ୍ରରେ ଏହାର ପ୍ରଭାବ ଅଧିକ। ଏହି ପରିସ୍ଥିତି କୁ ଦୃଷ୍ଟିରେ ରଖି ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଡିଏମଏଫ୍ ର ସହଯୋଗରେ ଡ଼ାଇଆଲିସିସ ସେଣ୍ଟର୍ ସ୍ଥାପିତ ହେବା ଏକ ଐତିହାସିକ ପଦକ୍ଷେପ।
ଉକ୍ତ ଦିବସରେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର କହିଲେ ଯାଜପୁର ଜିଲ୍ଲାର କିଛି ଅଞ୍ଚଳରେ କ୍ରୋନିକ୍ କିଡିନ ରୋଗ ବର୍ତ୍ତମାନ ଚିନ୍ତାର ବିଷୟ ହୋଇଉଠିଛି। ଏହା କେବଳ ଏକ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ—
ଏହା ପରିବାର, ଆର୍ଥିକ ଭାର, ଶ୍ରମଶକ୍ତିର କ୍ଷୟ ଓ ସାମାଜିକ ପ୍ରତିଫଳ ସହ ଜଡ଼ିତ। ଏହି ପରିସ୍ଥିତିରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଗ୍ରାମ ମାଟି ପର୍ଯ୍ୟନ୍ତ ସକ୍ଷମ ଓ ପ୍ରତିରୋଧୀମୂଳକ କରିବା ଆମ ସମସ୍ତଙ୍କ ଲକ୍ଷ୍ୟ ହେବା ଉଚିତ। ଡିଏମଏଫ୍ ତହବିଲ୍ରେ ଆମେ ଜିଲ୍ଲା ଭିତରେ ଆଧୁନିକ ଡାଏଲାସିସ୍ ସେଣ୍ଟର ସ୍ଥାପନ, ଯନ୍ତ୍ରପାତି ଅପ୍ଗ୍ରେଡ୍, ଟେକ୍ନିସିଆନ୍ ଓ ପାରା ମେଡିକାଲ କର୍ମୀଙ୍କୁ ଉନ୍ନତ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ବିଶେଷ ଯୋଜନା ନେଇଛୁ। ପ୍ରତ୍ୟେକ ବ୍ଲକ୍ରେ CKD Screening Unit, ସଚେତନତା କ୍ୟାମ୍ପ ଏବଂ ରୋଗୀଙ୍କ ନିୟମିତ ପରୀକ୍ଷା ପାଇଁ ସ୍ଥାୟୀ ବ୍ୟବସ୍ଥା ଗଢ଼ିଉଠୁଛି।
ଏହା ଫଳରେ ରୋଗୀମାନେ ଦୂରକୁ ଯିବାକୁ ପଡ଼ିବ ନାହିଁ, ବ୍ଲକ୍ ସ୍ତରରେ ତାଙ୍କ ଚିକିତ୍ସା ସୁବିଧା ସୁନିଶ୍ଚିତ ହୋଇପାରିବ। ଯାଜପୁରକୁ କ୍ରୋନିକ ମୁକ୍ତ ଜିଲ୍ଲା କରିବା ଆମ ସମସ୍ତଙ୍କ ଦୃଢ଼ ସଂକଳ୍ପ। ଉକ୍ତ ଦିବସରେ ଯୋଗଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ବିଜୟ କୁମାର ମିଶ୍ର କହିଲେ ଆମ ଜିଲ୍ଲାରେ ନିତ୍ୟ ବୃଦ୍ଧି ପାଉଥିବା କ୍ରନିକ୍ କିଡନି ଡିଜିଜ୍ (CKD) ରୋଗୀମାନଙ୍କ ସଂଖ୍ୟା ଆମ ପାଇଁ ଏକ ଚିନ୍ତାର ବିଷୟ। ଏହି ରୋଗ ଚିକିତ୍ସା ମାତ୍ର ନୁହେଁ, ପ୍ରତିରୋଧ ଓ ସଚେତନତା ମଧ୍ୟ ତିନିଟି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ। ଡିଏମଏଫ୍ ସହଯୋଗରେ ଆମେ ଯାଜପୁର ଜିଲ୍ଲାରେ ଆଧୁନିକ ଡାଇଲାସିସ୍ ବେଡ୍ ବୃଦ୍ଧି, ଯନ୍ତ୍ର–ପାତି, ପ୍ରଶିକ୍ଷିତ ଟେକ୍ନିସିଆନ୍ ନିୟୋଜନ ଓ ରୋଗୀମାନଙ୍କ ପାଇଁ ସୁରକ୍ଷିତ ଚିକିତ୍ସା ପରିବେଶ ସୃଷ୍ଟି କରିବାରେ ଉଲ୍ଲେଖନୀୟ କାମ କରୁଛୁ।

ଆମ ମେଡିକାଲ୍ ଅଫିସର, ନର୍ସ, ଟେକ୍ନିସିଆନ୍ ଓ ସମସ୍ତ ଚିକିତ୍ସାକର୍ମୀଙ୍କ ପାଇଁ ଏହି ପ୍ରଶିକ୍ଷଣ ବହୁତ ଆବଶ୍ୟକ, କାରଣ କିଡନି ରୋଗର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ, ଫଲୋ–ଅପ୍ ମେକାନିଜମ୍, ଆହାର ଓ ଜୀବନଶୈଳୀ ପରିବର୍ତ୍ତନ, ଏବଂ ସମୟରେ ଡାଇଲାସିସ୍ ସେବା ପ୍ରଦାନ—ଏସବୁ ଦ୍ୱାରା ଅନେକ ପ୍ରାଣର ରକ୍ଷା ସମ୍ଭବ। ଆମେ ସରକାରର ‘ସ୍ୱାସ୍ଥ୍ୟ ସୁରକ୍ଷା ସେବା’ ଦୃଷ୍ଟିକୋଣକୁ ଗାଁ ଗାଁକୁ, ଲୋକଙ୍କ ପାଖକୁ ନେବା ନିମନ୍ତେ ପ୍ରତିବଦ୍ଧ। ରୋଗୀମାନଙ୍କ ପାଇଁ ଆମର ସେବା ଏକ କର୍ତ୍ତବ୍ୟ ମାତ୍ର ନୁହେଁ, ଏକ ମାନବୀୟ ଦାୟିତ୍ୱ। ଚିକିତ୍ସା ସେବାକୁ ଅଧିକ ସୁଲଭ, ସୁରକ୍ଷିତ ଓ ସମୟୋପଯୁକ୍ତ କରିବା ପାଇଁ ଆପଣମାନଙ୍କ ସହଯୋଗ ଓ ସମର୍ପଣ ଅତ୍ୟାବଶ୍ୟକ।

ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ଶ୍ରୀ ସପନ କୁମାର ନନ୍ଦ, ଡିନ୍ ତଥା ଅଧ୍ୟକ୍ଷ ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଡ଼ା. ସୀତାରାମ ମହାପାତ୍ର, ସୁପେରିଣ୍ଟେଣ୍ଡେଣ୍ଟ ଡା ମନୋରମା ସ୍ୱାଇଁ, ଏଡିଏମଓ ଡା ରମେଶ ଚନ୍ଦ୍ର ମଲ୍ଲିକ,ବି.ଡି.ଓ ଦାନଗଦି, ବିଡ଼ିଓ ସୁକିନ୍ଦା, ତହସିଲଦାର ଦାନଗଦି, ତହସିଲଦାର ସୁକିନ୍ଦା ,ବିଭିନ୍ନ ବିଭାଗର ଚିକିତ୍ସା ଅଧିକାରୀ , ଏମ୍ସ, କିମ୍ସ, ସମ୍, ଏସ.ସି.ବି, ଯଯାତି କେଶରୀ ମେଡିକାଲ କଲେଜର ବିଶେଷଜ୍ଞ ଡାକ୍ତର , ବିଭିନ୍ନ ବିଭାଗର ଅଧିକାରୀ, ରୋଗୀ, ସାଧାରଣ ଲୋକ, ଆଶା, ଏଏନଏମ୍, ସମୁଦାୟ ସ୍ୱାସ୍ଥ୍ୟ କର୍ମୀ, ଡାକ୍ତର ଓ ଜନପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇଥିଲେ।
