ଭୁବନେଶ୍ୱର,୧୪/୧୧/୨୦୨୫ (ଓଡ଼ିଶା ସମାଚାର)- ଚଉଡ଼ା ହେବ ସଚିବାଳୟ ମାର୍ଗ । ସଚିବାଳୟ ପଛକୁ ଯିବ। ଏବେ ଯେଉଁଠି ପାଚେରି ଅଛି, ତାହା ପାଖାପାଖି ୨୦ରୁ ୩୦ ମିଟର ପଛକୁ ଘୁଞ୍ଚିଯିବ । ଏହାପରେ କ୍ୟାପିଟାଲ ହସ୍ପିଟାଲ-ଏଜି ଛକ ରାସ୍ତାର ନବକଳେବର କରାଯିବ । ଦୁଇ ଥାକିଆ ରାସ୍ତା ନିର୍ମାଣ ହେବ । ଭୂତଳ ରାସ୍ତା ଫିଟିବା ସହ ଉପରେ ବି ଗୋଟିଏ ରାସ୍ତା ରହିବ । ପୂର୍ତ୍ତ ବିଭାଗ ରଏଭଳି ଏକ ଯୋଜନାକୁ ।
ସୂତ୍ର ଅନୁସାରେ, ପ୍ରଥମେ ସଚିବାଳୟର ରୂପରେଖ ବଦଳିବ । ପାଚେରି ପଛକୁ ଘୁଞ୍ଚିବା ପରେ ରାସ୍ତା ସମ୍ପ୍ରସାରଣ ପାଇଁ ବ୍ୟାପକ ଜାଗା ବାହାରିବ । କ୍ୟାପିଟାଲ ହସ୍ପିଟାଲ ଛକରୁ ଏଜି ଛକ ଓ ଏଜି ଛକରୁ କ୍ୟାପିଟାଲ ହସ୍ପିଟାଲକୁ ଦୁଇ ପଟେ ଦୁଇ ଥାକିଆ ରାସ୍ତା ହେବ । ଭୂତଳ ରାସ୍ତାଟି ଭିତରକୁ ୩ ମିଟର ଗଭୀର ଓ ଉପରକୁ ପ୍ରାୟ ଦେଢ଼ ମିଟର ଉଠି କରି ରହିବ । ଏହା ଉପରେ ଆଉ ଗୋଟିଏ ରାସ୍ତା ରହିବ । ରାଜଭବନ-ରାଜମହଲ ଓ ୟୁନିଟ୍-୧ ରାଜଭବନ ଦିଗରେ ଯାଉଥିବା ଗାଡ଼ିମୋଟର ଉପର ରାସ୍ତା ଦେଇ ଯା’ ଆସ କରିବ । କ୍ୟାପିଟାଲ ହସ୍ପିଟାଲ-ସଚିବାଳୟ ଓ ସଚିବାଳୟ-କ୍ୟାପିଟାଲ ହସ୍ପିଟାଲକୁ ଯା’ ଆସ ପାଇଁ ଭୂତଳ ରାସ୍ତାରେ ଯିବ ଗାଡ଼ିମୋଟର ।
ସେହିପରି ଭୁବନେଶ୍ୱର ସହରରେ ଟ୍ରାଫିକ ଭିଡ଼ ନିୟନ୍ତ୍ରଣ ପାଇଁ ପୂର୍ତ୍ତ ବିଭାଗ ମେଗା ଯୋଜନା ପ୍ରସ୍ତୁତ କରିଛି । ପ୍ରଥମ ପର୍ଯ୍ୟାୟରେ ଚଳିତ ମାସରେ କଳ୍ପନା ଛକ ଫ୍ଲାଏଓଭର ପାଇଁ ଟେଣ୍ଡର ଆହ୍ୱାନ କରାଯିବ । ଜୟଦେବବିହାର ରାସ୍ତାକୁ ୮ ଲେନ୍ କରିବା ପାଇଁ ଖୁବଶୀଘ୍ର ଟେଣ୍ଡର ଡକାଯିବ । ବର୍ତ୍ତମାନ ୬ ଲେନ୍ ରାସ୍ତା ଥିବାବେଳେ ଏହାକୁ ଚଉଡ଼ା କରି ୮ ଲେନ୍ କରାଯିବ । ନାଲକୋ ଛକ ଓ କିଟ ଛକରେ ଫ୍ଲାଏଓଭର ହେବ । ଏହାସହ ଗୋଟିଏ ଲେନ୍ ସର୍ଭିସ୍ ରାସ୍ତା ରହିବ । ଏହି ପ୍ରକଳ୍ପ ପାଇଁ ୯୨୫ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । ଏଥିପାଇଁ ଡିପିଆର ଚୂଡ଼ାନ୍ତ ହୋଇସାରିଛି । ଏମ୍ସ ରାସ୍ତାକୁ ଚଉଡ଼ା କରାଯିବା ସହ ଏହାର ଉନ୍ନତିକରଣ କରିବାକୁ ଯୋଜନା ରହିଛି । ବ୍ୟସ୍ତବହୁଳ ଖଣ୍ଡଗିରି-ଜାଗମରା ରାସ୍ତାକୁ ଏଲିଭେଟେଡେ୍ କରିଡର ରୂପ ଦେବାକୁ ଯୋଜନା କରାଯାଉଛି ।
ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପୂର୍ତ୍ତ ବିଭାଗର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ବିଭାଗୀୟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ହୋଇଛି । ଏଥିରେ ଭୁବନେଶ୍ୱର, ପୁରୀ ସହ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ବାବଦରେ ଆଲୋଚନା ହୋଇଛି ।
ବିଭିନ୍ନ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ପ୍ରକଳ୍ପର ଅଗ୍ରଗତି ସହ କୋରାପୁଟ ବାଇପାସ୍, ଜୁନାଗଡ଼ ବାଇପାସ୍, ରାଉରକେଲା ବାଇପାସ୍, ନୂଆପଡ଼ା ବାଇପାସ୍, ଆସିକା ବାଇପାସ୍, କଟକ ଓଏମପି-କନ୍ଦରପୁର-ପାରାଦୀପ ସଡ଼କ ପ୍ରକଳ୍ପର ଅଗ୍ରଗତି ନେଇ ବୈଠକରେ ଆଲୋଚନା ହୋଇଥିଲା । ଭୁବନେଶ୍ୱରର ବିଭିନ୍ନ ନୂଆ ପ୍ରକଳ୍ପ ସହ ପୁରୀର ବିଭିନ୍ନ ରାସ୍ତା, କୋଠାବାଡ଼ି, ଧର୍ମଶାଳା, ପାଠାଗାର ଏବଂ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ମନ୍ତ୍ରୀ ସମୀକ୍ଷା କରିଛନ୍ତି । ସମସ୍ତ ନିର୍ମାଣ କାର୍ଯ୍ୟକୁ ଅତିଶୀଘ୍ର ଶେଷ କରିବା ନେଇ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ଡିଭିଜନ୍ ସ୍ତରରେ ବିଭିନ୍ନ ସରକାରୀ ବିଧି ବ୍ୟବସ୍ଥାକୁ ତ୍ୱରିତ କରିବା ପାଇଁ ସମସ୍ତ କାର୍ଯ୍ୟ ଓସୱାସ୍ ଅନ୍ଲାଇନ୍ ପ୍ଲାଟ୍ଫର୍ମ ଜରିଆରେ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଏହି କ୍ରମରେ ଆଜିଠାରୁ ଓବିସିସିର ସମସ୍ତ ସରକାରୀ କାର୍ଯ୍ୟ ଓସୱାସ୍ ମାଧ୍ୟମରେ ଶୁଭାରମ୍ଭ ହୋଇଛି ।
ଏହି ବୈଠକରେ କୋରାପୁଟ ବାଇପାସ୍, ଜୁନାଗଡ଼ ବାଇପାସ୍, ରାଉରକେଲା ବାଇପାସ୍, ନୂଆପଡ଼ା ବାଇପାସ୍, ଆସ୍କା ବାଇପାସ୍, ଜଗତସିଂପୁର ଜିଲ୍ଲା ଅନ୍ତର୍ଗତ ଓଏମ୍ପି-କନ୍ଦରପୁର-ପାରାଦ୍ୱୀପ ଆଦି ରାସ୍ତା ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା କରାଯାଇଥିଲା।
ତତସହିତ ଭୁବନେଶ୍ୱର ସହରର ଭିଡ଼ ନିୟନ୍ତ୍ରଣ ପାଇଁ ଜୟଦେବ ବିହାରଠାରୁ ନନ୍ଦନକାନନରେ ରାସ୍ତାର ପ୍ରଶସ୍ତିକରଣ ଓ ଉଭୟ ପଟରେ ସମାନ୍ତରାଳ ରାସ୍ତା ନିର୍ମାଣ ଏବଂ ସଂଯୋଗୀକରଣ ରାସ୍ତା, ଏମସ୍କୁ ଯାଇଥିବା ରାସ୍ତାର ଉନ୍ନତି ଓ ପ୍ରଶସ୍ତିକରଣ,ଖଣ୍ଡଗିରି-ଜାଗମରା ଏଲିଭେଟେଡ୍ ରାସ୍ତା ଏବଂ କଳ୍ପନା ଛକରେ ଆଧୁନିକ ଏଲିଭେଟେଡ୍ ରାସ୍ତା ସହ ଏ.ଜି ଛକରେ ଟ୍ରାଫିକ୍ ସମସ୍ୟା ହ୍ରାସ ପାଇଁ ଦୁଇସ୍ତରୀୟ ରାସ୍ତାର ପରିକଳ୍ପନା ନେଇ ବୈଠକରେ ଆଲୋଚନା ହୋଇଛି।
ଏଥି ସହିତ ପୁରୀର ବିଭିନ୍ନ ରାସ୍ତା, କୋଠାବାଡ଼ି, ଧର୍ମଶାଳା, ପାଠାଗାର ଏବଂ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିବା ସହ ସମସ୍ତ ନିର୍ମାଣ କାର୍ଯ୍ୟକୁ ଅତିଶୀଘ୍ର ସମାପ୍ତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି।
ଏଥି ସହିତ ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ଡିଭିଜନ୍ ସ୍ତରରେ ବିଭିନ୍ନ ସରକାରୀ ବିଧି ବ୍ୟବସ୍ଥାକୁ ତ୍ୱରିତ କରିବା ପାଇଁ ସମସ୍ତ କାର୍ଯ୍ୟ ଓସ୍ୱାସ୍ ଅନ୍ଲାଇନ୍ ପ୍ଲାଟ୍ଫର୍ମ ଜରିଆରେ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।ଏହି କ୍ରମରେ ଆଜିଠାରୁ ଓବିସିସିର ସମସ୍ତ ସରକାରୀ କାର୍ଯ୍ୟ ଓସ୍ୱାସ୍ ମାଧ୍ୟମରେ ହେବା ନେଇ ଶୁଭାରମ୍ଭ ହୋଇଥିଲା।
ଏହି ବୈଠକରେ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ, ପୂର୍ତ୍ତ ବିଭାଗର ଇଆଇସି(ସିଭିଲ୍) ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଲକ୍ଷ୍ମୀକାନ୍ତ ପାଢ଼ି, ଇଆଇସି (ସିଭିଲ୍) ଇଂ ସତ୍ୟବ୍ରତ ବେହେରା, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସମୀର ହୋତା,ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ (ରାସ୍ତା-୧) ଇଂ ଧ୍ୟାନଚାନ୍ଦ ନାୟକ, ମୁଖ୍ୟଯନ୍ତ୍ରୀ (ବିଲ୍ଡିଂ-୧) ଇଂ ପ୍ରିୟବ୍ରତ ସାମନ୍ତରାୟ, ମୁଖ୍ୟ ଯନ୍ତ୍ରୀ(ରାସ୍ତା -୨) ଇଂ ଶିବବ୍ରତ ତରିଆ,ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟର ଆଞ୍ଚଳିକ ଅଧିକାରୀ ଶ୍ରୀ ସୁନିଲ କୁମାର,ଭୁବନେଶ୍ୱର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ମନୋଜ ମହାନନ୍ଦଙ୍କ ସହ ଏନ୍ଏଚ୍ଏଆଇର ବରିଷ୍ଠ ଅଧିକାରୀ ଏବଂ ଅନ୍ୟ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
